Unknown

 

 

 

 

 

 

 

 

 

ଗୃହଶିଳ୍ପ

ଦ୍ୱିତୀୟ ଖଣ୍ଡ

ରାୟବାହାଦୁର ଭିକାରୀଚରଣ ପଟ୍ଟନାୟକ

 

ସୂଚୀପତ୍ର

 

୧.

ପାଛିଆ ବୁଣା

୨.

ଯୋଡ଼ି ବୁଣା

୩.

ତିନିଶାଖାର ବୁଣା

୪.

ଚାରିଶାଖାର ବୁଣା

୫.

ସୁଆଁଲଇ

୬.

ସୁଆଁଲଇ ସୁଟକେସ୍‌

୭.

ସୁଆଁଲଇ ଚେଆର

୮.

କାଇଁଚ

୯.

କାଇଁଚ ବୁଣିବା ପ୍ରଣାଳୀ

୧୦.

କାଇଁଚର ଭିନ୍ନ ଭିନ୍ନ ଚାଙ୍ଗୁଡ଼ି

୧୧.

କାଇଁଚର ହାଟ୍‌ (Hat)

୧୨.

କାଇଁଚର ଅଳିଆ କାଗଜ ଟୋକେଇ

୧୩.

କାଇଁଚର ଗୋଲ ପେଡ଼ି

୧୪.

ଗୋଟା କାଇଁଚର ବିଞ୍ଚଣା

୧୫.

ଦୋହରି କାଇଁଚବୁଣା

୧୬.

ଦୋହରି କାଇଁଚର ଫ୍ୟାନ (Fan)

୧୭.

ଦୋହରି କାଇଁଚର ବାକ୍ସ

୧୮.

ଖରି

୧୯.

ଖରି ବ୍ୟାଗ୍‌ (Bag)

୨୦.

ଖରି ଟିପାଇ (Teapoy)

୨୧.

ଖରି ପାତିଆର ସୁଟ୍‌କେସ୍‌

୨୨.

ଆଖୁ ଫୁଲର ଶର

୨୩.

ଆଖୁଶରର ଅଳିଆ କାଗଜ ଟୋକେଇ

୨୪.

ଆଖୁଶରର ଅଳିଆ କାଗଜ ମୁହଁବନ୍ଧା

୨୫.

ଆଖୁଶରର ଅଳିଆ କାଗଜ ତଳାବନ୍ଧା

୨୬.

ଆଖୁଶରର ସ୍କ୍ରୀନ (Screen)

୨୭.

କିଆ

୨୮.

କିଆପତ୍ର

୨୯.

କିଆଫୁଲ

୩୦.

କିଆ ଓ କେତକୀ ଖଇର

୩୧.

ନାଳିଆ

୩୨.

ନାଳିଆର ହାତ ବ୍ୟାଗ (Hand bag)

୩୩.

ହତା

୩୪.

ନାଳିଆପଟି

୩୫.

ଅନୁଶୀଳନ

•••

 

ପାଛିଆ ବୁଣା

 

ପାଛିଆ ଏବଂ ଟୋକେଇ ବୁଣା ଗୋଟିଏ ବହୁକାଳର ପୁରାତନ ହସ୍ତଶିଳ୍ପ । କି ଗରିବ କି ଧନୀ ସମସ୍ତଙ୍କ ଘରେ ପାଛିଆ ଏବଂ ଟୋକେଇ ଲୋଡ଼ା । ପାଛିଆ ଏବଂ ଟୋକେଇ କେବଳ ହାତ ଦ୍ୱାରା ବୁଣାହୁଏ । ଏପର୍ଯ୍ୟନ୍ତ ଏହି ଶିଳ୍ପ ନିମନ୍ତେ କୌଣସି ଦେଶରେ କୌଣସି ପ୍ରକାର କଳ କାରଖାନା ହୋଇ ନାହିଁ । ସବୁଠାରେ ଏହା ହାତଦ୍ୱାରା ବୁଣା ହେଉଅଛି । ଅନ୍ୟାନ୍ୟ ଶିଳ୍ପମାନଙ୍କରେ କଳର ପ୍ରତିଯୋଗିତା ହସ୍ତକର୍ମର ବିଶେଷ ଅନ୍ତରାୟ ହୋଇଅଛି । କିନ୍ତୁ ପାଛିଆ ବୁଣାରେ ପ୍ରତିଯୋଗିତାର ଆଶଙ୍କା ନାହିଁ । ଯେ ଯେତେ ସୁନ୍ଦର, ଭିନ୍ନ ଭିନ୍ନ ପ୍ରକାରର ଓ ନେତ୍ରରୁଚିକର ପଦାର୍ଥମାନ ବୁଣିବାରେ ବିଚକ୍ଷଣତା ହାସଲ କରି ପାରିବେ, ତାହାଙ୍କ ପଦାର୍ଥ ସମସ୍ତ ଜଗତରେ ସେତେ ଅଧିକ ଆଦୃତ ହେବ ।

 

ପାଛିଆ ବୁଣିବାର ସାମଗ୍ରୀ ଆମ ଦେଶରେ କେତେପ୍ରକାର ଯେ ଉତ୍ପନ୍ନ ହେଉଅଛି, ତାହାର ସୀମା ନାହିଁ । ବେତ, ବାଉଁଶ, ସୁଆଁଲଇ, କାଇଁଚ, ଖରି, ତାଳପତ୍ର, ତାଳକୋରଟ, ନାଳିଆ, ବହୁମୁର୍ଗା, କିଆଚେର ବା କିଆପଟ, ଆଖୁ ଗଛଅଗରୁ ବାହାରୁଥିବା ଶର ବା କାଣ୍ଡ, ନଡ଼ିଆ ଖଡ଼ିକା, କୁଟା ପ୍ରଭୃତି ନାନା ପଦାର୍ଥରେ ପାଛିଆ ବୁଣାଯାଇ ପାରେ । ଅରଣ୍ୟମାନଙ୍କରେ ଆହୁରି କେତେ ପ୍ରକାର ଲତା ଅଛି, ସେ ସବୁ ଶିଳ୍ପ ନିମନ୍ତେ ଉପଯୋଗୀ ହୋଇ ପାରିବ । ସେ ସବୁ ଏପର୍ଯ୍ୟନ୍ତ କେହି ପରୀକ୍ଷା କରି ନାହାନ୍ତି । ତାଳପତ୍ରରେ ପାଛିଆ ବୁଣିବାର କେତେଗୋଟି ପ୍ରଣାଳୀ ପ୍ରଥମ ଖଣ୍ଡରେ ଦିଆଯାଇଅଛି । ଏହି ଖଣ୍ଡରେ ସୁଆଁଲଇ, କାଇଁଚ, ଖରି, ଆଖୁଶର, କିଆଚେର ଓ ନାଳିଆ ଆଦିର ପାଛିଆ ବୁଣିବାର କେତେକ ପ୍ରଣାଳୀ ଦିଆଗଲା ଏବଂ ପାଛିଆ ବୁଣିବା ସମ୍ବନ୍ଧେ କେତେଗୁଡ଼ିଏ ବିଶେଷ କଥା ମଧ୍ୟ ଉଲ୍ଲେଖ କରାଗଲା ।

 

ପାଛିଆବୁଣା ଶିଳ୍ପ ଅତି ସହଜ । ଯେକେହି ଏହା ସହଜରେ କରି ପାରିବେ ଏବଂ ଅତି ଅଳ୍ପ ସମୟ ମଧ୍ୟରେ ଶିଖି ପାରିବେ । କେବଳ ବୁଣିବାର କେତେଗୋଟି ବାଗ ଶିଖିନେଲେ ତାହାହିଁ ସବୁଠାରେ ବିବେଚନା କରି କ୍ରମାଗତ ପ୍ରୟୋଗ କରିବାକୁ ହେବ ।

 

ବୁଣିବାର ପଦାର୍ଥଗୁଡ଼ିକ ପ୍ରଥମେ ବାଛିନେବାକୁ ପଡ଼ିବ । ସେଗୁଡ଼ିକ ବୁଣିବା ବେଳେ ପାଣିରେ ବୁଡ଼ାଇ ଓଦା କରିଦେଇ ପାଖରେ ରଖିବ । ତହିଁ ଉପରେ ଖଣ୍ଡିଏ ଓଦାକନା ଘୋଡ଼ାଇ ରଖିଲେ ତାହା ବରାବର ନରମ ରହିବ । ବୁଣିବା ବେଳେ ପାର୍ଶ୍ୱରେ ବରାବର ଗୋଟିଏ ପାତ୍ରରେ ପାଣି ରଖିଥିବ । ଆବଶ୍ୟକ ମତେ ଖଣ୍ଡିଏ ଛୋଟ କନା ପାଣିରେ ବୁଡ଼ାଇନେଇ ବୁଣିବା ଅଂଶରେ ପ୍ରୟୋଗ କରୁଥିବ । ବରାବର ବାମ ଆଡ଼ରୁ ବୁଣିବାକୁ ଆରମ୍ଭ କରି ଡାହାଣ ଆଡ଼କୁ ବୁଣିଯିବ । ପ୍ରଥମେ ସରଳବୁଣାରୀତିରେ ଛୋଟ ଛୋଟପଦାର୍ଥ ବୁଣି ଭିନ୍ନଭିନ୍ନ ପ୍ରକାର ବୁଣିବାର ବାଗ, ଗଣ୍ଠି, ଓ ଯୋଡ଼ିବାର କାଇଦାଗୁଡ଼ିକ ଅଭ୍ୟାସ କରିନେବ । ସବୁବେଳେ ବୁଣିବାର ସବୁ ଉପକରଣ ଗୁଡ଼ିକର ସମତା ପ୍ରତି ଦୃଷ୍ଟି ରଖିଥିବ । ପ୍ରତି କାଠି, ପ୍ରତି ପାତିଆ, ପ୍ରତି ଫାଳ ଓ ପ୍ରତି ଗଣ୍ଠିକୁ ପରସ୍ପର ସଙ୍ଗେ ଯେତେ ସମାନ ରଖି ପାରିବ, ଯାହା ବୁଣିବ ତାହା ସେତେ ସୁନ୍ଦର ହେବ । କୌଣସି ଗୋଟିଏ କାଠି ବା ଗୋଟିଏ ଫାନ୍ଦ ଯେବେ ଅନ୍ୟ କାଠି ବା ଫାନ୍ଦ ସଙ୍ଗେ କିଛିମାତ୍ର ଅମେଳ ହୁଏ ବା ଅସମାନ ହୋଇ ବୁଣା ହୋଇଯାଏ, ତେବେ ସମସ୍ତ ପଦାର୍ଥଟିର ଶୋଭା ନଷ୍ଟ ହୋଇଯିବ ।

 

ବୁଣିବାକୁ ବସିଲା ବେଳେ ଯେଉଁପରି ଭାବରେ ବସିଲେ ଦୁଇହାତ ସରଳଭାବରେ ଚଳାଇ ପାରିବ, ଆଗେ ସେହିପରି ଆସନ ଜମାଇ କରିବସିବ । ତାହା ନ ହେଲେ ବୁଣାଯିବା ପଦାର୍ଥ ସୁନ୍ଦର ହୋଇ ପାରିବ ନାହିଁ । ପଦାର୍ଥଟିକୁ ମଧ୍ୟ କୌଣସି ଗୋଟିଏ କାଠର ଚାରିଗୋଡ଼ିଆ ବା ଅନ୍ୟ କୌଣସି ଉଚ୍ଚ ସ୍ଥାନରେ ଏପରିଭାବରେ ରଖିବ, ଯେପରି ବୁଣାଯିବା ପଦାର୍ଥ ବୁଣା ହେବା ବେଳକୁ ସରଳଭାବରେ ଆପେ ଆପେ ବୁଲି ଯାଉଥିବ । ଆପଣା ହାତ ଦୁଇଟିକୁ ସରଳଭାବରେ ପରିଚାଳିତ ହେବାଭଳି ଆଖିଠାରୁ କିଛି ଦୂରରେ ରଖିବ । ପଦାର୍ଥଟି ଆଣ୍ଠୁଉପରେ ବା ଭୂଇଁରେ ରଖି ବୁଣିଲେ ତାହା ସରଳ ଭାବେ ବୁଲି ନ ପାରି ଅନେକ ସମୟରେ ସ୍ଥାନେ ସ୍ଥାନେ ଅମେଳ ହୋଇ ପଦାର୍ଥଟିକୁ ଅସୁନ୍ଦର କରି ପକାଏ । କୌଣସି ଅଂଶ ଯତ୍‌କିଞ୍ଚିତ୍‌ ଅମେଳ ହେବା ଦେଖାଗଲେ ତାହାକୁ ଅବଜ୍ଞା ନ କରି ସଙ୍ଗେ ସଙ୍ଗେ ସଜାଡ଼ି ଦେଉଥିବ । ‘‘ଥାଉ, ଚଳିଯିବ’’ ଏପରି ଭାବି କଦାଚ କୌଣସି ଅଂଶକୁ ଅମେଳ ରଖି ଆଗକୁ ବୁଣି ଯିବ ନାହିଁ । ଏହି ଅମେଳ ହେବାର ଦୋଷଟି ଶୀଘ୍ର ଧରିପାରିବାର ଶକ୍ତି ଯାହାର ଯେତେ ଅଧିକ ବୃଦ୍ଧି ହେବ, ସେ ପାଛିଆ ବୁଣିବାରେ ସେତେ ଅଧିକ ବିଚକ୍ଷଣତା ଲାଭ କରି ପାରିବ । ପାଛିଆ ବୁଣିବାରେ ବିଶେଷ ଧୈର୍ଯ୍ୟ ଆବଶ୍ୟକ । ଗୋଟିଏ ଗୋଟିଏ ପ୍ରକାରର ଗଣ୍ଠି, ଗୋଟିଏ ଗୋଟିଏ ପ୍ରକାରର ଫାନ୍ଦ, ଘଣ୍ଟା ଘଣ୍ଟା ଦିନ ଦିନ ବସି କରିବାକୁ ପଡ଼େ, ତେଣୁ ବୁଣାଳିର ଧୈର୍ଯ୍ୟ ନଷ୍ଟ ହେବା ସ୍ୱାଭାବିକ । ମାତ୍ର ଧୈର୍ଯ୍ୟ ହରାଇଲେ ଏ କାର୍ଯ୍ୟରେ ସଫଳତା ଅସମ୍ଭବ । ପାଛିଆ ଦେହରେ ଯେଉଁଖୁଣ୍ଟି ବୁଣାଯାଏ ତାହାକୁ କେହି କେହି ବାହି କହନ୍ତି ଓ କେହି କେହି ଗୋଡ଼ କହନ୍ତି । ବାହି ବା ଗୋଡ଼ଗୁଡ଼ିକ ଉପରେ ଯେଉଁଗୁଡ଼ିକ ବୁଣାଯାଏ, ସାଧାରଣତଃ ତାହାକୁ ପାତ ବା ପାତିଆ କହନ୍ତି । ୧ ନମ୍ବର ଚିତ୍ରରେ ଠିଆବାଗରେ ଥିବା ୬ଟି ଖୁଣ୍ଟିକୁ ବାହି ବା ଗୋଡ଼ କହନ୍ତି ଓ ଉକ୍ତ ବାହିକୁ ଛନ୍ଦି କରି ଯେଉଁ ୪ଟି ପାତିଆ ବୁଣା ହୋଇଅଛି ତାକୁ ପାତ କହନ୍ତି ।

 

ବାହି ବା ଗୋଡ଼ ଦେହରେ ପାତ ବୁଣିବାର କେତେଗୋଟି ପ୍ରଣାଳୀ ନିମ୍ନରେ ଦିଆଗଲା–

 

ଗୋଟିଏ ପାଛିଆ ନିମନ୍ତେ ବାହିଗୁଡ଼ିଏ ସଜାଇ କରି ରଖିବ; ତହିଁ ମଧ୍ୟରୁ ଦୁଇଟି ବାହିର ମଝିରେ ଖଣ୍ଡିଏ ପାତକୁ ଆଡ଼ବାଗରେ ଖଞ୍ଜି ତାହାକୁ ବରାବର ଗୋଟିଏ ବାହିର ଆଗ ପାଖରେ ଏବଂ ଗୋଟିଏ ବାହିର ପଛ ପାଖରେ ଛନ୍ଦିକରି ବସାଇ ଆଗକୁ ବୁଣିଯିବ । ୧ ନମ୍ବର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

ପାତିଆଟି ଶେଷ ହେବା ବେଳକୁ ତାହା ପାଛିଆର ଭିତର (ପେଟ) ଆଡ଼କୁ ଛାଡ଼ି ଦେବ-। ସେହି ପାତଟି ଆହୁରି ବଡ଼ ହୋଇଥିଲେ ଯେଉଁଠାରେ ବାହାରି ଥାଆନ୍ତା ସେହିଠାରେ ଆଉ ଖଣ୍ଡିଏ ସେହିପରି ପାତ ଭିତର ପାଖରୁ ଖଞ୍ଜି ପୁନଶ୍ଚ ପୂର୍ବ ପରି ବୁଣିଯିବ ।

 

ପାତ ଖଞ୍ଜିବା ସ୍ଥାନରେ ପାତର ମୁଣ୍ଡକୁ ଉତ୍ତମରୂପେ କାଟି ପୂର୍ବର ପାତ ସଙ୍ଗେ ମିଶାଇ କରି ବୁଣିବ । ଏହି ବୁଣାକୁ ସରଳ ବୁଣା କହନ୍ତି ।

 

ସରଳ ବୁଣାରେ ବାହିଗୁଡ଼ିକର ସଂଖ୍ୟା ଯେବେ ବିଯୋଡ଼ି ଥିବ, ତେବେ ପ୍ରଥମ ଧାଡ଼ିର ପାତିଆ ବୁଣି ସାରିବା ପରେ ଦ୍ୱିତୀୟ ଧାଡ଼ିରେ, ପ୍ରଥମ ଧାଡ଼ିର ପାତ ଯେଉଁ ବାହିର ଆଗରେ ନେଇଥିବ, ଦ୍ୱିତୀୟ ଧାଡ଼ିର ପାତ ତାହାର ପଛରେ ନେବ ଏବଂ ପ୍ରଥମ ଧାଡ଼ିର ପାତକୁ ଯେଉଁ ବାହିର ପଛରେ ନେଇଥିବ, ଦ୍ୱିତୀୟ ଧାଡ଼ିର ପାତକୁ ସେହି ବାହିର ଆଗରେ ନେବ । ଏହିପରି ପାତ ପଡ଼ିଲେ ବୁଣା ଠିକ୍‌ ହେଲା ବୋଲି ଜାଣିବ । ବାହିଗୁଡ଼ିକର ସଂଖ୍ୟା ବିଯୋଡ଼ ଥିଲେ ଆପେ ଆପେ ଏହିପରି ପଡ଼ିଯିବ । ମାତ୍ର ବାହିଗୁଡ଼ିକର ସଂଖ୍ୟା ଯୋଡ଼ ଥିଲେ ଏପରି ପଡ଼ିବ ନାହିଁ । ତେଣୁ ପ୍ରଥମ ଧାଡ଼ି ପରେ ଦ୍ୱିତୀୟ ଧାଡ଼ି ଆରମ୍ଭ କଲାବେଳକୁ ପ୍ରଥମ ଧାଡ଼ି ଯେଉଁ ବାହିଠାରୁ ଆରମ୍ଭ ହୋଇଥିବ ଦ୍ୱିତୀୟ ଧାଡ଼ି ତହିଁରେ ଗୋଟିଏ ବାହି ଆଗକୁ ମଡ଼ାଇ ପାତ ଖଞ୍ଜି ବୁଣିବାକୁ ଆରମ୍ଭ କରିବ ଏବଂ ଗୋଟିଏ ବାହିର ଆଗରେ ଏବଂ ଗୋଟିଏ ବାହିର ପଛରେ ପାତ ସବୁକୁ ବସାଇ ବସାଇ ବୁଣିବ ।

 

ସାଧାରଣତଃ ଟୋକେଇ ଓ ପାଛିଆ ସବୁ ଏହି ସରଳବୁଣା ପ୍ରଣାଳୀରେ ବୁଣା ହୋଇଥାଏ । ସୁଟ୍‌କେଶ୍‌ ବା ଅନ୍ୟାନ୍ୟ ସୌଖିନ ପଦାର୍ଥମାନ କରିବାକୁ ହେଲେ ତାହା ଟୁଇଲ୍‌ ଓ ଅନ୍ୟାନ୍ୟ ପ୍ରକାରର ବୁଣିବା ପ୍ରଣାଳୀରେ ବୁଣାଯାଏ ।

Image

(୨ ନମ୍ବର ଚିତ୍ର)

ଟୁଇଲ୍‌ ବୁଣିବାପାଇଁ ଖଣ୍ଡିଏ ପାତକୁ ପ୍ରଥମେ ଯେକୌଣସି ସ୍ଥାନରେ ଖଞ୍ଜି ତାହାକୁ ଗୋଟିଏ ଗୋଟିଏ ବାହି ବଦଳରେ ଯୋଡ଼ିଏ ଯୋଡ଼ିଏ ବାହି ଛାଡ଼ିକରି ବୁଣିବାକୁ ହୁଏ । ଅର୍ଥାତ୍‌ ଯୋଡ଼ିଏ ବାହିର ଆଗରେ ଓ ଆଉ ଯୋଡ଼ିଏ ବାହିର ପଛରେ ପାତ ବସାଇ ବୁଣାଯାଏ । ତହିଁରେ ପ୍ରଥମ ଧାଡ଼ିରେ ଯୋଡ଼ିଏ ବାହି ତଳକୁ ଓ ଯୋଡ଼ିଏ ବାହି ଉପରକୁ ରଖି ଶେଷ ପର୍ଯ୍ୟନ୍ତ ବୁଣିବ । ଦ୍ୱିତୀୟ ଧାଡ଼ିରେ ୧ମ ବାହିଟି ଉପରକୁ ରଖି ତା ପରେ ଯୋଡ଼ିଏ ବାହି ତଳକୁ ଓ ଯୋଡ଼ିଏ ବାହି ଉପରକୁ ରଖି ବୁଣିବ । ତୃତୀୟ ଧାଡ଼ିରେ ଯୋଡ଼ିଏ ବାହି ଉପରକୁ ଓ ଚତୁର୍ଥ ଧାଡ଼ିରେ ୧ମ ବାହିଟି ତଳକୁ ରଖି ତା ପରେ ଯଥାକ୍ରମେ ଯୋଡ଼ିଏ ଲେଖାଏଁ ବାହି ତଳକୁ ଓ ଉପରକୁ ଏବଂ ଉପରକୁ ଓ ତଳକୁ ରଖି ବୁଣିବ । ଏହି କ୍ରମରେ ବରାବର ବୁଣା ହେବ । ୨ ନମ୍ବର ଚିତ୍ର ଦେଖ । ଗୋଲ ପଦାର୍ଥରେ ବାହିଗୁଡ଼ିକ ବିଯୋଡ଼ ରଖିବ । ତାହାହେଲେ ଦୁଇଟି ବାହି ଉପରକୁ ଓ ଦୁଇଟି ବାହି ତଳକୁ ଦେଇ ବୁଲାଇ ବୁଲାଇ ବୁଣିଗଲେ ଏହିପରି ଫାନ୍ଦ ଆପେ ପଡ଼ିଯିବ ।

•••

 

ଯୋଡ଼ି ବୁଣା

 

ସାଧାରଣତଃ ପାତରେ ଯୋଡ଼ିବୁଣା ସୁବିଧାରେ ହୋଇ ପାରେ ନାହିଁ । ପାତ ବଦଳରେ କୌଣସି ପ୍ରକାର ଗୋଳ କାଠି, ଖଡ଼ିକା, ଲତା, ଗୋଟା ବେତ ଓ ତଦ୍ରୂପ ଅନ୍ୟ କୌଣସି ଗୋଲ ପଦାର୍ଥଦ୍ୱାରା ଯୋଡ଼ିବୁଣା ବୁଣିବାକୁ ହୁଏ ।

Image

(୩ ନମ୍ବର ଚିତ୍ର)

ଏଥିପାଇଁ ପାତ ବଦଳରେ ଦୁଇଗୋଟି ଗୋଲ କାଠି ବାଛି ନେଇ ତାହାକୁ ଦୁଇଗୋଟି ଶାଖା କରିବ । ତହିଁ ମଧ୍ୟରୁ ପ୍ରଥମେ ଗୋଟିଏ ଶାଖାକୁ ଯେ କୌଣସି ଦୁଇଗୋଟି ବାହିର ମଝିରେ ଖଞ୍ଜିବ । ଅନ୍ୟ ଶାଖାଟିକୁ ତହିଁପର ଦୁଇଟି ବାହିର ମଝିରେ ଅର୍ଥାତ୍‌ ପ୍ରଥମ ଦୁଇ ବାହି ମଧ୍ୟରୁ ଦ୍ୱିତୀୟ ବାହିର ଏବଂ ତହିଁ ପରବର୍ତ୍ତୀ ତୃତୀୟ ବାହିର ମଝିରେ ଖଞ୍ଜି ବୁଣିବାକୁ ଆରମ୍ଭ କରିବ । ଏରୂପ ବୁଣାରେ ସାଧାରଣ ଦଉଡ଼ି ବଳିବାରେ ଯେପରି ଭାଙ୍ଗ ପଡ଼େ, ଠିକ୍‌ ସେହିପରି ଭାଙ୍ଗକୁ ଦୃଷ୍ଟି ରଖି ଏହି ଶାଖା ଦୁଇଟିକୁ ବୁଣିଯିବ । ଦୁଇଟି ଶାଖା ମଧ୍ୟରୁ ବରାବର ଡାହାଣ ଶାଖାଟିକୁ ପ୍ରତିଥର ବାମଶାଖା ଉପରକୁ ଚଢ଼ାଇ ଚଢ଼ାଇ ବୁଣିଯିବ । ୩ ନମ୍ବର ଚିତ୍ର ଦେଖ । ପ୍ରତିଥରରେ ଗୋଟିଏ ଲେଖାଏଁ ବାହି ପ୍ରତି ଫାନ୍ଦରେ ରହି ଯାଉଥିବ । ପାର୍ଶ୍ୱର ଚିତ୍ରରୁ ଦେଖି ଏହା ସହଜରେ ବୁଝିପାରିବ-। ଗୋଟିଏ ଶାଖା ଶେଷ ହେଲାବେଳକୁ ଆଉ ଗୋଟିଏ ଶାଖା ଯୋଡ଼ିଦେଇ ବୁଣିଯିବ-

•••

 

ତିନିଶାଖାର ବୁଣା

 

ତିନି ଗୋଟି ଶାଖା ମଧ୍ୟ ଏକତ୍ରେ ବୁଣାଯାଇ ପାରେ । ଶାଖା ତିନି ଗୋଟିକୁ ପ୍ରଥମେ ବାଛି ନେଇ ତହିଁ ମଧ୍ୟରୁ ଗୋଟିଏ ଶାଖା ଯେ କୌଣସି ସ୍ଥାନରେ ଦୁଇଗୋଟି ବାହି ମଧ୍ୟରେ ଖଞ୍ଜି ବୁଣିବାକୁ ଆରମ୍ଭ କରିବ । ଅନ୍ୟ ଦୁଇଗୋଟି ଶାଖା ମଧ୍ୟରୁ ଗୋଟିଏ ତହିଁର ପରବର୍ତ୍ତୀ, ଅର୍ଥାତ୍‌ ପୂର୍ବ ବାହି ମଧ୍ୟରୁ ଦ୍ୱିତୀୟ ଓ ତୃତୀୟ ବାହି ମଝିରେ ଏବଂ ତୃତୀୟ ଓ ଚତୁର୍ଥ ବାହିର ମଝିରେ ଆଉ ଗୋଟିଏ ଶାଖା ଖଞ୍ଜିବ ।

Image

(୪ ନମ୍ବର ଚିତ୍ର)

ପ୍ରଥମ ଶାଖାଟିକୁ ଯେଉଁ ଦୁଇ ବାହି ମଝିରେ ଖଞ୍ଜିଥିବ ତହିଁ ମଧ୍ୟରୁ ଦ୍ୱିତୀୟ ବାହିର ପଛରେ ଏବଂ ତହିଁ ପରବର୍ତ୍ତୀ ଦୁଇଟି ବାହି ଅର୍ଥାତ୍‌ ତୃତୀୟ ଓ ଚତୁର୍ଥ ବାହି ଆଗରେ, ପଞ୍ଚମ ବାହିର ପଛରେ, ଷଷ୍ଠ ଓ ସପ୍ତମ ବାହିର ଆଗରେ, ଅଷ୍ଟମ ବାହି ପଛରେ ଦେଇ ଏହି କ୍ରମରେ ବୁଣିବ । ଦ୍ୱିତୀୟ ଶାଖାଟିକୁ ଠିକ୍‌ ସେହିପରି ଗୋଟିଏ ବାହି ପଛରେ ଦୁଇଗୋଟି ବାହିର ଆଗରେ, ତହିଁ ପରେ ଗୋଟିଏ ବାହିର ପଛରେ, ଏହିରୂପ କ୍ରମରେ କାଠି ବୁଲାଇ ବୁଣିଯିବ । ତୃତୀୟ ଶାଖାଟିକୁ ମଧ୍ୟ ଠିକ୍‌ ସେହିପରି କ୍ରମରେ ଗୋଟିଏ ବାହି ପଛରେ, ଦୁଇଗୋଟି ବାହିର ଆଗରେ ଏବଂ ତହିଁର ପରବର୍ତ୍ତୀ ବାହିର ପଛରେ ବୁଲାଇ ବୁଲାଇ ବୁଣିଯିବ । ୪ ନମ୍ବର ଚିତ୍ର ଦେଖ ।

 

ଏହା ପରେ ପୁନଶ୍ଚ ପ୍ରଥମ ଶାଖାଠାରୁ ଆରମ୍ଭ କରି ଦ୍ୱିତୀୟ ଓ ତୃତୀୟ ଶାଖା ଉପରୋକ୍ତ କ୍ରମରେ ବୁଣିବ ।

 

ଏହି କ୍ରମରେ ବରାବର ବୁଣି ବୁଣି ଶେଷକୁ ଆରମ୍ଭ ସହିତ ଗୋଟିଏ ଗୋଟିଏ ଶାଖା ଗୋଟିଏ ଗୋଟିଏ ଘରେ ଖଞ୍ଜି ଶାଖାଗୁଡ଼ିକ ଭିତର ପାଖକୁ ଛାଡ଼ିଦେବ ଏବଂ ବୁଣା ପରେ ବଳକା ଅଂଶଗୁଡ଼ିକୁ ଉତ୍ତମରୂପେ କାଟି ମିଶାଇ ଦେବ ।

•••

 

ଚାରିଶାଖାର ବୁଣା

 

ଚାରିଗୋଟି ଶାଖାରେ ବୁଣିବାକୁ ହେଲେ ତଳେ ଥିବା ୫ନମ୍ବର ଚିତ୍ରପରି ପ୍ରଥମେ ଦୁଇଗୋଟି ଶାଖାକୁ ଏକାଠି ଯୋଡ଼ି ଯେ କୌଣସି ଗୋଟିଏ ବାହିର ପଛରେ ଖଞ୍ଜିବ ଏବଂ ସେହି ବାହିକୁ ପ୍ରଥମ ବାହି କରି ଶାଖାଗୁଡ଼ିକ ଦ୍ୱିତୀୟ ବାହି ଆଗରେ ନେଇ ତୃତୀୟ ବାହିର ପଛରେ ଅଲଗା କରି ଛାଡ଼ିବ । ଆଉ ଦୁଇଗୋଟି ଶାଖାକୁ ଦ୍ୱିତୀୟ ବାହିର ପଛରେ ପୂର୍ବ ଦୁଇଶାଖାର ଦୁଇ ପାଖରେ ଖଞ୍ଜି ତୃତୀୟ ବାହିର ଆଗରେ ନେଇ ଏକାଠି ଯୋଡ଼ି ଚତୁର୍ଥବାହିର ପଛରେ ପ୍ରଥମ ଦୁଇଶାଖାର ମଝିରେ ଛାଡ଼ିବ । ସେହିଠାରୁ ପୁଣି ପ୍ରଥମ ଶାଖା ଦୁଇଟିକୁ ଏକାଠି ଯୋଡ଼ି, ଅର୍ଥାତ୍‌ ଚତୁର୍ଥ ବାହିର ଆଗରେ ନେଇ ପଞ୍ଚମ ବାହିର ପଛରେ ଏକାଠି ଯୋଡ଼ି ଦ୍ୱିତୀୟ ଦୁଇଗୋଟି ଶାଖା ମଝିରେ ଛାଡ଼ିବ । ୫ ନମ୍ବର ଚିତ୍ର ଦେଖ ।

Image

(୫ ନମ୍ବର ଚିତ୍ର)

ଏହି କ୍ରମରେ ଥରେ ପ୍ରଥମ ଦୁଇ ଶାଖାକୁ ଏକାଠି ଯୋଡ଼ି ଦ୍ୱିତୀୟ ଦୁଇଶାଖା ମଧ୍ୟରେ ଏବଂ ଥରେ ଦ୍ୱିତୀୟ ଦୁଇ ଶାଖାକୁ ଏକାଠି ଯୋଡ଼ି ପ୍ରଥମ ଦୁଇ ଶାଖା ମଧ୍ୟରେ ବୁଣି ବୁଣି ଚାରିପାଖ ବୁଲାଇଆଣି ଆରମ୍ଭ ସଙ୍ଗେ ଠିକ୍‌ ସେହିପରି ବୁଣି ଶାଖାଗୁଡ଼ିକ ଶେଷକୁ ଭିତର ପାଖରେ ଛାଡ଼ିଦେବ ଏବଂ ସେମାନଙ୍କର ଅଗ କାଟି ମିଶାଇ ଦେବ ।

 

ଏପରି ବୁଣା କେବଳ ପଦାର୍ଥର ଶୋଭା ବୃଦ୍ଧି ନିମନ୍ତେ ତହିଁର ମଧ୍ୟ ଭାଗରେ ବା ଶେଷରେ ଥରେ ଥରେ ବୁଣାଯାଇଥାଏ । ସମ୍ପୂର୍ଣ୍ଣ ପଦାର୍ଥଟି ଏ ପ୍ରଣାଳୀରେ ବୁଣିଲେ ତାହା ଛିଦ୍ରମୟ ହେବ, ତେଣୁ କୌଣସି ପଦାର୍ଥ ଦେହଯାକ ଏରୂପ ପ୍ରଣାଳୀରେ ବୁଣା ହୁଏ ନାହିଁ ।

 

ସାଧାରଣ ଟୋକେଇ ବା ପାଛିଆ ପରି କୌଣସି ଗୋଲ ପଦାର୍ଥ ବୁଣିବାକୁ ହେଲେ ପ୍ରଥମେ କେତେକ ଗୁଡ଼ିଏ ବାହି ଲଗାଲଗି କରି ପାର୍ଶ୍ୱର ୬ ନମ୍ବର ଚିତ୍ରପରି ଆଉ କେତେଗୁଡ଼ିଏ ବାହି ଉପରେ ଛକ କରି ରଖିବ ।

Image

(୬ ନମ୍ବର ଚିତ୍ର)

(୭ ନମ୍ବର ଚିତ୍ର)

(୮ ନମ୍ବର ଚିତ୍ର)

ତା ପରେ ଗୋଟିଏ ଶାଖା ସେହି ଛକର ଯେ କୌଣସି ସ୍ଥାନରେ ଗୁଞ୍ଜିଦେଇ ଛକ ବାଦ୍‌ ବାହାରିଥିବା ବାହିଗୁଡ଼ିକୁ ପ୍ରଥମେ ଛନ୍ଦିଦେବ । ତା ପରେ ସେହି ବାହିଗୁଡ଼ିକୁ ଗୋଟି ଗୋଟି କରିଦେଇ, କିମ୍ବା ଯୋଡ଼ି ବାହି ରଖିବାକୁ ଇଚ୍ଛା କଲେ ଯୋଡ଼ି ଯୋଡ଼ି କରିଦେଇ ପ୍ରତି ଯୋଡ଼ିକୁ ଗୋଟିଏ ବାହି ବୋଲି ଧରି ତହିଁରେ ଗୋଟିକ ପରେ ଗୋଟିଏ ଲେଖାଏଁ ବାହିରେ ବୁଣିବ । ଅର୍ଥାତ୍‌, ପାତିଆକୁ ଗୋଟିଏ ବାହିର ଆଗରେ ଓ ଗୋଟିଏ ବାହିର ପଛରେ ବୁଲାଇ ଚାରିପାଖ ବୁଣିଯିବା ତଳାଟି ଯେତିକି ପରିମାଣର ଦରକାର ସେତିକି ବୁଣା ହୋଇଗଲେ ବାହିଗୁଡ଼ିକ ଉପରକୁ ମୋଡ଼ି ବଙ୍କାଇ ଦେବ । ଉପରେ ତହିଁର ଚାରିପାଖରେ ଖଣ୍ଡେ ଡୋର ବାନ୍ଧିଦେବ । ତା ପରେ ତହିଁରେ ପୂର୍ବପରି ବୁଣିଗଲେ ପାଛିଆଟିର କାନ୍ଥି ବୁଣା ହୋଇଯିବ । ଶେଷକୁ ଯେକୌଣସି ପଦାର୍ଥର ଗୋଟିଏ ଟାଣ ମୁଣ୍ଡଳି କରି ଯୋଡ଼ିବ, ବାହିଗୁଡ଼ିକ ସେହି ମୁଣ୍ଡଳି ଉପରେ ବୁଲାଇ ବୁଣା ହୋଇଥିବା ଅଂଶରେ ଗୁଞ୍ଜି ଅଟକାଇ ଦେବ । ତାହାହେଲେ ପାଛିଆ ବା ଟୋକେଇଟି ପୂର୍ଣ୍ଣ ହୋଇଯିବ । ୬, ୭, ୮, ୯, ୧୦ ଓ ୧୧ ନମ୍ବର ଚିତ୍ରମାନଙ୍କରେ ବାହି ଖଞ୍ଜିବା ଓ ସେମାନଙ୍କୁ ଭିନ୍ନ ଭିନ୍ନ ଭାଗ କରି ବୁଣିବାକୁ ଆରମ୍ଭ କରି ଗୋଟିଏ ଶାଖା ଦ୍ୱାରା ସରଳ ବୁଣା ପ୍ରଣାଳୀରେ ଟୋକେଇ ବୁଣିବା ପ୍ରଣାଳୀ ଦେଖାଇ ଦିଆଗଲା । ଏଥି ପୂର୍ବେ ଏକାଠି ଦୁଇଗୋଟି ଶାଖାଦ୍ୱାରା ବୁଣିବାର ପ୍ରଣାଳୀ ୩ ନମ୍ବର ଚିତ୍ରରେ, ଏକାଠି ତିନିଗୋଟି ଶାଖାଦ୍ୱାରା ବୁଣିବା ପ୍ରଣାଳୀ ୪ ନମ୍ବର ଚିତ୍ରରେ, ଚାରିଗୋଟି ବୁଣିବାର ପ୍ରଣାଳୀ ୫ ନମ୍ବର ଚିତ୍ରରେ ଏବଂ ଟୁଇଲ୍‌ ବୁଣିବାର ପ୍ରଣାଳୀ ୨ ନମ୍ବର ଚିତ୍ରରେ ଦେଖାଇ ଦିଆ ଯାଇଅଛି । ଉପରିଉକ୍ତ ମତେ ବାହି ସଜାଇ ତାହାକୁ ଗୋଟି ଗୋଟି କରି ବା ଯୋଡ଼ି ଯୋଡ଼ି କରି ତହିଁରେ ଏକାଠି ଦୁଇଗୋଟି ବା ତିନିଗୋଟି ଶାଖା ଖଞ୍ଜି ଯେଉଁପରି ଆକାରର ପାଛିଆ ବା ଟୋକେଇ କରିବାକୁ ଇଚ୍ଛା କରିବ, ତାହା ସେହି ସବୁ ପ୍ରଣାଳୀରେ ବୁଣିଲେ ଅଧିକ ସୁନ୍ଦର ଓ ଶକ୍ତ ହେବ ।

Image

(୯ ନମ୍ବର ଚିତ୍ର)

(୧୦ ନମ୍ବର ଚିତ୍ର)

(୧୧ ନମ୍ବର ଚିତ୍ର)

ଯେଉଁ ପାଛିଆରେ ବାହିଗୁଡ଼ିକ ଗୋଟି ଗୋଟି କରି ଭାଗ ନ କରି ଯୋଡ଼ି ଯୋଡ଼ି କରି ଭାଗ କରାଯାଇଥାଏ, ତହିଁରେ ଯୋଡ଼ିଏ ଲେଖାଏଁ ବାହିକୁ ଗୋଟିଏ କରି ଧରି ବୁଣିବାକୁ ହୁଏ ।

Image

(୧୨ ନମ୍ବର ଚିତ୍ର)

ନିମ୍ନର ୧୨ ନମ୍ବର ଚିତ୍ରରେ ବାହିଗୁଡ଼ିକୁ ଯୋଡ଼ି ଯୋଡ଼ି କରି ଧରି ତହିଁରେ ଏକତ୍ର ଦୁଇଗୋଟି କରି ଶାଖା ଲଗାଇ ବୁଣିବାର ପ୍ରଣାଳୀ ଦେଖାଇ ଦିଆଯାଇଅଛି । ଆହୁରି ମଧ୍ୟ ପ୍ରଥମେ ବାହିଗୁଡ଼ିଏ ଏକାଠି ଧରି ଆଉ ଗୁଡ଼ିଏ ବାହି ଉପରେ ଛକ କରି ରଖି ବୁଣିବାକୁ ଆରମ୍ଭ କଲେ ପ୍ରଥମେ ଛକ ବାଦ୍‌ କିପରି ବାହି ଗୁଡ଼ିକ ଛନ୍ଦି ଦେବାକୁ ହୁଏ, ତାହା ୭ ନମ୍ବର ଚିତ୍ରରେ ଦେଖାଇ ଦିଆଯାଇଅଛି ।

 

ସାଧାରଣ ଟୋକେଇ ବୁଣି ପାରି ତାହାର ମୁହଁ ବନ୍ଦ କରିବା ପାଇଁ ଗୋଟିଏ ଗୋଟିଏ ମୁଣ୍ଡଳି ଲଗାନ୍ତି । ମାତ୍ର ଦୁଇ ବା ତିନି ଶାଖାରେ ବୁଣାଯାଇଥିବା ଉଚ୍ଚ ଶ୍ରେଣୀର ଟୋକେଇରେ ସାଧାରଣତଃ ମୁଣ୍ଡଳି ନ ଖଞ୍ଜି କେବଳ ତାହାର ମୁହଁକୁ ବୁଣି ଦେବାକୁ ହୁଏ । ମୁହଁ ନାନା ପ୍ରକାରରେ ବୁଣାଯାଇ ପାରେ ।

Image

(୧୩ ନମ୍ବର ଚିତ୍ର)

ନିମ୍ନରେ ୧୩ ନମ୍ବର ଚିତ୍ରରେ ଗୋଟିଏ ପ୍ରକାରର ମୁହଁ ବୁଣିବା ପ୍ରଣାଳୀ ଦେଖାଇ ଦିଆଗଲା । ଏଥିରେ ବାହିଗୁଡ଼ିକ ଗୋଟିଏ ଗୋଟିଏ ବଦଳରେ ଯୋଡ଼ିଏ ଯୋଡ଼ିଏ ନିଆ ଯାଇଅଛି-। ପ୍ରତି ଯୋଡ଼ିକ ବାହିକୁ ଗୋଟିଏ ବାହି ପରି ଧରି ପ୍ରଥମେ ଗୋଟିଏ ଶାଖାଦ୍ୱାରା ଏବଂ ତା ପରେ ଯୋଡ଼ିଏ ଶାଖାଦ୍ୱାରା ପଦାର୍ଥଟି ବୁଣାଯାଇ ଅଛି । ବୁଣା ହୋଇଥିବା ଅଂଶ ଉପରକୁ ବାହାରିଥିବା ବାହିଗୁଡ଼ିକୁ ମୋଡ଼ି ମୁହଁ ବୁଣା ଦେଖାଇ ଦିଆଯାଇଅଛି । ପ୍ରଥମେ ଯେ କୌଣସି ଗୋଟିଏ ବାହିକୁ ମୋଡ଼ି ତହିଁ ପାଖର ଦୁଇଗୋଟି ବାହାରି ଆଗରେ ଓ ତହିଁ ପରର ୩ ଗୋଟି ବାହି ମଧ୍ୟରୁ ପ୍ରଥମ ବାହିଟିର ପଛରେ ଦ୍ୱିତୀୟ ବାହିର ଆଗରେ ନେଇ ତୃତୀୟ ବାହିର ପଛରେ ଭିତରକୁ ଛାଡ଼ି ଦିଆ ଯାଇଅଛି । ଠିକ୍‌ ସେହି ଅନୁକ୍ରମରେ ଅନ୍ୟ ଯେତେଗୁଡ଼ିଏ ବାହି ଅଛି, ସେଗୁଡ଼ିକୁ ଗୋଟି ଗୋଟି କରି ମୋଡ଼ି ପ୍ରତି ବାହିର ପରବର୍ତ୍ତୀ ପ୍ରଥମ ୨ ଗୋଟି ବାହି ଆଗରେ, ତୃତୀୟ ବାହିର ପଛରେ, ଚତୁର୍ଥ ବାହିର ଆଗରେ ନେଇ ପଞ୍ଚମ ବାହିର ପଛରେ ଛାଡ଼ି ଦେବାକୁ ହେବ । ଚାରିଆଡ଼େ ଏହିପରି କରି ବୁଲାଇ ଆଣି ପୁନଶ୍ଚ ଉପରି ଲିଖିତ କ୍ରମରେ ଆରମ୍ଭର ବାହି ଗୁଡ଼ିକରେ ମଧ୍ୟ ସେହିପରି ବୁଣି ମିଶାଇ ଦେବାକୁ ହେବ ।

Image

(୧୪ ନମ୍ବର ଚିତ୍ର)

ନିମ୍ନର ୧୪ ନମ୍ବର ଚିତ୍ରରେ ଆଉ ଗୋଟିଏ ମୁହଁ ବାନ୍ଧିବାର ପ୍ରଣାଳୀ ଦିଆଗଲା । ଏଥିରେ ପଦାର୍ଥଟି ଯୋଡ଼ି ବାହିରେ ଗୋଟିଏ ଶାଖାଦ୍ୱାରା ସରଳ ବୁଣା ପ୍ରଣାଳୀରେ ବୁଣାଯାଇ ଅଛି-। ପ୍ରତି ଯୋଡ଼ିକ ବାହିକୁ ଗୋଟିଏ ପରି ଧରାଯାଇଅଛି । ମୁହଁ ବାନ୍ଧିବା ପାଇଁ ଗୋଟିଏ ଗୋଟିଏ କରି ପ୍ରତ୍ୟେକ ବାହିକୁ ମୋଡ଼ି ତହିଁର ପରବର୍ତ୍ତୀ ପ୍ରଥମ ବାହିର ଆଗରେ ଦ୍ୱିତୀୟ ବାହିର ପଛରେ ନେଇ ତୃତୀୟ ବାହି ସଙ୍ଗେ ମିଶାଇ ଛାଡ଼ି ଦିଆଯାଇଅଛି ଏବଂ ସେହିଠାରୁ ତୃତୀୟ ବାହିକୁ ମୋଡ଼ି ନିଆ ଯାଇଅଛି । ତାହାକୁ ମଧ୍ୟ ସେହିପରି ତାହାର ପରବର୍ତ୍ତୀ ପ୍ରଥମ ବାହି ଆଗରେ ଦ୍ୱିତୀୟ ବାହି ପଛରେ ନେଇ ତୃତୀୟ ବାହି ସଙ୍ଗେ ମିଶାଇ ଛାଡ଼ି ଦିଆଯାଇଅଛି । ଏହି କ୍ରମରେ ପ୍ରତ୍ୟେକ ବାହିକୁ ଯୋଡ଼ି ତହିଁର ପରବର୍ତ୍ତୀ ପ୍ରଥମ ବାହିର ଆଗରେ ଦ୍ୱିତୀୟ ବାହିର ପଛରେ ନେଇ ତୃତୀୟ ବାହି ସଙ୍ଗେ ମିଶାଇ ଚାରିପାଖ ବୁଣିଆଣି ସେହି କ୍ରମରେ ଆରମ୍ଭର ବାହିଗୁଡ଼ିକରେ ବୁଣି ମିଶାଇ ଦେବାକୁ ହେବ । ବାହାରିଥିବା କାଠିଗୁଡ଼ିକ କାଟି ସମାନ କରିଦେବ ।

 

ଯେତେ ପ୍ରକାର ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହେଲା, ସେହି ସବୁ ପ୍ରଣାଳୀରେ ବାଉଁଶର ବତାକୁ ଚିରି ତହିଁରେ ଗୋଲ କାଠି ପ୍ରସ୍ତୁତ କରି ସେହି କାଠି, ବେତ ସୁଆଁଲଇ ବା ଅନ୍ୟ କିଛି ସେହିପରି ଲତାଦ୍ୱାରା ନାନା ପଦାର୍ଥ ବୁଣାଯାଇ ପାରିବ । ବୁଣିବା ପୂର୍ବରୁ କାଠିଗୁଡ଼ିକୁ ବୁଣିବା ଭଳି ପ୍ରସ୍ତୁତ କରି ନେବାକୁ ହେବ । ନିମ୍ନରେ ସୁଆଁଲଇଦ୍ୱାରା କେତେଗୁଡ଼ିଏ ପଦାର୍ଥ ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହେଲା ।

•••

 

ସୁଆଁଲଇ

 

ସୁଆଁଲଇ ଗୋଟିଏ ଜଙ୍ଗଲି ଲତା । ଏହା ଅନେକ ସ୍ଥଳରେ ମିଳେ । କୌଣସି କୌଣସି ଅଞ୍ଚଳରେ ଏହାକୁ ଦୁଧେଇ ଲତା କହନ୍ତି । ଏହା ସୂକ୍ଷ୍ମ, ସରଳ ଓ ଲମ୍ବା ଲମ୍ବା ହୋଇ ବଢ଼େ । କୌଣସି କୌଣସି ସ୍ଥାନରେ ଏହି ଲତାଦ୍ୱାରା ଘରର ଚାଳରେ ବତା ବାନ୍ଧନ୍ତି, ତାଳପତ୍ରର ଛତା ପାଇଁ ତାଞ୍ଛି (ଫରମା) ବାନ୍ଧନ୍ତି ଓ ତହିଁ ଉପରେ ଛକ ପକାଇ ବୁଣି ଦିଅନ୍ତି, ଝାମ୍ପି ବାନ୍ଧନ୍ତି ଏବଂ ସେହିପରି କେତେକ ବ୍ୟବହାରରେ ଲଗାନ୍ତି । ଏହି ଲତାଦ୍ୱାରା ଆହୁରି ଅନେକ ପ୍ରକାର ଉଚ୍ଚ ଶ୍ରେଣୀର ପଦାର୍ଥ ବୁଣାଯାଇ ପାରେ ଏବଂ ଅଧିକ ମୂଲ୍ୟବାନ୍‌ ପଦାର୍ଥ କରାଯାଇ ପାରେ ।

 

ଏହି ଲତା ଉପରେ ଗୋଟିଏ ଆବରଣ ଥାଏ । ତାହାକୁ ଚୋପା କହନ୍ତି । କଞ୍ଚା ଥିବାବେଳେ ଖଣ୍ଡିଏ ଛୁରୀରେ ତାଞ୍ଛିଦେଲେ ଚୋପାଟି ସହଜରେ ବାହାରିଯାଏ । ଚୋପା ବାହାରିଗଲେ ଭିତରଟି ଦେଖିବାକୁ ବେଶ୍‌ ଧଳା । ତହିଁରେ ତିଆରି ପଦାର୍ଥଗୁଡ଼ିକ ମଧ୍ୟ ଦେଖିବାକୁ ବେଶ୍‌ ସୁନ୍ଦର ହୁଏ । ଲତା ଶୁଖିଗଲେ ଚୋପା କଳା ହୋଇଯାଏ ଓ ତାଞ୍ଛିଲେ ଚୋପା ସହଜରେ ଛାଡ଼େ ନାହିଁ । କିନ୍ତୁ ଶୁଖିଲା ଲତାଗୁଡ଼ିକୁ ୪।୫ ଦିନ ପାଣିରେ ପକାଇ ରଖିଲେ ତହିଁର ଚୋପା ସଢ଼ିଯାଏ । ତେତେବେଳେ ଖଣ୍ଡିଏ ଛୁରୀରେ ତାଞ୍ଛି ଦେଲେ ତାହା ସହଜରେ ଛାଡ଼ିଯାଏ ।

 

ଚୋପା ନ ଛଡ଼ାଇ ମଧ୍ୟ ସୁଆଁଲଇରେ ସାଧାରଣ ଟୋକେଇ ବା ପାଛିଆ ବୁଣିଲେ ସେ ଟୋକେଇ ଓ ପାଛିଆ ବେଶ୍‌ ଶକ୍ତ ଓ ଅଧିକକାଳସ୍ଥାୟୀ ହୁଏ ।

Image

(୧ ନମ୍ବର ଚିତ୍ର)

୧ ନମ୍ବର ଚିତ୍ରରେ ଯେଉଁ ପାଛିଆଟି, ଦିଆଯାଇଅଛି ତହିଁରେ ଦୁଇଗୋଟି ଲତାକୁ ଏକାଠି ଗୋଟିଏ ଶାଖା କରି ବୁଣାଯାଇ ଅଛି । ମଧ୍ୟଭାଗରେ ୮ ଗୋଟି ଶାଖାରେ ଏକାଠି ଏକ ଧାଡ଼ି ବୁଣାଯାଇ ଅବଶିଷ୍ଟ ଅଂଶ ପୁଣି ଦୁଇ ଶାଖାରେ ବୁଣାଯାଇ ଅଛି । ତାହାର ମୁହଁରେ ବୁଣା ବାଦ ବାକି ରହି ଯାଇଥିବା ବାହିକୁ ଗୋଟି ଗୋଟି କରି ବୁଲାଇ ମୋଡ଼ି ତହିଁର ମୁହଁ ବନ୍ଧା ଯାଇଅଛି ।

Image

(୨ ନମ୍ବର ଚିତ୍ର)

ଯେତେଦୂର ପର୍ଯ୍ୟନ୍ତ ବୁଣିବା ଆବଶ୍ୟକ, ତାହା ବୁଣି ଯେତିକି ବାହି ବାକି ରହିଯିବ, ତହିଁମଧ୍ୟରୁ ଯେ କୌଣସି ସ୍ଥାନରୁ ଗୋଟିଏ ବାହିଠାରୁ ମୁହଁ ବନ୍ଧା ଆରମ୍ଭ କରିବ । ସେହି ବାହିଟିକୁ ମୋଡ଼ି ତହିଁର ପରବର୍ତ୍ତୀ ଦ୍ୱିତୀୟ ବାହିର ପଛରେ ତୃତୀୟ ବାହିର ଆଗରେ ଓ ଚତୁର୍ଥ ବାହିର ପଛରେ ନେଇ ପାଛିଆକୁ ଭିତର ଆଡ଼କୁ ଗୁଞ୍ଜି ଦିଆଯାଇଅଛି । ସେହିପରି ତହିଁର ପରବର୍ତ୍ତୀ ବାହିକୁ ମଧ୍ୟ ମୋଡ଼ି ତହିଁର ଦ୍ୱିତୀୟ ବାହିର ପଛରେ ତୃତୀୟ ବାହିର ଆଗରେ ଓ ଚତୁର୍ଥ ବାହିର ପଛରେ ନେଇ ଗୁଞ୍ଜି ଦିଆ ଯାଇଅଛି । ଏହି ପ୍ରଣାଳୀରେ ସମସ୍ତ ବାହିଗୁଡ଼ିକ ଖଞ୍ଜିବାରେ ପାଛିଆଟିର ମୁହଁବନ୍ଧା ହୋଇ ଯାଇଅଛି । ୨ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

ଏହା ପରେ ସୁଆଁଲଇର ଗୋଟିଏ ପାଛିଆର ଚିତ୍ର ଦିଆ ଯାଇଅଛି । ତହିଁରେ ଦୁଇଗୋଟି ଲେଖାଏଁ ଲତା ଏକାଠି ଯୋଡ଼ି ବାହିଗୁଡ଼ିକ ଯୋଡ଼ି ଯୋଡ଼ି କରାଯାଇଅଛି । ପୁଣି ତହିଁରେ ତିନିଗୋଟି ଲେଖାଏଁ ସରୁ ଲତାକୁ ଏକାଠି ଶାଖା କରି ସେହି ଶାଖାରେ ପାଛିଆଟି ବୁଣାଯାଇଅଛି । ତିନିଗୋଟି ଶାଖାରେ ବୁଣିବା ପ୍ରଣାଳୀ ପୂର୍ବେ ବର୍ଣ୍ଣିତ ହୋଇଅଛି । ତଦନୁସାରେ ଏହା ବୁଣାଯାଇଅଛି । କେବଳ ପାଛିଆଟିର ମଧ୍ୟଭାଗରେ ଗୋଟିଏ ଧାଡ଼ି ଚାରିଗୋଟି ଶାଖାରେ ବୁଣା ଯାଇଅଛି । ୪ ଗୋଟି ଶାଖାରେ ବୁଣିବା ପ୍ରଣାଳୀ ମଧ୍ୟ ପୂର୍ବେ ବର୍ଣ୍ଣିତ ହୋଇଅଛି । ପାଛିଆଟିର ମୁହଁ ୧୩ ନମ୍ବର ଚିତ୍ରରେ ବର୍ଣ୍ଣିତ ପ୍ରଣାଳୀରେ ବୁଣା ଯାଇଅଛି । ୩ ନମ୍ବର ଚିତ୍ର ଦେଖ-

 

ଏଥିରେ ଯେଉଁ ହତା ଲାଗିଅଛି, କେତେଗୁଡ଼ିଏ ଲତା ଏକାଠି ଗୁଡ଼ାଯାଇ ତାହା ପ୍ରସ୍ତୁତ କରା ହୋଇଅଛି । ଏହିପରି ଗୁଡ଼ାଇବା ପାଇଁ ଏକାବେଳକେ ଅନେକଗୁଡ଼ିଏ ଲତା ଧରି ଗୁଡ଼ାଇଲେ କିମ୍ବା ବଳିଲେ ଏପରି ବଳି ହୋଇ ରହିବ ନାହିଁ । ସେଥିପାଇଁ ଗୋଟିଏ ଲତା ପାଛିଆଟିର ଦୁଇ ପାଖରେ ଲଗାଇ ତାହାକୁ ହତା ପରିମାଣରେ ରଖି ତାକୁ ମୋଡ଼ି ଦୁଇସରି କରିଦେବ । ୨ୟ ସରି ଲତାକୁ ଯେଉଁଠାରେ ମୋଡ଼ିବ ସେହିଠାରୁ ଆରମ୍ଭ କରି ପ୍ରଥମ ପରସ୍ତ ଲତା ଉପରେ ଦଉଡ଼ି ଭାଙ୍ଗିବା ପରି ଗୁଡ଼ାଇ ଗୁଡ଼ାଇ ବସାଇ ଆଣିବ । ଆର ମୁଣ୍ଡର ଲତାକୁ ଆଉ ଥରେ ଗୁଡ଼ାଇ ଫେରାଇ ଆଣି ୩ୟ ଥରକୁ ସେହିଠାରୁ ପୁଣି ତାହା ଉପରେ କସ ଦଉଡ଼ି ଭାଙ୍ଗିଲା ପରି ଗୁଡ଼ାଇ ଗୁଡ଼ାଇ ବସାଇ ଆଣିବ । ଏହିପରି ଥରକୁ ଥର ବସାଇ ଯେତେ ମୋଟା କରିବାକୁ ଇଚ୍ଛା କରୁଥିବ, ସେହି ପରିମାଣର ମୋଟା ହୋଇଗଲେ ଲତାଟିର ଅଗକୁ କୌଣସି ଗୋଟିଏ ସ୍ଥାନରେ ଭିତରକୁ ଗୁଞ୍ଜି ଦେଇ ଅଟକାଇ ଦେବ । ଏହିପରି ବସାଇବା ବେଳେ ଗୋଟିଏ ଲତା ଶେଷ ହୋଇଗଲେ ତାହାର ଅଗକୁ ତହିଁରେ ଗୁଞ୍ଜି ଦେଇ ସେହିଠାରୁ ଆଉ ଖଣ୍ଡିଏ ଲତା ଲଗାଇ ପୂର୍ବ ପରି ବସାଇଯିବ-

 

ସୁଆଁଲଇରେ ନାନାପ୍ରକାର ଛୋଟ ଛୋଟ ଚାଙ୍ଗୁଡ଼ି, ଦୁଆର ମୁହଁରେ ଫୁଲ ଓ ଲତା ଟାଙ୍ଗି ରଖିବାର ଡାଲା କରାଯାଇ ପାରେ । ୪ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

ଏହି ଲତାର ବା ଅନ୍ୟ କୌଣସି ପଦାର୍ଥର ଏକ ମାପରେ ଯେବେ ଗୋଟିଏ ପ୍ରକାରର କୌଣସି ଡାଲା ଆଦି ପଦାର୍ଥ ଅଳ୍ପ ସମୟ ମଧ୍ୟରେ ଅଧିକ ସଂଖ୍ୟାରେ କରିବାକୁ ଇଚ୍ଛା କରିବ, ତେବେ କାଠର ବା ମାଟିର ଫରମା ବ୍ୟବହାର କରିବ । ତାହା ହେଲେ ସହଜରେ ସମାନ ମାପର ଓ ଏକ ନମୁନାର ଅଧିକ ପଦାର୍ଥ ତିଆରି କରି ପାରିବ ।

 

ଏଥିପାଇଁ ପ୍ରଥମେ କେବଳ ତଳାଟି ବୁଣି ଫରମା ଉପରେ ପକାଇ ଅବଶିଷ୍ଟ ଅଂଶ ବୁଣି ଦେବ । ଫରମା ଉପରେ ଯେବେ ଗାର ପକାଇ ରଖିବ, ତେବେ ଆହୁରି ସୁବିଧା ହେବ । ବାହିଗୁଡ଼ିକ ଗାର ଉପରେ ରଖିବ । ତା ପରେ ବୁଣିଯିବ ।

 

ଯେଉଁ ସବୁ ପଦାର୍ଥ ଅଧିକ ସଂଖ୍ୟାରେ ଆବଶ୍ୟକ, ସେ ସବୁ ପଦାର୍ଥ ଶୀଘ୍ର ଶୀଘ୍ର ପ୍ରସ୍ତୁତ କରିବାପାଇଁ ଯେବେ କାମ କରୁଥିବା ଲୋକଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରି ନେବ, ତେବେ ଆହୁରି ଉତ୍ତମ ହେବ; ଯଥା- ସୁଆଁଲଇରେ ଗୋଟିଏ ପ୍ରକାରର ଡାଲା ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟ ବଣ୍ଟନ କରିବାକୁ ହେଲେ ସମାନ ସମାନ ଲତାଗୁଡ଼ିକ ବାଛିବା କାମ କରିବ ଜଣେ, ଲତା ଗୁଡ଼ିକର ଚୋପା ଛଡ଼ାଇବାରେ ଲାଗିବେ ଦୁଇ ଜଣ, ଲତାଗୁଡ଼ିକରେ କେବଳ ତଳା ବୁଣିବେ ଦୁଇ ଜଣ, ଫରମା ଉପରେ ପକାଇ ଅବଶିଷ୍ଟ ଅଂଶ ବୁଣିବେ ଦୁଇଜଣ, ଫରମାରୁ ଉଠିଲା ପରେ ମୁହଁ ବାନ୍ଧିବାରେ ଲାଗିବେ ଦୁଇ ଜଣ, ଯେଉଁଠାରେ ଯାହା ବଳକା ଅଂଶ ବାହାରିଥିବ, ସେଗୁଡ଼ିକ କାଟି ସଫା କରି ରଖିଦେବ ଏକ ଜଣ ।

 

ଏହିପରି କାର୍ଯ୍ୟ ଭାଗ କରି ଯେଉଁ ପଦାର୍ଥ ନିର୍ମାଣ କରିବ, ତହିଁରେ ଯେତେ ଜଣ ଲାଗି ଦିନକରେ ଯେତେ ପଦାର୍ଥ ନିର୍ମାଣ କରିବେ, ଯେବେ ସେତିକି ଜଣ ଲୋକ ଲାଗି ପ୍ରତ୍ୟେକେ ପଦାର୍ଥର ସମସ୍ତ କାର୍ଯ୍ୟ ଏକା ଏକା କରନ୍ତି, ତେବେ କଦାଚ ତହିଁର ଅର୍ଦ୍ଧାଂଶ ମଧ୍ୟ କରି ପାରିବେ ନାହିଁ । ଯେଉଁ ପଦାର୍ଥଗୁଡ଼ିକ କରିବେ, ତାହା ମଧ୍ୟ ଦେଖିବାକୁ କଦାଚ ସବୁ ପ୍ରକାରରେ ସମାନ ହେବ ନାହିଁ ।

 

ଏହିରୂପ କାର୍ଯ୍ୟବିଭାଗର ସୁବିଧା ଓ ସୁଫଳର ମୂଲ୍ୟ ନ ବୁଝିବା ପର୍ଯ୍ୟନ୍ତ ଏକାଠି ଅଧିକ ପଦାର୍ଥ ପ୍ରସ୍ତୁତ କରିବା ସହଜ ହେବ ନାହିଁ ।

 

ସୁଆଁଲଇରେ ସୁଟ୍‌କେସ୍‌ କଲେ ତାହା ବେଶ୍‌ ଶକ୍ତ ଏବଂ ସୁନ୍ଦର ହେବ । ତାଳପତ୍ରର ଚଟେଇ ବୁଣିବା ପାଇଁ ଯେଉଁପରି ପତରଗୁଡ଼ିଏ ସମାନ ସମାନ କରି ଚିରି ପାରି ଦେବାକୁ ହୁଏ, ଏଥିରେ ସେହିପରି ଲତାଗୁଡ଼ିଏ ପାରି ଦେବ । ପଦାର୍ଥଟି ଯେତେ ଉଚ୍ଚ କରିବାକୁ ହେବ, ସେହି ପରିମାଣ ଅପେକ୍ଷା ଏକ ପାଖରୁ ଆଉ କିଛି ଅଧିକ ଛାଡ଼ି ତହିଁରେ ଠିକ୍‌ ସେହି ତାଳପତ୍ରର ଚଟେଇ ବୁଣିବା ପ୍ରଣାଳୀରେ ଗୁଡ଼ିଏ ଲତା ବୁଣିବାକୁ ହେବ । ତଳାଟି ଯେତେ ଲମ୍ବା ଓ ଯେତେ ଚଉଡ଼ାର କରିବାକୁ ଇଚ୍ଛା କରିବ, ସେହି ଆକାରର ଅଂଶଟି ବୁଣା ହୋଇଗଲେ ତାହା ଉପରେ ଠିକ୍‌ ସେହି ମାପର ଖଣ୍ଡିଏ କାଠ ରଖି ଦେବ । କାଠ ଖଣ୍ଡିକ ୬ ଇଞ୍ଚ ବା ତହିଁରୁ କିଛି ଉଚ୍ଚର ହେଲେ ସୁବିଧା ହେବ । କାଠଖଣ୍ଡିକୁ ଗୋଡ଼ଦ୍ୱାରା ମାଡ଼ି ବସି ତହିଁର ଚାରିପାଖର ଲତାଗୁଡ଼ିକ ଉଠାଇ କାଠ ସଙ୍ଗେ ଲଗାଇ ଖଣ୍ଡିଏ ଡୋର ଭିଡ଼ି ବାନ୍ଧି ଦେବ । ଗୋଟିଏ ଲତା ଯେ କୌଣସି ସ୍ଥାନରେ ଲଗାଇ ଚାରିପାଖକୁ ବୁଲାଇ ବୁଣିଯିବ । ଯେଉଁଠାରେ ଗୋଟିଏ ଲତା ଶେଷ ହେବ, ସେଠାରେ ଆଉ ଗୋଟିଏ ଲତା ଲଗାଇବ । ଏହାକୁ ଗୋଟିଏ ଲତା ଉପରକୁ ଉଠାଇ ଓ ଗୋଟିଏ ତଳକୁ ରଖି ବୁଣି ପାରିବ । ଅଥବା ଦୁଇଟି ଲତା ଉପରକୁ ଉଠାଇ ଏବଂ ଦୁଇଟି ଲତା ତଳକୁ ପକାଇ ଟୁଇଲ ବୁଣିବା ପ୍ରଣାଳୀରେ ବୁଣି ପାରିବ । କିମ୍ବା ଏକାବେଳକେ ଯୋଡ଼ିଏ ଲେଖାଏଁ ଲତା ବୁଣି ପାରିବ । ଏଥିପୂର୍ବେ ଯେତେ ପ୍ରକାର ବୁଣିବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି ତହିଁ ମଧ୍ୟରୁ ଯେ କୌଣସି ପ୍ରଣାଳୀରେ ସୁଟ୍‌କେଶ୍‌ ବୁଣି ପାରିବ । ସୁଟ୍‌କେଶ୍‌ର ଚାରିପାଖର କାନ୍ଥି ବୁଣା ହୋଇଗଲେ ମୁହଁ ବାନ୍ଧିବାର ଯେତେ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ତହିଁ ମଧ୍ୟରୁ ଯେଉଁ ପ୍ରଣାଳୀରେ ବାନ୍ଧିଲେ ସୁବିଧା ହେବ, ସେହି ପ୍ରଣାଳୀରେ ମୁହଁ ବାନ୍ଧି ଦେବ । ଠିକ୍‌ ସେହି ପ୍ରଣାଳୀରେ ସୁଟ୍‌କେଶ୍‌ର ଉପର ନିମନ୍ତେ ଖଣ୍ଡିଏ ଢାଙ୍କୁଣୀ ବା ଡାଲା ବୁଣି ଲଗାଇ ଦେବ ।

Image

(୫ ନମ୍ବର ଚିତ୍ର)

୫ ନମ୍ବର ଚିତ୍ରରେ ଯେଉଁ ସୁଟ୍‌କେସ୍‌ଟି ଦେଖୁଅଛ, ତାହା ଗୋଟିଏ ବାହିରେ ଦୁଇଗୋଟି ଶାଖା ଏକାଠି ବୁଣାଯାଇଅଛି । ତହିଁର ମଧ୍ୟଭାଗରେ ଗୋଟିଏ ଧାଡ଼ି ପୂର୍ବବର୍ଣ୍ଣିତ ପ୍ରଣାଳୀରେ ଚାରିଗୋଟା ଲତାରେ ବୁଣାଯାଇଅଛି।

Image

(୬ ନମ୍ବର ଚିତ୍ର)

(୭ ନମ୍ବର ଚିତ୍ର)

ବାଉଁଶରେ କିମ୍ବା ବେତରେ ଓ ଯେଉଁଠାରେ ଆବଶ୍ୟକ ହେବ ଖଣ୍ଡେ ଖଣ୍ଡେ କାଠ ଲଗାଇ ଭିନ୍ନ ଭିନ୍ନ ଆକୃତିର ଚେଆର୍‌ (Chair), କାଉଚ୍‌ ପ୍ରଭୃତିର ଗୋଟିଏ ଲେଖାଏଁ ଫରମା ପ୍ରସ୍ତୁତ କରି ତହିଁରେ ଯେଉଁ ଅଂଶ ବୁଣିବାର ଆବଶ୍ୟକ, ସେହି ଅଂଶରେ ବେତର ପାତିଆ ବା ବେତର ଅନ୍ତିର ପାତିଆ କିମ୍ବା ବାଉଁଶର ପାତିଆ ଖଞ୍ଜି ଦେଇ ତହିଁ ଉପରେ ବାଛି ବାଛି ସମାନ ମୋଟାର ସୁଆଁଲଇ ଗୁଡ଼ିଏ ବୁଣି ଦେବ । ଚଉକି ଆଦିର ଗୋଡ଼, ହାତ ପ୍ରଭୃତି ଯେଉଁ ସବୁ ସ୍ଥାନରେ କେବଳ ଲଇ ଗୁଡ଼ାଇ ହେବ, ସେ ସବୁ ସ୍ଥାନରେ ଏହି ଲତାକୁ ଗୁଡ଼ାଇ ଦେବ ଏବଂ ପିଠିର ଦାଢ଼ ଓ ବସିବା ସ୍ଥାନରେ ଦାଢ଼ ପ୍ରଭୃତିରେ ଏହି ସୁଆଁଲଇର ବେଣୀ କରି ବସାଇ ଦେବ । ତାହାହେଲେ ସୁନ୍ଦର ଚେଆର୍‌ ଓ କାଉଚ୍‌ ପ୍ରଭୃତି ହୋଇ ପାରିବ । ଉପରେ ୬ ଓ ୭ ନମ୍ବର ଚିତ୍ରରେ ଦୁଇଗୋଟି ଚେଆର୍‌ର ଚିତ୍ର ଦିଆଗଲା । ଚେଆର୍‌ ଆଦିରେ ବସିବା ସ୍ଥାନରେ ଖଣ୍ଡିଏ ଖଣ୍ଡିଏ ଗଦି ପକାଇ ବସିଲେ ବିଶେଷ ସୁବିଧା ହେବ ।

•••

 

କାଇଁଚ

 

କାଇଁଚର ସ୍ୱାଭାବିକ ରଙ୍ଗ ଅତି ସୁନ୍ଦର । କାଇଁଚରେ ଯେ କୌଣସି ପଦାର୍ଥ ବୁଣିବ, ତାହା ସୁନ୍ଦର ହେବ । ପୁଣି କାଇଁଚକୁ ଯେ କୌଣସି ରଙ୍ଗରେ ରଙ୍ଗାଇଲେ ସେ ରଙ୍ଗ ଗ୍ରହଣ କରିବ-। ଏହାକୁ ଠିକ୍‌ ତାଳପତ୍ର ରଙ୍ଗାଇବା ପ୍ରଣାଳୀରେ ରଙ୍ଗାଇବାକୁ ହେବ ।

 

କାଇଁଚ ବୁଣିବାରେ ଚରା ବା ପୁର ଦେଇ ବୁଣିବା ପ୍ରଣାଳୀ ଅଧିକ ପ୍ରଚଳିତ । ଏହି ପ୍ରଣାଳୀ ଏଥିପୂର୍ବେ ତାଳପତ୍ର ବୁଣାରେ ବର୍ଣ୍ଣିତ ହୋଇଅଛି । ଠିକ୍‌ ସେହିପରି ପ୍ରଥମେ ଗୋଟି କେତେ ଚରା ବା ପୁର ଧରିବ । ଗୋଟିଏ କାଇଁଚଡ଼ାଙ୍ଗକୁ ଦୁଇଫାଳ ବା ଚାରିଫାଳ କରିଚିରି ତହିଁର ଅନ୍ତି ବାହାର କରିଦେଇ ସେହି ପାତିଆକୁ, ଠିକ୍‌ ତାଳପତ୍ର ଯେପରି ଚରା ଉପରେ ଗୁଡ଼ାଇବାକୁ ହୁଏ, ସେହିପରି ଚରା ଉପରେ ଗୁଡ଼ାଇ ଗୁଡ଼ାଇ ବୁଣିବାକୁ ହେବ । ଖୁବ୍‌ ସରୁ ପଦାର୍ଥ ବୁଣିବାକୁ ହେଲେ ଗୋଟିଏ ଗୋଟିଏ କାଇଁଚ ଡାଙ୍ଗକୁ ୮ ଫାଳ କରି ମଧ୍ୟ ଚିରା ଯାଇ ପାରିବ ।

 

କାଇଁଚକୁ କଞ୍ଚା ଥିବାବେଳେ ଚିରିବାକୁ ହୁଏ । ଶୁଖିଗଲେ ତାହା ସବୁବେଳେ ସହଜରେ ଚିରି ହୁଏ ନାହିଁ । ଶୁଖିଲା କାଇଁଚ ଚିରିବାକୁ ଗଲେ ତାହା ଭାଙ୍ଗିଯାଏ । କାଇଁଚ ଠିକ୍‌ ବର୍ଷା ଋତୁର ଶେଷକୁ ପାକଳ ହୁଏ । ସେହି ସମୟରେ ତାହାକୁ ସଂଗ୍ରହ କରାଯାଏ । ସେହି ସମୟରେ ସାଧାରଣତଃ ଲୋକେ କାଇଁଚ ସଂଗ୍ରହ କରି ତାହା ଶୁଖିବା ପୂର୍ବରୁ କେତେକ ଚିରି ପକାନ୍ତି ଓ କେତେକ ଗୋଟାଇ ଖରାରେ ଶୁଖାଇ ଭବିଷ୍ୟତରେ କାମ କରିବା ପାଇଁ ସଜାଡ଼ି ରଖନ୍ତି । ପାଣିରେ ତିନ୍ତାଇ କାଇଁଚ ଚିରିବାକୁ ଚେଷ୍ଟାକଲେ ତାହା ଚିରାଯାଇ ପାରେ, ମାତ୍ର କାର୍ଯ୍ୟର ଉପଯୋଗୀ ହୁଏ ନାହିଁ ।

 

କାଇଁଚର ପଦାର୍ଥଗୁଡ଼ିକ ଅତି ସୂକ୍ଷ୍ମ କାର୍ଯ୍ୟ; ତେଣୁ କୌଣସି ମୋଟା ଚରା ଏଥି ନିମନ୍ତେ ସୁବିଧାଜନକ ନୁହେ । କାଇଁଚ ବୁଣିବାପାଇଁ ନଡ଼ିଆବାହୁଙ୍ଗା ଓ ତାଳବାହୁଙ୍ଗାର ଅନ୍ତିର ତନ୍ତୁ କିମ୍ବା ଗୋଟା କାଇଁଚକୁ ଚରା କରି ତହିଁରେ କାଇଁଚର ପଦାର୍ଥ ବୁଣିଲେ ସୁନ୍ଦର ହେବ ।

 

କାଇଁଚ ବୁଣିବା ବେଳେ ବରାବର ପାଖରେ ଗୋଟିଏ ପାତ୍ରରେ ପାଣି ରଖିଥିବ । କାଇଁଚ ପାତିଆଟିକୁ ପାଣିରେ ବୁଡ଼ାଇ ତହିଁର ପେଟପାଖ ଏକ ହାତର ବୁଢ଼ା ଆଙ୍ଗୁଠି ନଖ ଉପରେ ବସାଇ ଅନ୍ୟ ହାତରେ ଟାଣି ନେଲେ ତହିଁରେ ଯାହା ଅନ୍ତି ଥିବ, ତାହା ବାହାରିଯିବ ଏବଂ ପାତିଆଟି ନରମ ହେଲେ ତାହାକୁ ଯେଉଁଆଡ଼େ ବାଗେଇ କରି ଯେଉଁପରି ବୁଣିବାକୁ ଚାହିବ, ସେହିପରି ସହଜରେ ବୁଣି ପାରିବ ।

 

ପ୍ରଥମେ ଆବଶ୍ୟକ ପରିମାଣର ଚରା ନେଇ ତାହାକୁ ୨।୩ ଇଞ୍ଚ ଲମ୍ବ ହେବା ପର୍ଯ୍ୟନ୍ତ ତହିଁ ଉପରେ ଖଣ୍ଡିଏ କାଇଁଚ ପାତିଆ ଗୁଡ଼ାଇ ଦେବ । ତା ପରେ ତାହାକୁ ମୋଡ଼ି ଦେବ । ଯେବେ କୌଣସି ଗୋଲାକାର ପଦାର୍ଥ ବୁଣିବାକୁ ଇଚ୍ଛା କରିବ, ତେବେ ତାହାକୁ ଗୋଲ କରି ମୋଡ଼ିବ । ଯେବେ ଚାରିକୋଣିଆ କିମ୍ବା ବାଦାମି ଆକାରର ପଦାର୍ଥ କରିବାକୁ ଇଚ୍ଛା କରିବ, ତେବେ ତାହାକୁ କେବଳ ଲମ୍ବ ଭାବରେ ଦୁଇଭାଙ୍ଗ କରି ମୋଡ଼ି ଦେବ ।

 

ଏଥର ଗୁଡ଼ା ହୋଇଥିବା ଅଂଶ ସଙ୍ଗେ ଗୁଡ଼ା ନ ହୋଇଥିବା ଚରାକୁ ମିଶାଇ ଦୁହିଙ୍କ ଉପରେ ଥରେ କାଇଁଚ ପାତିଆ ଗୁଡ଼ାଇ ଦେବ । ତା ପରେ ପାତିଆଟି କେବଳ ଚରା ଉପରେ ଥରେ ଗୁଡ଼ାଇବ । ପୁନରାୟ ଚରା ଓ ଗୁଡ଼ା ହୋଇଥିବା ଅଂଶକୁ ମିଶାଇ ତାହା ଉପରେ ଗୁଡ଼ାଇବ-। ଏହିପରି ଥରେ ଖାଲି ଚରା ଉପରେ ଓ ଥରେ ଚରା ଏବଂ ବୁଣା ହୋଇଥିବା ଅଂଶ ଦୁହିଙ୍କ ଉପରେ କାଇଁଚ ପାତିଆକୁ ଗୁଡ଼ାଇ ଗୁଡ଼ାଇ ବରାବର ବୁଣିଯିବ । ୧ ନମ୍ବର ଚିତ୍ର ଦେଖ । କିଛି ବୁଣା ହୋଇଗଲେ ବୁଣା ଅଂଶରେ କାଇଁଚ ପାତିଆ ପଶିବା କଠିନ ହେବ । ତେଣୁ ୨ ନମ୍ବର ଚିତ୍ର ପରି ଖଣ୍ଡିଏ ପତଳା ଓ ଟାଣୁଆ ବାଉଁଶ ପାତିଆର ଅଗକୁ ଗୋଜିଆ କରି ତାହାକୁ ପାଖରେ ରଖିଥିବ । ସେହି ପାତିଆକୁ ବୁଣା ହୋଇଥିବା ଅଂଶରେ ପୂରାଇ ଦେଇ କାଇଁଚ ପାତିଆ ପଶିବାପାଇଁ ବାଟ ସଫା କରିଦେବ । ଚରା ଶେଷ ହୋଇ ଆସିଲେ ଏକାବେଳକେ ଅଧିକ ଚରା ନ ଯୋଡ଼ି ଅଳ୍ପ ଅଳ୍ପ କରି ଚରା କ୍ରମେ ଯୋଡ଼ିବ । ବୁଣା ଯାଉଥିବା କାଇଁଚ ମଧ୍ୟ ଖଣ୍ଡିଏ ଶେଷ ହେଲା ବେଳକୁ ଆଉ ଖଣ୍ଡିଏ ଯୋଗ କରୁଥିବ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

କ୍ରମାଗତ ଏହି ପ୍ରଣାଳୀରେ ବୁଣି ବୁଣି ଯେଉଁ ପଦାର୍ଥ ବୁଣିବା ଆବଶ୍ୟକ, ତହିଁର ତଳାଟି ପ୍ରସ୍ତୁତ କରିବ । ୩ ନମ୍ବର ଚିତ୍ର ଦେଖ । ତା ପରେ କ୍ରମେ ସେହିପରି ବୁଣି ବୁଣି ଯେଉଁ ପଦାର୍ଥ ବୁଣିବ, ତହିଁର ଆକାରକୁ ଲକ୍ଷ୍ୟ ରଖି ବୁଣିଲା ବେଳେ ଚରାକୁ ଉପରକୁ ଉଠାଇ ପଦାର୍ଥଟିର ପାଖ ବା କାନ୍ଥି ବୁଣିବ । ୪ ନମ୍ବର ଚିତ୍ର ଦେଖ । ଯେବେ ମଝିରେ ଭିନ୍ନ ଭିନ୍ନ ଭାଙ୍ଗ ବସାଇବାକୁ ଥିବ, ତେବେ ସେହି ଭାଙ୍ଗକୁ ଚାହିଁ ଯେଉଁଠାରେ ଯେଉଁ ଆଡ଼କୁ ବଢ଼ାଇବାର ଓ ଯେଉଁଠାରେ ଯେଉଁ ଆଡ଼କୁ ଉଠାଇବାର ଆବଶ୍ୟକ ହେବ, ସେହିଠାରେ ସେହି ଆଡ଼କୁ ଚରାକୁ ମଡ଼ାଇ ମଡ଼ାଇ ତହିଁରେ କାଇଁଚ ପାତିଆ ଗୁଡ଼ାଇ ପୂର୍ବ ପରି ବୁଣିଯିବ । ଶେଷ ହେଲା ବେଳକୁ ଚରାକୁ କ୍ରମେ ସରୁ କରି ଆଣି ଅନ୍ୟ ଅଂଶ ସଙ୍ଗେ ମିଳାଇ ଦେଇ ବୁଣା ଶେଷ କରିବ । ୫ ନମ୍ବର ଚିତ୍ର ଦେଖ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଡାଲା, ପେଡ଼ି ଗୋଲ ବିଞ୍ଚଣା, ଫରୁଆ ପ୍ରଭୃତି ନାନା ପ୍ରକାର ପଦାର୍ଥ ଏହି ପ୍ରଣାଳୀରେ ବୁଣାଯାଇ ପାରିବ । ପେଡ଼ି ବା ଫରୁଆ କରିବାକୁ ହେଲେ ପ୍ରଥମେ ଉପରୋକ୍ତ ପ୍ରଣାଳୀରେ ବୁଣି ସାରି ତା ପରେ ତହିଁର ଡାଲାଟି ଠିକ୍‌ ସେହି ପ୍ରଣାଳୀରେ ବୁଣି ପେଡ଼ି ବା ଫରୁଆ ପାଇଁ ଢାଙ୍କୁଣୀ ତିଆରି କରିବ ।

Image

(୬ ନମ୍ବର ଚିତ୍ର)

ଗୋଟିଏ ଗୋଟିଏ ଗୋଟା କାଇଁଚର ପୁର ଦେଇ ଖୁବ୍‌ ସରୁ ସରୁ ଚିରା କାଇଁଚଦ୍ୱାରା ସୁନ୍ଦର ହ୍ୟାଟ୍‌ (Hat) ବୁଣାଯାଇ ପାରେ । ୬ ନମ୍ବର ଚିତ୍ର ଦେଖ ।

 

କାଇଁଚ ଚାଙ୍ଗୁଡ଼ି ଓ କାଇଁଚ ପେଡ଼ି ବୁଣିବା ଓଡ଼ିଶାର ଗୋଟିଏ ବହୁ ପୁରାତନ ଓ ପ୍ରଧାନ ଗୃହଶିଳ୍ପ । ଓଡ଼ିଶାର କରଣମାନଙ୍କ ଘରର ବୋହୂ ଓ ଝିଅମାନେ ଏହା ବରାବର ବୁଣି ଆସୁଥିଲେ । ବର୍ତ୍ତମାନ ଓଡ଼ିଶାର ଗ୍ରାମମାନଙ୍କରେ କାଇଁଚ ବୁଣିବା ଯଥେଷ୍ଟ ପରିମାଣରେ ପ୍ରଚଳିତ ଅଛି । ଏହି କାଇଁଚର ପେଡ଼ି ଓ ଚାଙ୍ଗୁଡ଼ି ବିଲାତ ପ୍ରଭୃତି ବିଦେଶକୁ ପଠାଯାଇ ସେଠାରେ ଆଦୃତ ହେଉଅଛି । ଦୁଃଖର ବିଷୟ, ଉପଯୁକ୍ତ ପରିମାଣର ପେଡ଼ି ଓ ଚାଙ୍ଗୁଡ଼ି ଓଡ଼ିଶା ବିଦେଶକୁ ଯୋଗାଇ ପାରୁ ନାହିଁ । ବିଦେଶର ବଡ଼ ବଡ଼ ଗ୍ରାହକମାନେ କାଇଁଚର ଚାଙ୍ଗୁଡ଼ି ଓ ପେଡ଼ି ନେବା କାରଣ ପ୍ରସ୍ତୁତ ଥିଲେହେଁ ଓଡ଼ିଶା ସେମାନେ ଚାହୁଁଥିବା ପରିମାଣର ପଦାର୍ଥ ବର୍ତ୍ତମାନ ପ୍ରସ୍ତୁତ କରି ଦେଇ ପାରୁ ନାହିଁ ।

 

ଏ ରୂପ ଯୋଗାଇ ନ ପାରିବାର ପ୍ରଧାନ କାରଣ ଏହି ଯେ, ଓଡ଼ିଶାର ଗ୍ରାମମାନଙ୍କରେ ଯେଉଁମାନେ ଏ ସବୁ ପଦାର୍ଥ ବୁଣୁଅଛନ୍ତି, ସେମାନେ ଯେ ଯାହାର ମନ ମୁତାବକ ବୁଣି ଯାଉଅଛନ୍ତି-। କେହି ଏ ପର୍ଯ୍ୟନ୍ତ କୌଣସି ପ୍ରକାର ନମୁନା ଅନୁକରଣ କରି ବା ମାପକୁ ଦୃଷ୍ଟି ରଖି ପଦାର୍ଥ ପ୍ରସ୍ତୁତ କରିବାକୁ ଅଭ୍ୟାସ କରି ନାହାନ୍ତି । ବିଦେଶକୁ ଯେଉଁ ସବୁ ପଦାର୍ଥ ପଠାଇବା କାରଣ ଆବଶ୍ୟକ ହେଉଅଛି, ତାହା ପଠାଇବାର ସୁବିଧା ଓ କାରବାର ସୂତ୍ରେ ଚଳାଇବା ନିମନ୍ତେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ମାପ ଓ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ନମୁନାର ଏକାଭଳି ପଦାର୍ଥ ବହୁ ପରିମାଣରେ ଖୋଜା ହେଉଅଛି । ଓଡ଼ିଶାର ଗ୍ରାମର କର୍ମୀମାନେ ସେହି ଅନୁସାରେ ଏକାଭଳି ପଦାର୍ଥ ଅଧିକ ସଂଖ୍ୟାରେ ଦେଇ ପାରୁ ନାହାନ୍ତି । ସେମାନଙ୍କର ବୁଣିବାର କୌଶଳ ଓ ହାତ ଅଛି ଏବଂ ଅଭ୍ୟାସ ଅଛି; କେବଳ ସେମାନଙ୍କୁ ବାଗରେ ପକାଇବା ଆବଶ୍ୟକ । ଏପର୍ଯ୍ୟନ୍ତ ଯେ ଯାହା ବୁଣୁଅଛନ୍ତି, ତାହା ବୁଣୁ ବୁଣୁ ସେ ଚିଜର ଆପେ ଆପେ ଏକ ଏକ ଆକାର ହୋଇ ଯାଉଅଛି । ପ୍ରଥମରୁ ଆକାର ଓ ମାପ ପ୍ରତି ଦୃଷ୍ଟି ରଖି କେତେଗୋଟି ପଦାର୍ଥ ବୁଣିଲେ ସହଜରେ ନିୟମ ଓ ଶୃଙ୍ଖଳାହୀନ ଅଭ୍ୟାସ ସୁଧୁରିଯିବ ଏବଂ ବିଦେଶକୁ ଯୋଗାଇବା ନିମନ୍ତେ ସହଜରେ ଲୋକେ ନମୁନା ଓ ମାପ ଅନୁସାରେ ପଦାର୍ଥ ପ୍ରସ୍ତୁତ କରି ପାରିବେ । ଗ୍ରାମର କାଇଁଚ ବୁଣାଳିମାନଙ୍କର ଏହି ଦୋଷ ସଂଶୋଧନ ନିମନ୍ତେ ଓଡ଼ିଶାର ରେଭିନିଉ କମିସନର୍‌ ଶ୍ରୀଯୁକ୍ତ ପି. ଟି. ମାନସ୍‌ଫିଲ୍ଡ୍‌ ସାହେବ ନିଜ ହାତରୁ କିଛି ଅର୍ଥ ବ୍ୟୟ କରି କଟକର କ୍ଷୁଦ୍ର କୁଟୀରଶିଳ୍ପ କାରଖାନା ଜରିଆରେ ମଫସଲର ଗ୍ରାମମାନଙ୍କୁ ଲୋକ ପଠାଇ ବୁଣାଳିମାନଙ୍କୁ ନିର୍ଦ୍ଦିଷ୍ଟ ମାପ ଓ ନମୁନା ଅନୁସାରେ ବୁଣିବାକୁ ଶିଖାଇବା ନିମନ୍ତେ ପ୍ରଥମ ଉଦ୍ୟମ କରିଥିଲେ । ବର୍ତ୍ତମାନ ସରକାରଙ୍କ ଶିଳ୍ପବିଭାଗ ମଧ୍ୟ ଗ୍ରାମର କାଇଁଚବୁଣାଳି ମାନଙ୍କଦ୍ୱାରା ନିର୍ଦ୍ଦିଷ୍ଟ ମାପ ଓ ନମୁନା ଅନୁସାରେ ବହୁ ପରିମାଣରେ ପଦାର୍ଥ ପ୍ରସ୍ତୁତ କରାଇବାର ଚେଷ୍ଟା କରୁଅଛନ୍ତି । ଓଡ଼ିଶାର ଗ୍ରାମର କାଇଞ୍ଚ ବୁଣାଳିମାନଙ୍କୁ ଏହିପରି ବୁଣିବାକୁ ଅଭ୍ୟାସ କରାଇବାର ଏକମାତ୍ର ସହଜ ଉପାୟ ହେଉଛି ଯେ, ଗୋଟିଏ ପଦାର୍ଥ ନିମନ୍ତେ ଭିନ୍ନ ଭିନ୍ନ ମାପର ଗୋଟିଏ ଗୋଟିଏ ଫରମା ଦେଇ ସେହି ଫରମା ମୁତାବକ ସେମାନଙ୍କଦ୍ୱାରା ପଦାର୍ଥ ନିର୍ମାଣ କରାଇବାକୁ ହେବ । ସେଥି ନିମନ୍ତେ ପ୍ରଥମେ କେତେକ ପଦାର୍ଥ ବାଛି ନେବାକୁ ହେବ । ଯେଉଁ ଗୁଡ଼ିକ ନିମନ୍ତେ ଫରମା ସରଳ ଓ ଫରମାଦ୍ୱାରା ବୁଣିବାକୁ ସହଜ ହେବ, ସେହିପରି ପଦାର୍ଥ ବୁଣି ବୁଣି ମାପ ଓ ନମୁନା ଅନୁସାରେ ବୁଣିବାର ଖାଲି ଅଭ୍ୟାସ ପଡ଼ିଗଲେ, ତେଣିକି ଯେଉଁ ପଦାର୍ଥ ଦେଲେ ମଧ୍ୟ ବୁଣାଳିମାନେ ସହଜରେ କରି ଦେଇ ପାରିବେ । ଏହି ରୂପ ଦୁଇଗୋଟି ପଦାର୍ଥର ନମୁନା ନିମ୍ନରେ ଦିଆଗଲା :-

କାଇଁଚର ଅଳିଆ କାଗଜ ଟୋକେଇ

Image

(୬ ନମ୍ବର ଚିତ୍ର)

ଠିକ୍‌ ସମାନ ମାପର ଓ ସମାନ ପ୍ରକାରର ଅଳିଆ କାଗଜ ଟୋକେଇ (ଓ୍ୱେଷ୍ଟ ପେପର ବାସ୍କେଟ୍‌) ବୁଣିବା ନିମନ୍ତେ ପ୍ରଥମେ ନିମ୍ନର ୧ ନମ୍ବର ଚିତ୍ର ଅନୁକରଣରେ ଗୋଟିଏ ଫରମା ପ୍ରସ୍ତୁତ କରିବ । ଏହି ଫରମାଟିର ନିମ୍ନରେ ଦୁଇଖଣ୍ଡି ଓ ଉପରେ ଦୁଇଖଣ୍ଡି ଲେଖାଏଁ କାଠ ଛକ କରି ଲଗାଯାଇଅଛି । ଉପରର ଛକଟି ଛୋଟ ଏବଂ ତଳର ଛକଟି ବଡ଼ । ଛକ ଦୁଇଟିର ମଝିରେ ଖଣ୍ଡିଏ କାଠି ଲାଗିଅଛି । ଆଉ ୪ ଖଣ୍ଡି ବତାଦ୍ୱାରା ଦୁଇ ଛକର ଅଗ୍ରଭାଗ ଗୁଡ଼ିକ ସଂଯୁକ୍ତ କରାଯାଇ ଅଛି । ସେହି ବତା ୪ ଖଣ୍ଡି ୪ ଗୋଟି ଗୋଡ଼ର କାର୍ଯ୍ୟ କରୁଅଛି ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ଅଳିଆ କାଗଜ ଟୋକେଇ ନିମନ୍ତେ ଫରମାର ଛକ ଦୁଇଟି ଉପରୁ ମାପ ନେଇ ସରୁ ବତାର ଦୁଇଗୋଟି ମୁଣ୍ଡଳି ବାନ୍ଧିବ । ୨ ନମ୍ବର ଓ ୩ ନମ୍ବର ଚିତ୍ର ଦେଖ । ଛୋଟ ମୁଣ୍ଡଳିଟି କାଢ଼ିନେଇ ତହିଁରେ ସୂତା ବା କନାଧଡ଼ି ବା କଦଳୀ ପଟୁକା ବା କୌଣସି ପଟଦ୍ୱାରା କାଇଁଚ ଗୁଡ଼ିଏ ଗୁଡ଼ାଇ ଗୁଡ଼ାଇ ଛନ୍ଦିଦେଇ ଯିବ । ତତ୍ପରେ ତାହାକୁ ଫରମା ଉପରେ ବସାଇ ଦେବ । ୪ ନମ୍ବର ଚିତ୍ର ଦେଖ । ସେହି ଛୋଟ ମୁଣ୍ଡଳିଠାରୁ ଆଉ ଟିକିଏ ବଡ଼ ଆଉ ଗୋଟିଏ ମୁଣ୍ଡଳି କରି ତହିଁ ଉପରୁ ଚଢ଼ାଇ ଦେଲେ ସମସ୍ତ କାଇଁଚ ଗୁଡ଼ିକ ଫରମାଟି ଦେହରେ ଲାଗିଯିବ । ଆବଶ୍ୟକୀୟ ଲମ୍ବ ଅପେକ୍ଷା ଅଧିକ ଲମ୍ବା କାଇଁଚଗୁଡ଼ିକର ଅଗ୍ରଭାଗ କାଟିଦେବ । କାଇଁଚଗୁଡ଼ିକୁ ସମାନ ବ୍ୟବଧାନରେ ଉପଯୁକ୍ତ ସ୍ଥାନରେ ବସାଇ ଦେଇ ତହିଁର ପେଟର ଯେ କୌଣସି ସ୍ଥାନରେ ଗୋଟିଏ ଖଡ଼ିକା ବସାଇ ତହିଁ ଉପରେ କାଇଁଚ ପାତିଆଦ୍ୱାରା ଛକି ପକାଇ ବା କେବଳ ବକ୍ରଭାବରେ ଗୁଡ଼ାଇ ଗୁଡ଼ାଇ ଗୋଟିଏ ସ୍ଥାନରେ ବୁଣି ବୁଲାଇ ଆଣିଲେ ସବୁଗୁଡ଼ିକ କାଇଁଚ ସ୍ଥିର ହୋଇ ରହିଯିବ । ତା ପରେ ଆଉ ଯେତେଗୋଟି ସେହିପରି ଖଡ଼ିକା ବସାଇ ବୁଣି ପାରିବ ବା ଅନ୍ୟ କୌଣସି ପ୍ରକାରରେ ବୁଣି ପାରିବ, ପଦାର୍ଥଟି ତେତେ ଶକ୍ତ ହେବ । ଶେଷକୁ ବଡ଼ ମୁଣ୍ଡଳିଟି ଉପରେ ଆଉ ଖଣ୍ଡିଏ ବତା ବସାଇ ତାହାକୁ ବଡ଼ ମୁଣ୍ଡଳି ସହିତ ବାନ୍ଧିବ । ତାହାହେଲେ କାଇଁଚଗୁଡ଼ିକ ଦୁଇ ବତାର ମଧ୍ୟଭାଗରେ ରହି ଶକ୍ତ ହୋଇଯିବ । ତା ପରେ ତହିଁର ତଳାରେ ଖଡ଼ିକା ଯୋଡ଼ି ବା ଖଣ୍ଡିଏ ବୁଣା ପଟି ଲଗାଇ ତଳର ମୁଣ୍ଡଳି ଓ ଉପରର ମୁଣ୍ଡଳି, ଉଭୟ ମୁଣ୍ଡଳି ଉପରେ ଯେ କୌଣସି ପ୍ରକାର ବୁଣିଦେଲେ କିମ୍ବା କେବଳ କାଇଁଚ ପାତିଆ ଗୁଡ଼ାଇ ଦେଲେ ପଦାର୍ଥ ସୁନ୍ଦର ଓ ଶକ୍ତ ହୋଇଯିବ । ୫ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଗୋଟିଏ ଫରମାର ସାହାଯ୍ୟରେ ବୁଣି ଯେତେଗୋଟି ପଦାର୍ଥ ପ୍ରସ୍ତୁତ କରିବ, ସେଗୁଡ଼ିକ ଏକ ମାପର ଓ ଏକ ପ୍ରକାରର ହୋଇ ପାରିବ ।

Image

(୬ ନମ୍ବର ଚିତ୍ର)

(୭ ନମ୍ବର ଚିତ୍ର)

ସେହିପରି ୬ ଓ ୭ ନମ୍ବର ଚିତ୍ର ଅନୁକରଣରେ କାଇଁଚର ଗୋଲ ପେଡ଼ି ବୁଣିବା ନିମନ୍ତେ କେବଳ ଖଣ୍ଡିଏ ଦୁଇଇଞ୍ଚ ଚଉଡ଼ା ଏକଇଞ୍ଚ ମୋଟ ଓ ଦେଢ଼ଫୁଟ ଲମ୍ବା ପଟା ନେବ; ତହିଁରେ ୬, ୭, ୮, ୯, ୧୦ ଓ ୧୧ ଇଞ୍ଚ ବା ଯେଉଁ ମାପର ପେଡ଼ି କରିବାକୁ ଇଚ୍ଛା କରିବ, ତେତିକି ଅନ୍ତରରେ ଦୁଇ ପାଖରେ ଗୋଟିଏ ଗୋଟିଏ ଲେଖାଏଁ ଖାପ ଖୋଳିବ । ଏକ ଇଞ୍ଚ ଚଉଡ଼ାର ଦୁଇଗୋଟି ଖିଲ ତାଞ୍ଛି ରଖିବ । ଯେତେବେଳେ ଯେଉଁ ମାପର ପେଡ଼ି କରିବ, ସେହି ମାପରେ ପଟା ଖଣ୍ଡିକର ଖାପରେ ଖିଲ ଦୁଇଟି ବସାଇ ଦେଇ ସେହି ମାପରେ ତଳାଟି ଗୋଲ କରି ବୁଣି ସେହି ଖିଲ ଦୁଇଟି ମଧ୍ୟରେ ବସାଇ ଦେବ, ଯେପରି ତହିଁର ଦୁଇପାଖ ଦୁଇ ଖିଲ ସଙ୍ଗେ ଲାଗିଯିବ-। ବର୍ତ୍ତମାନ ତାହାର ପାର୍ଶ୍ୱ ବା କାନ୍ଥି ଉଠାଇବା ନିମନ୍ତେ ବୁଣିବ । ଯେତେ ଉଚ୍ଚ କରିବ ଖିଲ ଦୁଇଟି ସଙ୍ଗେ ଲଗାଇ ଲଗାଇ ବୁଣିଲେ ସହଜରେ ଠିକ୍‌ ସେହି ମାପରେ ଚାଲିବ । ତାହାହେଲେ ପାର୍ଶ୍ୱର ମାପ କମ୍‌ ବେଶି ହେବ ନାହିଁ ଓ ସିଧା ଉଠିବ ।

 

ଏହି ଏକ ମାପରେ ଯେତେ ପେଡ଼ି କିଆରି କରିବାକୁ ଇଚ୍ଛା କରିବ, ଠିକ୍‌ ଏକ ମାପର ତେତେ ପେଡ଼ି କରି ପାରିବ ।

 

ଏହି ଅନୁକରଣରେ ଯେ କୌଣସି ପଦାର୍ଥ ବୁଣିବ, ତହିଁର ଗୋଟିଏ ଗୋଟିଏ ଫରମା ବା ମାପର ଆଦର୍ଶ ପ୍ରଥମେ ପ୍ରସ୍ତୁତ କରି ତହିଁ ସାହାଯ୍ୟରେ ବୁଣିଲେ ଏକ ପ୍ରକାରର ଓ ଏକ ମାପର ଅଧିକ ପଦାର୍ଥ ସହଜରେ ବୁଣା ହୋଇ ପାରିବ ।

•••

 

ଗୋଟା କାଇଁଚର ବିଞ୍ଚଣା

 

ଗୋଟା କାଇଁଚରେ ନାନା ପ୍ରକାର ବିଞ୍ଚଣା ବୁଣାଯାଏ । ବିଞ୍ଚଣା ବୁଣିବା ନିମନ୍ତେ ପ୍ରଥମେ ସମାନ ମୋଟ କାଇଁଚ ଗୁଡ଼ିଏ ବାଛି ରଖିବ ଏବଂ କାଇଁଚ ପାତିଆଗୁଡ଼ିଏ ପରିଷ୍କାର କରି ତହିଁର ଅନ୍ତି ସଫା କରି ଦେଇ ସେଗୁଡ଼ିକ ଭାଗ କରି ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗାଇ ନେବ । ବିଞ୍ଚଣାରେ ଯେଉଁଠାରେ ଯେଉଁ ରଙ୍ଗ ଦେଇ ଯେଉଁ ପ୍ରକାର ଚିତ୍ରିତ କରିବାକୁ ଇଚ୍ଛା କରିବ, ସେହି ଅନୁସାରେ ପ୍ରଥମେ ଖଣ୍ଡିଏ କାଗଜ ଉପରେ ଚିତ୍ର ଆଙ୍କି ନେବ । ସେହି ଚିତ୍ରକୁ ମାପ ରଖି ବିଞ୍ଚଣାଟି ବୁଣିବାର ଆରମ୍ଭ କରିବ ।

Image

(୧ ନମ୍ବର ଚିତ୍ର)

ଚିତ୍ରକୁ ନଜର ରଖି ଏକ ପାଖରୁ ବିଞ୍ଚଣାକୁ ଆରମ୍ଭ କରିବ । ପ୍ରଥମେ ଦୁଇଗୋଟି କାଇଁଚ ଧରିବ । ତହିଁରେ ଗୋଟିଏ ଜାଗାରେ ଖଣ୍ଡିଏ କାଇଁଚ ପାତିଆ ଯୋଡ଼ିଦେବ । ଚିତ୍ରର ମାପ ଅନୁସାରେ ଯେତେ ଗୋଟି ସ୍ଥାନରେ ଯେତେଗୋଟି ପାତିଆ ଲଗାଇବା ଆବଶ୍ୟକ ହେବ, ତେତେଗୋଟି ସ୍ଥାନରେ ତେତେଗୋଟି ପାତିଆ ଲଗାଇବ । ବୁଣିବା ବେଳେ ଯେଉଁଠାରେ ପାତିଆ ଲଗାଇବାକୁ ହେବ ବା ଯୋଡ଼ିବାକୁ ହେବ, ସେଠାରେ ତାହା ଲଗାଉଥିବ ଏବଂ ଯୋଡ଼ୁଥିବ । ୧ ନମ୍ବର ଚିତ୍ର ଦେଖ ।

ପ୍ରଥମ ଦୁଇଟି କାଇଁଚରେ ଆଉ ଗୋଟିଏ କାଇଁଚ ଯୋଡ଼ିବ ଏବଂ ତାହାକୁ ପ୍ରଥମ ଦୁଇଗୋଟି କାଇଁଚ ମଧ୍ୟରୁ ଦ୍ୱିତୀୟ କାଇଁଚଟି ସଙ୍ଗେ ମିଶାଇ ଧରି ତହିଁ ଉପରେ ପୂର୍ବରୁ ଲାଗିଥିବା କାଇଁଚପାତିଆ ଗୁଡ଼ିକ ଥରେ ଲେଖାଏଁ ଗୁଡ଼ାଇ ଦେବ । ତା ପରେ ଆଉ ଗୋଟିଏ କାଇଁଚ ଯୋଡ଼ିବ । ଏହି ନୂତନ କାଇଁଚଟିକୁ ତହିଁ ପୂର୍ବ ଥରର କାଇଁଚ ଗୋଟିକ ସଙ୍ଗେ ମିଶାଇ ଧରି ସେହି ଦୁଇଟି ଉପରେ ପୂର୍ବରୁ ଲାଗିଥିବା କାଇଁଚ ପାତିଆଗୁଡ଼ିକ ଥରେ ଲେଖାଏଁ ଗୁଡ଼ାଇଦେବ ।

ଏହିପରି ଯେତେଗୋଟି ନୂତନ କାଇଁଚ ଯୋଡ଼ିବ, ତାହାକୁ ତାହାର ପୂର୍ବଥର ଯୋଡ଼ା ହୋଇଥିବା କାଇଁଚ ସଙ୍ଗେ ଏକତ୍ର ମିଶାଇ ଧରି ସେମାନଙ୍କ ଉପରେ ଥରେ ଲେଖାଏଁ କାଇଁଚ ପାତିଆ ଗୁଡ଼ାଇ ଦେଉଥିବ ।

ଯେଉଁ କାଇଁଚ ପାତିଆଗୁଡ଼ିକ ଗୁଡ଼ାଉଥିବ, ଚିତ୍ର ଅନୁସାରେ ସେଗୁଡ଼ିକ ଯେଉଁଆଡ଼କୁ ଚାଲିଥିବ, ତହିଁର ଦିଗ ପରିବର୍ତ୍ତନ କରିବାକୁ ହେଲେ ତାହାକୁ ଓଲଟାଇ ବୁଣିବାକୁ ପଡ଼ିବ । ଓଲଟାଇ ବୁଣିବା ସମୟରେ ଯେଉଁ କାଇଁଚଠାରୁ ବୁଣା ଫେରାଇବ, ସେହି କାଇଁଚଟିକୁ ପ୍ରଥମ କରି ଧରିବ ।

ତହିଁ ପରେ ଦ୍ୱିତୀୟ କାଇଁଚ ସଙ୍ଗେ ତୃତୀୟକୁ, ତୃତୀୟ କାଇଁଚ ସଙ୍ଗେ ଚତୁର୍ଥକୁ ଓ ଚତୁର୍ଥ କାଇଁଚ ସଙ୍ଗେ ପଞ୍ଚମକୁ ଏହି କ୍ରମରେ କାଇଁଚଗୁଡ଼ିକ ଉପରେ ପାତିଆ ଗୁଡ଼ାଇବାକୁ ହେବ । ମାତ୍ର ପ୍ରତିଥର କେବଳ ଦୁଇଟି ଲେଖାଏଁ କାଇଁଚ ଉପରେ ପାତିଆଟି ଗୁଡ଼ାଇ ଗୁଡ଼ାଇ ଫେରାଇବ ।

ଏହି ପ୍ରକାର ବୁଣାରେ ଇଚ୍ଛାମତେ ସବୁପ୍ରକାର ଚିତ୍ର କରି ହେବ ନାହିଁ । କେବଳ ଉପରୁ ତଳକୁ ଏବଂ ତଳୁ ଉପରକୁ ପାତିଆ ଗୁଡ଼ାଇ ଗୁଡ଼ାଇ ଯେଉଁ ଚିତ୍ର ସମ୍ଭବ, କେବଳ ସେହିପରି ଚିତ୍ର କରାଯାଇ ପାରିବ । ୨ ନମ୍ବର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ବିଞ୍ଚଣା ନିର୍ଦ୍ଧାରିତ ଆକାରରେ ବୁଣା ହୋଇଗଲେ ତହିଁର ଚାରିପାଖ କାଟିଦେଇ ଦାଢ଼ରେ ଦୁଇ ପାଖରୁ ଦୁଇଗୋଟି ସରୁ ସରୁ ମୁଣ୍ଡଳି ଖଞ୍ଜିବ । ମୁଣ୍ଡଳି ଦୁଇଟି ଉପରେ ଭିନ୍ନ ଭିନ୍ନ ରଙ୍ଗର ଚିରା କାଇଁଚ ପାତିଆ ଗୁଡ଼ାଇ ଦେବ । ତା ପରେ ୧ମ ଖଣ୍ଡ ପୁସ୍ତକର ୯ ପୃଷ୍ଠାରେ ତାଳପତ୍ରର ବିଞ୍ଚଣାରେ ଯେପରି ବେଣ୍ଟ ଓ ନଳ ଲଗାଇବାର ପ୍ରଣାଳୀ ବର୍ଣ୍ଣିତ ଅଛି, ସେହିପରି ଏଥିରେ ବେଣ୍ଟ ଓ ନଳ ଲଗାଇ ଦେବ । ୩ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

ଏହି ପ୍ରଣାଳୀରେ ବୁଣି ଚାରିକୋଣିଆ ବା ଅନ୍ୟ ଯେତେ କୋଣର ଓ ଯେଉଁ ଆକାରର ବିଞ୍ଚଣା କରିବାକୁ ଇଚ୍ଛା କରିବ, ସେହିପରି ଆକାରର ବିଞ୍ଚଣା କରି ପାରିବ । ୪ ନମ୍ବର ଚିତ୍ର ଦେଖ-। ତହିଁରେ ଯେଉଁ ବିଞ୍ଚଣାର ଚିତ୍ର ଦିଆଯାଇଅଛି ସେଥିରେ ଅନେକଗୁଡ଼ିଏ କୋଣ ରଖାଯାଇ ଅଛି ।

 

ଉପରିଉକ୍ତ ପ୍ରଣାଳୀରେ ବିଞ୍ଚଣା ବୁଣି ତହିଁରେ ମୁଣ୍ଡଳି ଖଞ୍ଜିବା ୪ ନମ୍ବର ଚିତ୍ର ପରି ଚାରିପାଖଯାକ ଶକ୍ତ କରି ମୁହଁ ବନ୍ଧା ହୋଇଥିବାରୁ ଏହି ବିଞ୍ଚଣାଟି ଟାଣ ହୋଇ ରହିଅଛି । ପୁଣି ୪ ନମ୍ବର ଚିତ୍ରରେ ବେଣ୍ଟଟି ବିଞ୍ଚଣାରେ ବୁଣା ହୋଇଥିବା କାଇଁଚର ଗୋଟିଏ ମୁଣ୍ଡରେ ଆଡ଼ବାଗରେ ଲାଗିଅଛି ।

Image

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

ବିଞ୍ଚଣାକୁ ୪ ନମ୍ବର ଚିତ୍ର ପରି ବୁଣି ତହିଁର ଚାରିପାଖରେ କୌଣସି ଟାଣ ପଦାର୍ଥ ନ ଲଗାଇ ଓ ସେପରି ମୁହଁ ନ ବାନ୍ଧି ଯେବେ ତାହାର ଦାଢ଼ରେ କେବଳ ଅଧଇଞ୍ଚ ପର୍ଯ୍ୟନ୍ତ ୫ ନମ୍ବର ଚିତ୍ର ପରି କାଇଁଚ ପାତିଆଦ୍ୱାରା ବୁଣିଦେବ ଏବଂ ବେଣ୍ଟକୁ ୬ ନମ୍ବର ଚିତ୍ର ପରି କାଇଁଚଗୁଡ଼ିକର ଆଡ଼ବାଗରେ ନ ଲଗାଇ ଯେବେ କାଇଁଚଗୁଡ଼ିକ ସଙ୍ଗେ ମିଳାଇ ସେଗୁଡ଼ିକ ଯେଉଁ ବାଟରେ ବୁଣା ଯାଇଅଛି, ଠିକ୍‌ ସେହି ବାଗରେ ଲଗାଇବ, ତେବେ ବିଞ୍ଚଣାଟିକୁ ବେଣ୍ଟରେ ଗୁଡ଼ାଇ ରଖି ଦିଆଯାଇ ପାରିବ । ଏଭଳି ବିଞ୍ଚଣା ବିଦେଶକୁ ଯିବା ଆସିବା ବେଳେ ସଙ୍ଗରେ ନେବା ଆଣିବାପାଇଁ ଅଧିକ ସୁବିଧାଜନକ ହେବ ।

 

ଏହି ପ୍ରକାର ବୁଣାରେ ଛୋଟ ଛୋଟ ପରଦା (Screen) ବେଶ୍‌ ଚିତ୍ରିତ କରି ବୁଣାଯାଇ ପାରିବ । ଜାପାନ ପ୍ରଭୃତି ବିଦେଶରୁ ଭିନ୍ନ ଭିନ୍ନ ପ୍ରକାର ଛୋଟ ଛୋଟ ପରଦା ଏଠାରେ ଆସି ବିକ୍ରୟ ହେଉଅଛି । ଏରୂପ ପରଦା ସାଧାରଣତଃ କାନ୍ଥ ଓ ଦୁଆରମୁହଁକୁ ସଜାଇବା ନିମନ୍ତେ ଲୋକେ କିଣି କାନ୍ଥରେ ଓ ଦୁଆରମୁହଁରେ ଟାଙ୍ଗନ୍ତି । କାଇଁଚର ଏରୂପ ପରଦା ପ୍ରସ୍ତୁତ କଲେ ତାହା ସଜାଇବା ନିମନ୍ତେ ଅଧିକ ମନୋରମ ହେବ । ଏହି ପରଦାକୁ ଅଧିକ ଚଉଡ଼ାରେ ବୁଣି ପାରିଲେ ଛୋଟ ଛୋଟ ଝରକାରେ ମଧ୍ୟ ଟଙ୍ଗାଯାଇ ପାରିବ । ୬ ନମ୍ବର ଚିତ୍ରପରି ପରଦା ଆରମ୍ଭ କରି ବୁଣିବ ।

•••

 

ଦୋହରି କାଇଁଚ ବୁଣା

 

ଏକ ପରସ୍ତ ଗୋଟା କାଇଁଚ ଉପରେ ଆଉ ଏକ ପରସ୍ତ ଗୋଟା କାଇଁଚ ଆଡ଼ବାଗରେ ଖଞ୍ଜି ତହିଁରେ ସୁନ୍ଦର ପଙ୍ଖା, ବାକ୍‌ସ ଓ ଅନ୍ୟାନ୍ୟ ପଦାର୍ଥମାନ କରାଯାଇ ପାରିବ । ଆଡ଼ବାଗରେ ଦୁଇପରସ୍ତ ଗୋଟା କାଇଁଚ ରହିଲେ ତହିଁରେ ଯେଉଁ ପଦାର୍ଥ ହେବ, ତାହା ବେଶ୍‌ ଶକ୍ତ ହେବ, କିନ୍ତୁ ଏହା କାଇଁଚ ପାତିଆଦ୍ୱାରା ଛନ୍ଦାଯାଇ ପାରିବ ନାହିଁ । ଏହାକୁ ସୂତାଦ୍ୱାରା ଛନ୍ଦିବାକୁ ହେବ । ଭିନ୍ନ ଭିନ୍ନ ରଙ୍ଗର ସୂତାରେ ଭିନ୍ନ ଭିନ୍ନ ପ୍ରକାରର ଚିତ୍ର ପକାଇ ଛନ୍ଦିଲେ ଏଥିରେ ପଦାର୍ଥଗୁଡ଼ିକ ଅତି ସୁନ୍ଦର ଦେଖାଯିବ ।

Image

(୧ ନମ୍ବର ଚିତ୍ର)

ଏହିପରି ବୁଣିବାପାଇଁ ପ୍ରଥମେ ଦୁଇଗୋଟି କାଇଁଚ ଏକାଠି ଯୋଡ଼ି ଧରିବ । ତହିଁର ଗୋଟିଏ ମୁଣ୍ଡରେ ଖଣ୍ଡିଏ ସୂତା ବାନ୍ଧିବ । ଆଉ ଗୋଟିଏ କାଇଁଚ ଆଣି ୧ ନମ୍ବର ଚିତ୍ର ପରି ତହିଁରେ ଆଡ଼ବାଗରେ ଖଞ୍ଜିବ ଏବଂ ସୂତାଟି ତହିଁରେ ଥରେ ଗୁଡ଼ାଇ ଦେବ । ପୁଣି ଆଉ ଗୋଟିଏ କାଇଁଚ ସେହିପରି ଆଣି ତାହା ସହିତ ଯୋଡ଼ି ଖଞ୍ଜିବ ଏବଂ ସୂତାଟି ଥରେ ଗୁଡ଼ାଇ ଦେବ । ଏହିପରି ଗୋଟିଏ ଗୋଟିଏ କରି କାଇଁଚ ନେଇ ତହିଁ ସଙ୍ଗରେ ଯୋଡ଼ି ଯୋଡ଼ି ଓ ସୂତାରେ ଗୁଡ଼ାଇ ଗୁଡ଼ାଇ ପଦାର୍ଥଟିକୁ ଯେତେ ଲମ୍ବା ଓ ଚଉଡ଼ା କରିବାର ଥିବ, ସେହି ପରିମାଣ ପର୍ଯ୍ୟନ୍ତ ପ୍ରଥମ କାଇଁଚ ଦୁଇଗୋଟି ଉପରେ ଏହି କାଇଁଚଗୁଡ଼ିକ ଏକପରସ୍ତ ଆଡ଼ବାଗରେ ଛନ୍ଦି ଦେବ ।

Image

(୨ ନମ୍ବର ଚିତ୍ର)

ତା ପରେ ତାହାକୁ ଓଲଟାଇ ଧରିବ । ଓଲଟାଇ ଧରିଲେ ପ୍ରଥମ ଦୁଇଗୋଟି କାଇଁଚ ଉପରକୁ ରହିବ ଏବଂ ତହିଁରେ ଛନ୍ଦା ହେବା କାଇଁଚ ପରସ୍ତଟି ତଳକୁ ରହିବ । ଏଥର ସେହି କାଇଁଚ ଦୁଇଟି ସଙ୍ଗରେ ଆଉ ଗୋଟିଏ ଗୋଟିଏ କାଇଁଚ ଯୋଡ଼ି ପ୍ରତିଥର ପ୍ରତି କାଇଁଚର ଦୁଇ ମୁଣ୍ଡକୁ ଛନ୍ଦା ହୋଇ ଯାଇଥିବା କାଇଁଚ ପରସ୍ତଟିର ଦୁଇପାଖର ଶେଷ ଦୁଇଟି ଲେଖାଏଁ କାଇଁଚ ସଙ୍ଗରେ ଛନ୍ଦି ଦେଉଥିବ । ୨ ନମ୍ବର ଚିତ୍ର ଦେଖ । ଏହିପରି କ୍ରମାଗତ ଛନ୍ଦିଗଲେ ପ୍ରଥମ ଏକପରସ୍ତ କାଇଁଚ ଉପରେ ଆଉ ଏକପରସ୍ତ କାଇଁଚ ଆଡ଼ବାଗରେ ପଡ଼ିଯିବ । ତା ପରେ ତହିଁରେ ଯେଉଁ ଭଳି ଚିତ୍ର କରିବାକୁ ଇଚ୍ଛା କରିବ, ଆଗେ ତାହା ସ୍ଥିର କରି ସେହି ଅନୁସାରେ ଭିନ୍ନ ଭିନ୍ନ ରଙ୍ଗ ସୂତାରେ ବୁଣିଯିବ ।

 

ଏଥିରେ ପ୍ରଥମେ ଏହି କାଇଁଚକୁ ଦୁଇପରସ୍ତ କରିବା ଯେତେ କଠିନ, ତାହାକୁ ବୁଣିବା ତେତେ କଠିନ ବୋଧହୁଏ ନାହିଁ । କାଇଁଚଗୁଡ଼ିକ ସହଜେ ଚିକଣ, ଗୋଟିଏ ପରସ୍ତ ଉପରେ ଆଉ ଗୋଟିଏ ପରସ୍ତ ବସାଇଲା ବେଳକୁ ଏଣେତେଣେ ଖସିଯାଏ, ବଙ୍କା ତେଢ଼ା ହୋଇଯାଏ । ପଦାର୍ଥଟି ବୁଣିବା ବେଳକୁ ତହିଁରେ ନାନା ପ୍ରକାର ଦୋଷ ଦେଖାଯାଏ ।

Image

(୩ ନମ୍ବର ଚିତ୍ର)

କାଇଁଚକୁ ଦୁଇପରସ୍ତ କରିବାପାଇଁ ଆଉ ଗୋଟିଏ ସରଳ ଉପାୟ ଏଠାରେ ଦିଆଯାଇଅଛି । ତହିଁରେ ଏହା ଅପେକ୍ଷା ସହଜରେ କାଇଁଚଗୁଡ଼ିକ ଦୁଇପରସ୍ତ କରି ନେଇ ପାରିବ-। ମାତ୍ର ପ୍ରଥମରୁ ତହିଁର ଦେହଟି ଭାଗ ଭାଗ ହୋଇଯିବ । ତହିଁରେ ଯେଉଁ ଚିତ୍ର ଉଠାଇବ ତାହା ସେହି ଭାଗଗୁଡ଼ିକୁ ନେଇ କରିବାକୁ ପଡ଼ିବ । ସେଥି ନିମନ୍ତେ ୩ ନମ୍ବର ଚିତ୍ର ପରି ଆଗେ ଖଣ୍ଡିଏ ଫରମା ବାନ୍ଧି ନେବ । ଫରମା ଖଣ୍ଡିକ ବାଉଁଶର ବତାରେ କରି ପାରିବ କିମ୍ବା ଲୁହା ପାତିଆରେ ମଧ୍ୟ କରି ପାରିବ ।

 

ପ୍ରଥମେ ସେହି ଫରମାରେ କେବଳ ତହିଁର ମଝିର ଚାରି କୋଣିଆ ଅଂଶ ଉପରେ କାଇଁଚ ଗୁଡ଼ିଏ ପାରିଦେଇ ତାହାକୁ ହାତରେ ଖେଳାଇ ଦେବ ଏବଂ ଦୁଇ ମୁଣ୍ଡରେ ହାତ ମାରି ସମାନ କରିଦେବ । ତାହାହେଲେ ସହଜରେ ସେହି ସ୍ଥାନରେ ଏକପରସ୍ତ କାଇଁଚ ବିଛାଇ ହୋଇଯିବ । ୪ ନମ୍ବର ଚିତ୍ରପରି ଦୁଇଖଣ୍ଡି ପାତିଆ ସେହି କାଇଁଚ ଉପରେ ଫରମାର ଆଡ଼ି ଦୁଇଟିର ସମାନରେ ରଖି ତାହାକୁ ଚାରି କୋଣରେ ଚାରିଗୋଟି ଗଣ୍ଠି ଦେଇ ବାନ୍ଧିଦେବ । ତା ପରେ ସେହି କାଇଁଚ ଉପରେ ୫ ନମ୍ବର ଚିତ୍ର ପରି ଆଉ ଏକ ପରସ୍ତ କାଇଁଚ ଆଡ଼ ବାଗରେ ପାରିଦେବ । ତହିଁ ଉପରେ ଆଉ ଦୁଇଖଣ୍ଡି ଛୋଟ ଛୋଟ ପାତିଆ ଫରମାର ବାହି ଦୁଇଟିର ସମାନରେ ରଖି ଚାରିଗୋଟି ଗଣ୍ଠି ବାନ୍ଧିଦେବ । ଏଥିରେ ଏହି ଚାରି କୋଣିଆ ଅଂଶଟିରେ ସମ୍ପୂର୍ଣ୍ଣ ଦୁଇ ପରସ୍ତ କାଇଁଚ ସ୍ଥିର ହୋଇ ରହିଯିବ । ଏହି ଅଂଶଟିରେ ବୁଣିଦେଲେ ତାହା ଶକ୍ତ ହୋଇଯିବ । ଏହାପରେ ଯେଉଁ ଛୋଟ ଛୋଟ ପାତିଆଗୁଡ଼ିକ ଲଗାଯାଇଥିଲା, ସେଗୁଡ଼ିକ ଫିଟାଇ କାଢ଼ିଦେବ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ମଝିର ଚାରି କୋଣିଆ ଅଂଶଟି ଶକ୍ତ ହୋଇ ରହିଗଲେ ତହିଁର ଚାରିପାଖର ଅବଶିଷ୍ଟ ଅଂଶ ଗୁଡ଼ିକରେ ଆଡ଼ବାଗରେ କାଇଁଚ ଖଞ୍ଜି ସେହି ସବୁ ଅଂଶକୁ ଦୁଇପରସ୍ତ କରିବା ସହଜ ହେବ-। ତହିଁରେ କାଇଁଚ ଖଞ୍ଜିବା ପାଇଁ ସେହି ଅଂଶ ମଧ୍ୟରୁ ଗୋଟିଏ ପାଖ ନେଇ ତହିଁ ଉପରେ କାଇଁଚ ଗୁଡ଼ିଏ ସେହି ପାଖରେ ମଝିର କାଇଁଚ ପରସ୍ତ ସଙ୍ଗେ ସମାନ ରଖି ପାରିଦେବ ଏବଂ ସେହି ଅଂଶ ଉପରେ ପାତିଆ ଦେଇ ଚାରିକୋଣରେ ଚାରିଗୋଟି ଗଣ୍ଠି ବାନ୍ଧି ଦେବ । ତା ପରେ ତହିଁରେ ମଧ୍ୟ ବୁଣିଦେବ । ସେହିପରି ଅନ୍ୟ ଅଂଶ ଗୁଡ଼ିକରେ ଉପର ଉକ୍ତ ମତେ କାଇଁଚ ପକାଇ ଦୁଇ ପରସ୍ତ କରି ତାହାକୁ ବୁଣିବ । ଚାରି ପାଖରେ ଚାରିଥର ଏହିପରି କାଇଁଚ ପକାଇ ବୁଣିବାକୁ ହେବ-। ସମସ୍ତ ପଦାର୍ଥଟି ଦୁଇପରସ୍ତ ହୋଇଗଲେ ତହିଁରେ ଯେପରି ଚିତ୍ର କରିବାକୁ ଇଚ୍ଛା କରିବ, ସେପରି ଚିତ୍ରକୁ ଲକ୍ଷ୍ୟ କରି ବୁଣି ପାରିବ । ଏଥିରେ ଯେଉଁ ପ୍ରକାର ଚିତ୍ର କରିବ ତାହା ପୂର୍ବରୁ ଆଙ୍କି ରଖିବ କିମ୍ବା ମନେ ମନେ ସ୍ଥିର କରି ନେବ । ସେହି ଅନୁସାରେ ଭିନ୍ନ ଭିନ୍ନ ରଙ୍ଗର ସୂତାରେ ଏହାକୁ ବୁଣିବ-। ଛୁଞ୍ଚି ସାହାଯ୍ୟରେ ଏହା ବୁଣିବାକୁ ହେବ ।

Image

(୬ ନମ୍ବର ଚିତ୍ର)

କାଇଁଚ ଗୁଡ଼ିକ ଦୁଇ ପରସ୍ତ ହୋଇ ରହିଗଲେ ତହିଁର ଦେହଯାକ ଜାଲପରି ଛିଦ୍ରମୟ ଦେଖାଯିବ । ଜାଲ ଜାଲୁଆ କେର ପାଲ ଖଣ୍ଡେ ଖଣ୍ଡେ ନେଇ ତହିଁରେ ମଧ୍ୟ ଛୁଞ୍ଚି ସୂତାରେ ନାନା ପ୍ରକାର ଚିତ୍ର ବିଚିତ୍ର କରି କାର୍ପେଟ ଆସନ ବୁଣାଯାଏ । ମାତ୍ର ତାହାର ବୁଣା ଠାରୁ ଏହାର ବୁଣା ପୃଥକ୍ । ସେଥିରେ ଛୁଞ୍ଚିଟିକୁ ଗୋଟିଏ ଛିଦ୍ରରେ ପୂରାଇ ଯେଉଁଆଡ଼େ ଇଚ୍ଛା ସେହି ଆଡ଼କୁ ସୂତା ଚଳାଇ ନେଇ ପାରିବ, କିନ୍ତୁ କାଇଁଚ ବୁଣାରେ ବିଶେଷତ୍ୱ ଏତିକି ଯେ, ଯେଉଁଠାରେ ଏକ ପାଖରୁ ଛୁଞ୍ଚିଟି ଫୁଟାଇଦେବ ତାହା ତହିଁର ଅପର ପାଖରେ ସିଧା ଭାବରେ ଗତି ନ କରି ଆଉଗୋଟିଏ ଦିଗକୁ ଗତି କରିବ ଏବଂ ସେଠାରେ ଆଉ ଦୁଇଗୋଟି କାଇଁଚକୁ ଛନ୍ଦି ପୁନରାୟ ଛୁଞ୍ଚିଟିକୁ ଫେରାଇ ଆଣିବାକୁ ପଡ଼ିବ । ଏକପାଖରେ ସେହିପରି ବୁଣି ବୁଣି ଯେଉଁ ଚିତ୍ରଟି ଅଙ୍କିତ ହୋଇଯିବ, ତହିଁର ଆର ପାଖରେ ମଧ୍ୟ ଠିକ୍ ସେହିପରି ଚିତ୍ର ଗୋଟିଏ ହେବ । ମାତ୍ର ତହିଁର ବନ୍ଧା ଦୁଇପାଖର ସମାନ ହେବ ନାହିଁ । ଏକ ପାଖରେ ସୂତାର ଗତି ତଳୁ ଉପରକୁ ହେଲେ ଅନ୍ୟ ପାଖରେ ତାହା ବାମରୁ ଡାହାଣକୁ ବା ଡାହାଣରୁ ବାମକୁ ହେବ ।

 

ଯେଉଁ ଛିଦ୍ର ଗୁଡ଼ିକରେ ବୁଣିବାକୁ ହେବ, ସେଗୁଡ଼ିକ ଏପାଖକୁ ସେପାଖ ସଫା ଦେଖା ଯାଉଥିବ; ତେଣୁ ବୁଣିବାକୁ କିଛି କଠିନ ହେବ ନାହିଁ । ଏଥିରେ ଯେତେ ବୁଣି ଯାଉଥିବ ଏବଂ ଯେତେ ଚିତ୍ର ଅଙ୍କିତ ହୋଇ ଯାଉଥିବ, ପଦାର୍ଥଟି ତେତେ ଶକ୍ତ ଓ ସୁନ୍ଦର ହେଉଥିବ ।

Image

(୭ ନମ୍ବର ଚିତ୍ର)

ଏଥିରେ ହାତପଙ୍ଖା ବା ଫ୍ୟାନ୍ (Fan) କରିବାପାଇଁ ଯେତିକି ବୁଣିବାର ଆବଶ୍ୟକ ଏବଂ ପୂର୍ବରୁ ଭାବିଥିବା ଅନୁସାରେ ଯେଉଁ ଆଡ଼କୁ ଯେପରି ବୁଣିବାର ତାହା ବୁଣିସାରି, ବୁଣା ନ ହୋଇଥିବା ଅଂଶକୁ ଚାରି କୋଣରୁ ୭ ନମ୍ବର ଚିତ୍ର ପରି କାଟି ଦେଲେ ୮ଗୋଟି କୋଣର ଗୋଟିଏ ସୁନ୍ଦର ପଙ୍ଖା ବା ଫ୍ୟାନ୍ ହେବ ।

 

ଏହି ପ୍ରକାର ଫ୍ୟାନ୍ (Fan) ଗୋଲ, ଆଠ କୋଣିଆ, ଅଣ୍ଡାକୃତି ଓ ଅନ୍ୟାନ୍ୟ ଅନେକ ଆକାରର କରାଯାଇ ପାରେ । ଯେପରି କରିବାକୁ ଇଚ୍ଛା କରିବ, ପ୍ରଥମରୁ ଭାବି ସେହି ଅନୁସାରେ ଆଗେ ବୁଣି ତା ପରେ ହାତରେ ଚାରିପାଖ କଇଞ୍ଚିରେ କାଟିଦେବ ।

 

ପଙ୍ଖାର ଦାଢ଼ରେ ଅଳ୍ପ ଓସାରର ଖଣ୍ଡିଏ କନା ଚାରିପାଖରେ ସିଲାଇ କରି ଧଡ଼ି ବାନ୍ଧିଦେବ ଏବଂ କନା ପାଖେ ପାଖେ ଗୋଟା କାଇଁଚ ଯୋଡ଼ିଏ ଲେଖାଏଁ ଦୁଇ ପାଖରେ ବସାଇ ମଧ୍ୟେ ମଧ୍ୟେ ଗୋଟିଏ ଗୋଟିଏ ଗଣ୍ଠି ବାନ୍ଧିଦେଲେ ର୍ମୋଖିବାକୁ ପଙ୍ଖାଟି ଆହୁରି ସୁନ୍ଦର ହେବ ।

 

ଶେଷକୁ ୭ ନମ୍ବର ଚିତ୍ର ପରି ଖଣ୍ଡିଏ କାଠର ହତା ଲଗାଇଦେଲେ ଅତି ସୁନ୍ଦର ହାତପଙ୍ଖା ବା ହାଣ୍ଡଫ୍ୟାନ୍ (Handfan) ହେବ ।

•••

 

ଦୋହେରି କାଇଞ୍ଚର ବାକ୍‌ସ

 

ଉପରିଉକ୍ତ ପ୍ରଣାଳୀରେ ଦୋହରି କାଇଁଚ ବୁଣି ନାନାପ୍ରକାର ଚାରିକୋଣିଆ ବାକ୍‌ସ ବା ଅନ୍ୟାନ୍ୟ ପଦାର୍ଥ ସହଜରେ କରି ପାରିବ । ଗୋଟିଏ ବାକ୍‌ସ କରିବାକୁ ହେଲେ ବାକ୍‌ସର ଉପର ଡାଲା ମାପର ୧ ଖଣ୍ଡ, ତହିଁର ତଳା ମାପର ୧ ଖଣ୍ଡ ଓ ଚାରିପାଖର ମାପରେ ୪ ଖଣ୍ଡ, ଏରୂପ ୬ଖଣ୍ଡ ବୁଣି ସେଗୁଡ଼ିକ ବାକ୍‌ସ ଆକାରରେ ଯୋଡ଼ି ସୂତାଦ୍ୱାରା ଗୁନ୍ଥିଦେବ । କେବଳ ଉପରର ଡାଲାଟି ଏକପାଖରେ ସୂତାର ସିକୁଳି ଦେଇ ଖଞ୍ଜିବ, ଯେପରି ତାହା ସହଜରେ ବୁଜି ହେବ ଏବଂ ଫିଟାଇ ହେବ । ଅନ୍ୟ ପାଖରେ ମଧ୍ୟ ସେହି ସୂତାରେ ଖଣ୍ଡିଏ ସିକୁଳି ବୁଣି ଲଗାଇ ଦେବ । ବାକ୍ସ ଦେହରେ ଖଣ୍ଡେ ଫିତା ବା ଚମଡ଼ା ଲଗାଇ ଗୋଟିଏ ଟିପା ବୋତାମ ଲଗାଇ ଦେଲେ ତାହା ସହଜରେ ବନ୍ଦ କରିହେବ ।

Image

(୮ ନମ୍ବର ଚିତ୍ର)

ଉପରର ଡାଲା ଉପରେ ଚାରି ପାଖରେ ଏବଂ ପ୍ରତି ପାଖର ଚାରିଆଡ଼େ ଦୁଇ ଗୋଟି ଲେଖାଏଁ ସମାନ ମୋଟର ମୋଟା କାଇଁଚ ବସାଇ ପ୍ରତି ଧାଡ଼ିରେ ୩ ଗୋଟି, ୪ ଗୋଟି ବା ୫ ଗୋଟି ଲେଖାଏଁ ସ୍ଥାନରେ ଛୁଞ୍ଚିରେ ଫୋଡ଼ି ଗଣ୍ଠି ବାନ୍ଧିଦେବ ଅଥବା କାଇଁଚର ଗୋଟିଏ ପଟି ବୁଣି ସବୁଆଡ଼େ ବସାଇଦେବ । ୮ନମ୍ବର ଚିତ୍ର ଦେଖ ।

 

ବାକ୍ସ ଭିତରେ କୋଠରି କରିବାପାଇଁ ମଧ୍ୟ ଭିତର ମାପ କରି ନେଇ ଯେଉଁଠାରେ ଯେତେ ଲମ୍ବା ଓ ଯେତେ ଚଉଡ଼ାର ଆବଶ୍ୟକ, ସେହି ମାପରେ ଖଣ୍ଡିଏ ଖଣ୍ଡିଏ ଉପରିଉକ୍ତ ପ୍ରଣାଳୀରେ ଦୋହରି କାଇଁଚର ତକ୍ତା ବୁଣି, ତାକୁ ଛୁଞ୍ଚି ସୂତାଦ୍ୱାରା ଗୁନ୍ଥି ବାକ୍‌ସର ଭିତରେ ବସାଇଦେବ ।

 

ସେହିପରି ଯେଉଁ ମାପର ଅନ୍ୟାନ୍ୟ ଚାରି କୋଣିଆ ଯେଉଁ ପଦାର୍ଥ କରିବାକୁ ଇଚ୍ଛା କରିବ, ଉପରିଉକ୍ତ ପ୍ରଣାଳୀରେ ଦୋହରି କାଇଁଚର ଖଣ୍ଡିଏ ଖଣ୍ଡିଏ ତକ୍ତା ବୁଣି ତାହାକୁ ଯୋଡ଼ି ତାହା କରି ପାରିବ ।

•••

 

ଖରି

 

ଖରି ଆମ ଦେଶରେ ନଈପଠାମାନଙ୍କରେ ବହୁ ପରିମାଣରେ ଜନ୍ମେ । ଯେଉଁ ଅଞ୍ଚଳରେ ପାନର ଚାଷ ଅଛି, ପାନ ବରଜ ହୁଏ, ସେଠାରେ ଲୋକେ ଏହି ଖରିଗୁଡ଼ିକ କାଟି ନେଇ ପାନ-ବରଜରେ ପାନଲତା ମଡ଼ାଇବାପାଇଁ ରଞ୍ଜା, ବରଜର ଚାରି ପାଖର ବାଡ଼ ଏବଂ ବରଜ ଉପରର ଛାଉଣି ନିମନ୍ତେ ବ୍ୟବହାର କରନ୍ତି । ଯେଉଁ ଅଞ୍ଚଳରେ ପାନର ଚାଷ ହୁଏ ନାହିଁ, ସେଠାରେ ଏଗୁଡ଼ିକ କେବଳ ଜାଳ ହୁଏ ।

ଖରିକାଠିଗୁଡ଼ିକର ସ୍ୱାଭାବିକ ରଙ୍ଗ ଯେପରି ସୁନ୍ଦର, ଉପରଟି ମଧ୍ୟ ସେହିପରି ଚିକ୍କଣ । ଏହା ଗୋଟିଏ ପ୍ରକୃତିଦତ୍ତ ମୂଲ୍ୟବାନ୍ ପଦାର୍ଥ । ଏହାକୁ ବ୍ୟବହାର କରି ଜାଣିଲେ ଏଥିରେ କେତେ ପ୍ରକାର ମୂଲ୍ୟବାନ୍ ପଦାର୍ଥ ପ୍ରସ୍ତୁତ ହୋଇ ପାରିବ । ପାରଳାଖିମିଡ଼ି ଅଞ୍ଚଳରେ ଏହାକୁ କହନ୍ତି ଜାଇକାଠି । ଏହାର ପାତିଆରେ ସୁନ୍ଦର ସୁନ୍ଦର ବାକ୍‌ସ, ବାଗ୍ (Bag), ଟୋପି ପ୍ରଭୃତି ତିଆରି ହୁଏ ।

ଖରିକାଠିଗୁଡ଼ିକୁ ସରୁ ସରୁ କରି ଚିରି ତାହାକୁ ପାଣିରେ ତିନ୍ତାଇ ଦେବ । ତିନ୍ତିଗଲେ ଖଣ୍ଡିଏ ଛୁରୀରେ ତାଞ୍ଛି ଦେଲେ ଅନ୍ତି ବାହାରିଯିବ । ଅନ୍ତିଗୁଡ଼ିକ ବାହାର କରି ଦେଇ ସମାନ ସମାନ ମୋଟା ସରୁ ସରୁ ପାତିଆଗୁଡ଼ିଏ ପ୍ରସ୍ତୁତ କରିବ ।

୧ ନମ୍ବର ଚିତ୍ର ଦେଖ । ତାଳପତ୍ରର ଚଟେଇ ବୁଣିବାର ଯେତେ ପ୍ରକାର ପ୍ରଣାଳୀ ଏହି ପୁସ୍ତକର ପ୍ରଥମ ଖଣ୍ଡରେ ବର୍ଣ୍ଣିତ ହୋଇଅଛି, ସେହି ସବୁ ପ୍ରଣାଳୀରେ ଏହି ପାତିଆଗୁଡ଼ିକ ବୁଣାଯାଇ ପାରିବ ।

Image

(୧ ନମ୍ବର ଚିତ୍ର)

ଏହି ପାତିଆରେ ବାଗ୍ (Bag) କରିବାକୁ ହେଲେ ସେହି ପ୍ରଣାଳୀ ମଧ୍ୟରୁ ଯେ କୌଣସି ପ୍ରଣାଳୀରେ ଗୋଟିଏ ଚଟେଇ ବୁଣିବାକୁ ଆରମ୍ଭ କରିବ । ଠିକ୍ ସେହି ମାପରେ ସାଧାରଣ ବାଉଁଶ ପାତିଆରେ ମଧ୍ୟ ଖଣ୍ଡିଏ ଚଟେଇ ସରଳ ବୁଣା ପ୍ରଣାଳୀରେ ବୁଣିବାକୁ ଆରମ୍ଭ କରିବ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

ବାଗ୍‌ଟିର ତଳା ମାପରେ ବୁଣା ହୋଇଗଲେ ତହିଁ ଉପରେ ଖଣ୍ଡିଏ ପଟା ରଖି ଚାରି ପାଖର ପାତିଆଗୁଡ଼ିକୁ ବଙ୍କେଇ କରି ଉପରକୁ ମୋଡ଼ିଦେବ । ପଟା ବଦଳରେ ଫରମା ଖଣ୍ଡିଏ ପ୍ରସ୍ତୁତ କରି ବସାଇ ବୁଣିଲେ ଆହୁରି ସୁବିଧା ହେବ । ୨ ନମ୍ବର ଚିତ୍ର ଦେଖ । ଏଥର ଖରି ପାତିଆଗୁଡ଼ିକ ଯେଉଁ ପ୍ରଣାଳୀରେ ବୁଣୁଥିବ, ସେହି ପ୍ରଣାଳୀରେ ଚାରି ପାଖରେ ଉପରକୁ ବୁଣିବ । ପାଖଗୁଡ଼ିକ ବାଗର ଆକାର ପର୍ଯ୍ୟନ୍ତ ବୁଣା ହୋଇଗଲେ ବାଉଁଶ ପାତିଆର ଚଟେଇ ଖଣ୍ଡିକୁ ମଧ୍ୟ ମୋଡ଼ି ତହିଁର ଚାରିପାଖ ସେହି ମାପ ପର୍ଯ୍ୟନ୍ତ ବୁଣିବ ଏବଂ ତାହାକୁ ଖରିପାତିଆର ବ୍ୟାଗ୍ (Bag) ଭିତରେ ଖଞ୍ଜି ଦେବ । ଦୁହିଙ୍କୁ ଏକାଠି ମିଶାଇ ଚାରି ପାଖରେ ମୁହଁ ବାନ୍ଧିଦେବ । ମୁହଁରେ ଖଣ୍ଡିଏ ଅଳ୍ପ ମୋଟ ବାଉଁଶପାତିଆ ଦେଇ ଡାମ୍ଫଣଦ୍ୱାରା ଫୋଡ଼ି ତହିଁ ଉପରେ କେବଳ ସରଳଭାବରେ ଖରିପାତିଆ ଗୁଡ଼ାଇ ଗୁଡ଼ାଇ ମୁହଁ ବାନ୍ଧିଦେବ । ୩ ନମ୍ବର ଚିତ୍ର ଦେଖ । ତା ପରେ ଦୁଇ ମୁଣ୍ଡ ଭାଙ୍ଗିଦେବ ଏବଂ ଦୁଇ ପାଖରେ ଦୁଇଖଣ୍ଡି ହତା ଲଗାଇ ଦେବ । ବନ୍ଦ କରିବା ପାଇଁ ଏକ ପାଖରେ ଦୁଇଗୋଟି ଆଙ୍କୁଶୀ ଓ ଅନ୍ୟ ପାଖରେ ଦୁଇ ଗୋଟି କୁହୁଣ୍ଡା ଲଗାଇ ଦେଇ ଖଣ୍ଡିଏ କାଠି ଲଗାଇ ଦେବ । ପ୍ରଥମ ଖଣ୍ଡରେ କୋରଟର ବ୍ୟାଗ୍ (Bag) ଆଦି ବନ୍ଦ କରିବା କାରଣ ଯେପରି କାଠି ଉପରେ ପାତିଆ ବୁଣି ଚାବି ପକାଇବାର ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହିପରି କାଠି ବୁଣି ଲଗାଇଲେ ସହଜରେ ଉକ୍ତ ବ୍ୟାଗ୍ (Bag)ରେ ଚାବି ପକାଇ ପାରିବ ।

 

ଗୋଟିଏ ବାଉଁଶର ଛୋଟ ଟେବୁଲ ବା ଟୁଲ୍ ବା ଟିପାଇ (Teapoy)ର ଫରମା ପ୍ରସ୍ତୁତ କରି ତହିଁ ଉପରର ପଟା ଖଣ୍ଡିକ ନିମନ୍ତେ ଆବଶ୍ୟକୀୟ ଲମ୍ବା ଓ ଚୌଡ଼ାର ଖଣ୍ଡିଏ ବାଉଁଶ ପାତିଆରେ ଚଟେଇ ବୁଣିବ । ତହିଁ ଉପରକୁ ଠିକ୍ ସେହି ମାପରେ ଖରିପାତିଆରେ ଆଉ ଖଣ୍ଡିଏ ଚଟେଇ ବୁଣିବ । ଏହି ଖରିପାତିଆର ଚଟେଇ ଖଣ୍ଡିକ ଡାଇମଣ୍ଡ୍, ଟୁଇଲ୍ ବା କଲୀଟୁଇଲ୍ ଆଦି ଯେ କୌଣସି ଗୋଟିଏ ପ୍ରଣାଳୀରେ ବୁଣିଲେ ସୁନ୍ଦର ହେବ । ବାଉଁଶ ପାତିଆର ଚଟେଇ ଉପରେ ଏହି ଖରି ପାତିଆର ଚଟେଇକୁ ସମତୁଲ କରି ବସାଇ ତହିଁର ଚାରି ପାଖରେ ତଳୁ ଓ ଉପରୁ ଦୁଇଖଣ୍ଡ ଲେଖାଏଁ ବତା ଯୋଡ଼ି ତାହାକୁ ଉତ୍ତମରୂପେ ବାନ୍ଧିଦେବ । ତହିଁ ଉପରେ ଏହି ପାତିଆ ଗୋଟିଏ ଗୁଡ଼ାଇ ବତାକୁ ଲୁଚାଇ ଦେବ । କିମ୍ବା ଅଫିସ୍ ଟ୍ରେ (Tray) ବା ଡାଲା ଆଦିର ମୁହଁ ବାନ୍ଧିବାପାଇଁ ତହିଁର ବୁଣିବାର ପ୍ରଣାଳୀ ଯାହା ପୂର୍ବେ ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ ଏହାର ଚାରିପାଖ ବୁଣିଦେବ । ପାତିଆ ଗୁଡ଼ାଇବା ପାଇଁ କିମ୍ବା ବୁଣିବାପାଇଁ ଗୋଟିଏ ଡାମ୍ଫଣରେ ବରାବର ଫୋଡ଼ି ପାତିଆ ଗଳାଇ ବୁଣିବାକୁ ପଡ଼ିବ । ତା ପରେ ତାହାକୁ ଟେବୁଲ୍‌ର ଫରମା ଉପରେ ଖଞ୍ଜି ଉତ୍ତମରୂପେ ବାନ୍ଧି ଦେଲେ ଗୋଟିଏ ସୁନ୍ଦର ବ୍ୟବହାର ଉପଯୋଗୀ ପଦାର୍ଥ ହେବ । ୪ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

ଖରିପାତିଆରେ ସୁଟ୍‌କେସ୍ ବା ବାକ୍ସ କରିବାକୁ ହେଲେ ସୁଟ୍‌କେସ୍‌ର ବା ବାକ୍ସର ମାପ ଅନୁସାରେ ଉପରର ଡାଲା ନିମନ୍ତେ ଏକଖଣ୍ଡ, ତଳା ନିମନ୍ତେ ଏକଖଣ୍ଡ ଓ ଚାରିପାଖ ନିମନ୍ତେ ଚାରିଖଣ୍ଡ ଏରୂପ ମୋଟ ଛଅଖଣ୍ଡ ଯେଉଁ ମାପର ଯେଉଁଠାରେ ଆବଶ୍ୟକ ହେବ, ସେହି ମାପ ଅନୁସାରେ ଖରିପାତିଆରେ ଚଟେଇ ବୁଣିବା ପରି ଡାଇମଣ୍ଡ ବା ଟୁଇଲ୍ ବୁଣା ପ୍ରଣାଳୀରେ ବୁଣିବ-। ଠିକ୍ ସେହି ସେହି ମାପରେ ଆଉ ୬ ଖଣ୍ଡ ବାଉଁଶ ପାତିଆରେ ସରଳ ବୁଣା ପ୍ରଣାଳୀରେ ଚଟେଇ ବୁଣିବ । ସେଗୁଡ଼ିକୁ ଯେ ଯାହା ସହିତ ମିଳିବ ତାହାକୁ ତାହା ସଙ୍ଗେ ମିଳାଇ, ଖଣ୍ଡିଏ ବାଉଁଶ ପାତିଆର ଏବଂ ଖଣ୍ଡିଏ ଖରିପାତିଆର ଏରୂପ ଦୁଇଖଣ୍ଡି ଲେଖାଏଁ ଯୋଡ଼ି ସବୁଗୁଡ଼ିକର ଦାଢ଼ ବାନ୍ଧିଦେବ । ତା ପରେ ବାଉଁଶପାତିଆ ଭିତରକୁ ରଖି ଓ ଖରିପାତିଆ ଉପରକୁ ରଖି ପ୍ରତି କୋଣରେ ଖଣ୍ଡିଏ ଖଣ୍ଡିଏ ବତା ଖଞ୍ଜି ଡାମ୍ଫଣରେ ଫୋଡ଼ି ସୁଟ୍‌କେସ୍ ବା ବାକ୍ସ ଆକାରରେ ଗୁନ୍ଥି ବାନ୍ଧିଦେବ । କୋଣ ବାନ୍ଧିବା ବେଳେ ବତାକୁ ମିଶାଇ ବାନ୍ଧିଲେ କୋଣ ଗୁଡ଼ିକ ଶକ୍ତ ହେବ । ୫ ନମ୍ବର ଚିତ୍ର ଦେଖ ।

 

ଉପର ଡାଲାର ଚାରି ଦାଢ଼ରେ, ପ୍ରତି ପାଖର ଚାରି ଦାଢ଼ରେ ଓ ତଳାର ଚାରି ଦାଢ଼ରେ ମଧ୍ୟ ଦୁଇଫାଳ ଲେଖାଏଁ ସରୁ ଖରି ବସାଇ ସେଗୁଡ଼ିକର ଦୁଇପାଖରେ ଛୁଞ୍ଚିରେ ଫୋଡ଼ି ଜାଗା ଜାଗା ବାନ୍ଧି ଦେଲେ ଦେଖିବାକୁ ସୁନ୍ଦର ହେବ । ଉପରର ଡାଲାଟି କବ୍‌ଜାଦ୍ୱାରା ହେଉ ବା ଖଣ୍ଡିଏ ଖଣ୍ଡିଏ ଚମଡ଼ା ଲଗାଇ ତହିଁରେ କଣ୍ଟାମାରି ଗୋଟିଏ ପାଖ ଲଗାଇ ଦେବ, ଯେପରି ତାହା ସହଜରେ ବୁଜି ହେବ ଏବଂ ଫିଟାଇ ହେବ । ଚାବି ପକାଇବା ନିମନ୍ତେ କୌଣସି ଧାତୁର କୁହୁଣ୍ଡା ଓ ଶିକୁଳି ବ୍ୟବହାର କରି ପାର । ଏଥିରେ ଚମଡ଼ାରେ ହତା ଲଗାଇ ପାରିବ ଅଥବା ପ୍ରଥମ ଖଣ୍ଡର ୫୩ପୃଷ୍ଠାରେ କୋରଟ ପାତିଆରେ ହତା ବୁଣିବାର ଯେଉଁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ କୋରଟ ପାତିଆରେ ବା ଏହି ପାତିଆରେ ହତା ବୁଣି ଲଗାଇଦେବ । ହତା ନିମନ୍ତେ ଏହି ପାତିଆ ଶକ୍ତ ହେବ ନାହିଁ; ତେଣୁ କୋରଟ ପାତିଆର ହତା ସୁବିଧାଜନକ ହେବ । ଭିତରେ ଏକ ପରସ୍ତ କନା ଲଗାଇଦେଲେ ଆହୁରି ଉତ୍ତମ ହେବ ।

 

ଚାରି କୋଣିଆ ଅନ୍ୟ ଯେ କୌଣସି ପଦାର୍ଥ ଏହି ପାତିଆରେ କରିବ ତାହା ଉପର ବର୍ଣ୍ଣିତ ପ୍ରଣାଳୀରେ କରି ପାରିବ । ଅଥବା ଖରିର ପାତିଆଗୁଡ଼ିଏ ପ୍ରସ୍ତୁତ କରି ତାହାକୁ ତାଳପତ୍ରର ଚଟେଇ ବୁଣିବା ପ୍ରଣାଳୀରେ ଗୋଟିଏ ସମତଳ ସ୍ଥାନରେ ପାରି ଦେଇ ତହିଁରେ ଯେ କୌଣସି ପ୍ରଣାଳୀରେ ତଳାଟି ବୁଣିବ । ତା ପରେ ପ୍ରତି ପାଖରେ ଖଣ୍ଡେ ପଟା ବା ପାତ ବା ଅନ୍ୟ କୌଣସି ଶକ୍ତ ପଦାର୍ଥ ରଖି ବୁଣା ଅଂଶ ବାଦ୍ ଅବଶିଷ୍ଟ ପାତିଆଗୁଡ଼ିକ ବଙ୍କାଇ ଉପରକୁ ମୋଡ଼ି ଦେବ । ଏହିପରି ଚାରି ପାଖର ପାତିଆଗୁଡ଼ିକ ଉଠାଇଦେଇ ଗୋଟିଏ ଗୋଟିଏ ପାତିଆ ତହିଁରେ ଲଗାଇ ଯେ କୌଣସି ପାଖରୁ ବୁଣିବାକୁ ଆରମ୍ଭ କରିବ ଏବଂ ସେହି ପାତିଆକୁ ଚାରି ପାଖରେ ବୁଲାଇ ବୁଣିଲେ ପଦାର୍ଥର ଚାରି କାନ୍ଥ ଉଠିଯିବ । ଶେଷକୁ ଉପରର ଡାଲା ଖଣ୍ଡିକ କେବଳ ତହିଁର ଗୋଟିଏ ପାଖରେ ବୁଣି ପ୍ରସ୍ତୁତ କରି ପାରିବ କିମ୍ବା ପୃଥକ୍ କରି ଖଣ୍ଡିଏ ବୁଣି ଲଗାଇଦେବ । ଏହାକୁ ଶକ୍ତ କରିବାପାଇଁ ବାଉଁଶପାତିଆର ଆଉ ଗୋଟିଏ ଠିକ୍ ସେହି ମାପର ଡାଲା ବୁଣି ତାହା ଭିତରେ ବସାଇ ତହିଁର ଚାରି ପାଖର ମୁହଁ ବାନ୍ଧିଦେବାକୁ ହେବ ।

 

ଏହି ଖରିର ଶରଦ୍ୱାରା ଅଳିଆ କାଗଜ ରଖିବାର ସୁନ୍ଦର ଟୋକେଇ, ବସିବାର ମୋଡ଼ା, ଚୌକି, ଫେରୀବାଲାମାନଙ୍କର ଡାଲା ରଖିବାର ଷ୍ଟାଣ୍ଟ୍ (Stand) ଏବଂ ଅନ୍ୟାନ୍ୟ ଅନେକ ପଦାର୍ଥ ତିଆରି ହୋଇ ପାରେ । ସେ ସମସ୍ତ ପ୍ରସ୍ତୁତ କରିବାର ପ୍ରଣାଳୀ ବାଉଁଶର କାମ ମଧ୍ୟ୍ୟରେ ଦିଆଯିବ । ଠିକ୍ ସେହି ପ୍ରଣାଳୀରେ ଏଗୁଡ଼ିକ ବାନ୍ଧିବାକୁ ହେବ । ବାଉଁଶକାମ ଶିକ୍ଷା କଲା ପରେ ଏହା ଅତି ସହଜରେ କରି ପାରିବ ।

•••

 

ଆଖୁଫୁଲର ଶର

 

ବର୍ତ୍ତମାନ ଏକପ୍ରକାର ଆଖୁ ଚାଷ ହେଉଅଛି, ସେହି ଆଖୁଗଛ ଅଗରେ କେଣ୍ଡାଏ କେଣ୍ଡାଏ ଫୁଲ ଫୁଟେ । ଫୁଲକେଣ୍ଡାଟି ଭାଙ୍ଗି ଦେଲେ ଯେଉଁ କାଣ୍ଡଟି ରହେ, ତାହା ବେଶ୍ ସରଳ, ଚିକ୍କଣ ଓ ଲମ୍ବା ଲମ୍ବା ହୋଇ ପ୍ରାୟ ଏକସମାନ ମାପରେ ବହୁତ ମିଳି ପାରେ । ସେହି କାଣ୍ଡଗୁଡ଼ିକୁ ଏଠାରେ ଆଖୁଶର ବୋଲି କୁହାଯାଉଅଛି । ଆଖୁ ପାକଳ ହେଲେ ଗଛଗୁଡ଼ିକ କାଟି ତାହାକୁ ସଫା କଲାବେଳେ ଆଖୁଗଛର ପତର ଓ ଖୋଳପା ସାଙ୍ଗେ ସାଙ୍ଗେ ଗଛର ଅଗଟିମାନ କାଟି ଲୋକେ ଫୋପାଡ଼ି ଦିଅନ୍ତି । ତାହା ସଙ୍ଗରେ ଏହି ଶରଗୁଡ଼ିକ ଅକାରଣ ନଷ୍ଟ ହୁଏ । ତାକୁ ଶୁଖାଇ ଜାଳି ଦିଅନ୍ତି । କିନ୍ତୁ ସେହି ଗୁଡ଼ିକ ଜାଳି ନ ଦେଇ ରଖିଲେ ତହିଁରେ ନାନାବିଧ ପଦାର୍ଥ ତିଆରି ହୋଇ ପାରିବ ।

 

ଆଖୁଗଛର ସେହି ଶରଗୁଡ଼ିକୁ ସରୁ ସରୁ କରି ଚିରି ତହିଁରୁ ଅନ୍ତି ବାହାର କରିଦେଲେ ଖରିପାତିଆ ପରି ଏଥିରୁ ବେଶ୍ ସୁନ୍ଦର ପାତିଆ ବାହାରିବ । ଖରିପାତିଆରେ ଯେଉଁ ସବୁ ପଦାର୍ଥ ହୋଇ ପାରିବ, ଏଥିରେ ମଧ୍ୟ ସେହି ସେହି ପଦାର୍ଥମାନ ସହଜରେ ହେବ । ମାତ୍ର ଖରିପାତିଆଠାରୁ ଏହାର ପାତିଆ ଟିକିଏ ନରମ ପଡ଼ିବ, ତେଣୁ ଖରିପାତିଆର ପଦାର୍ଥ ଏଥିରେ ତିଆରି ପଦାର୍ଥ ଠାରୁ କିଛି ଅଧିକ ଶକ୍ତ ଓ ଅଧିକ କାଳ ସ୍ଥାୟୀ ହେବ ।

 

ଆଖୁଶରକୁ ନ ଚିରି ଗୋଟା ଗୋଟା ରଖି ତହିଁରେ ଅଳିଆ କାଗଜର ଟୋକେଇ ଅତି ସହଜରେ କରାଯାଇ ପାରିବ ଏବଂ ତାହା ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ହେବ ।

Image

(୧ ନମ୍ବର ଚିତ୍ର)

(୨ ନମ୍ବର ଚିତ୍ର)

ସାଧାରଣତଃ ବାଉଁଶକାଠିରେ ଅଳିଆ କାଗଜର ଟୋକେଇ ତିଆରି କରାଯାଇଥାଏ । ବାଉଁଶକାଠିକୁ ତାଞ୍ଛି ସମାନ ସମାନ ଓ ସରୁ କାଠିଗୁଡ଼ିଏ ପ୍ରସ୍ତୁତ କରିବାକୁ ଅନେକ ପରିଶ୍ରମ ପଡ଼େ ଏବଂ ସମୟ ଲାଗେ । ଏକ ସମାନ ଓ ସରଳ ଆଖୁ ଶରଗୁଡ଼ିଏ ଖାଲି ବାଛି ନେବାକୁ ହୁଏ । ତଞ୍ଛାତଞ୍ଛି ବା ଆଉ କିଛି ପରିଶ୍ରମ କରିବାକୁ ପଡ଼େ ନାହିଁ । ଗୋଟିଏ ପାଛିଆ କରିବା ପାଇଁ ଯେତେ ଲମ୍ବାର ଯେତେଗୁଡ଼ିଏ କାଠି ଆବଶ୍ୟକ ହେବ, ତାହା କେବଳ ସମାନ ମାପରେ କାଟିନେବ । ତଳପାଖ ପାଇଁ ଗୋଟିଏ ସାନ ମୁଣ୍ଡଳି ଓ ଉପର ପାଖ ପାଇଁ ଗୋଟିଏ ବଡ଼ ମୁଣ୍ଡଳି, ଏରୂପ ଦୁଇଗୋଟି ବାଉଁଶ ବତାର ମୁଣ୍ଡଳି କରି, ସେହି ମୁଣ୍ଡଳି ଦୁଇଟିରେ କାଠଗୁଡ଼ିକର ଦୁଇମୁଣ୍ଡ ଖାଲି ବାନ୍ଧିଦେଲେ ଟୋକେଇଟିର ଅଧିକ ପରିମାଣର କାମ ଶେଷ ହୋଇଯିବ । ୧ ନମ୍ବର ଚିତ୍ର ଦେଖ । ତା ପରେ ମଝି ପାଇଁ ମାପ କରି ଆଉ ଦୁଇଟି ସରୁ ସରୁ ବତାର ମୁଣ୍ଡଳି କରି ଭିତରେ ଲଗାଇ ଦେବ । ଏହି ମୁଣ୍ଡଳି ଦୁଇଟି କେବଳ ବାନ୍ଧି ଅଟକାଇ ଦେଲେ ଚଳିବ କିମ୍ବା ସେହି ଆଖୁ ଶରର ତଞ୍ଛା ପାତିଆରେ ବାନ୍ଧିଦେଲେ ବା ବୁଣିଦେଲେ ଆହୁରି ସୁନ୍ଦର ଦେଖାଯିବ । ୨ ନମ୍ବର ଚିତ୍ର ଦେଖ-। ୧ମ ଖଣ୍ଡର ୫୪ ପୃଷ୍ଠାରେ କୋରଟରେ ଟ୍ରେ (Tray)ର ମୁହଁ ବାନ୍ଧି ବୁଣିବାର ଯେଉଁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ ଏହାର ମୁହଁ ବାନ୍ଧି ତହିଁ ଉପରେ ଏହି ଆଖୁଶରର ପାତିଆ ବୁଣିଦେଲେ ଅତି ସୁନ୍ଦର ହେବ ।

 

ଏହି ପାତିଆଗୁଡ଼ିକୁ ରଙ୍ଗାଇବାକୁ ହେଲେ ୧ମ ଖଣ୍ଡର ୧୨ ପୃଷ୍ଠାରେ ତାଳପତ୍ର ରଙ୍ଗ କରିବାର ଯେଉଁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ଠିକ୍ ସେହି ପ୍ରଣାଳୀରେ ଏହାକୁ ରଙ୍ଗାଇ ପାରିବ ।

 

ତାଳପତ୍ର ରଙ୍ଗାଇବା ପାଇଁ ଯେଉଁ ରଙ୍ଗ ଲାଗେ ଏହାକୁ ରଙ୍ଗାଇବା ପାଇଁ ମଧ୍ୟ ସେହି ରଙ୍ଗ ଲାଗିବ ।

 

ଅଳିଆ କାଗଜ ଟୋକେଇର ମୁହଁ ବାନ୍ଧିବା ପାଇଁ ଟୋକେଇଟିର ମୁହଁର ମୁଣ୍ଡଳିଟିରେ ପ୍ରଥମେ କୁଟା ବା ବାଉଁଶରୁ କିମ୍ବା ବେତରୁ ତଞ୍ଛା ହୋଇଥିବା ଉଞ୍ଛାଗୁଡ଼ିଏ ଯୋଡ଼ି ଖଣ୍ଡିଏ ସୂତୁଲି ଗୁଡ଼ାଇ ସବୁଆଡ଼େ ସମାନ ମୋଟରେ ବାନ୍ଧି ଶକ୍ତ କରିଦେବ । ତହିଁ ଉପରେ ସମସ୍ତ ଅଂଶରେ ବା କେତେକ ଅଂଶରେ ରଙ୍ଗପାତିଆ ଗୁଡ଼ିଏ ପାରିଦେଇ ଖଣ୍ଡିଏ ଡୋରରେ ବାନ୍ଧିଦେଇ ତାହା ଅଟକାଇ ରଖିଦେବ । ଆଉ ଗୋଟିଏ ସାଧା ପାତିଆ ଧରି ତାହାକୁ ଯେ କୌଣସି ସ୍ଥାନରେ ଲଗାଇ ବୁଣିବାକୁ ଆରମ୍ଭ କରିବ । ସରଳ ପ୍ରଣାଳୀରେ ଗୋଟିକ ପରେ ଗୋଟିଏ ରଙ୍ଗପାତିଆ ଉଠାଇ ବା ଟୁଇଲ୍ ପ୍ରଣାଳୀରେ ଦୁଇଟି ପରେ ଦୁଇଟି ପାତିଆ ଉଠାଇ ଅଥବା ଅନ୍ୟ କୌଣସି ଚିତ୍ର ଉଠାଇବାକୁ ଇଚ୍ଛା କଲେ ସେହି ଅନୁସାରେ ଯେଉଁ ସଂଖ୍ୟାରେ ପାତିଆ ଉଠାଇବାର ପ୍ରୟୋଜନ ହେବ, ସେହି ସଂଖ୍ୟାରେ ଉଠାଇ ସାଧା ପାତିଆଟି କେବଳ ଗୁଡ଼ାଇ ଗୁଡ଼ାଇ ବୁଣିଗଲେ ମୁହଁଟି ସୁନ୍ଦର ଏବଂ ଚିତ୍ରିତ ଦେଖାଯିବ ।

Image

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

ଆଖୁ ଶରଦ୍ୱାରା ଯେଉଁ ଅଳିଆ କାଗଜ ଟୋକେଇ କରିବ, ତହିଁର ତଳାଟି ନଡ଼ିଆ ଖଡ଼ିକା ବା ସରୁ ସରୁ ବାଉଁଶ କାଠିଦ୍ୱାରା ଛକ ପକାଇ ବାନ୍ଧିଦେଲେ ସୁବିଧା ହେବ ଏବଂ ଶକ୍ତ ହେବ । ୩ ନମ୍ବର ଚିତ୍ର ଦେଖ । ଖଡ଼ିକା ବା ବାଉଁଶ କାଠିଗୁଡ଼ିକ ଟୋକେଇର ନିମ୍ନକୁ ବାହାରିଥିବା କାଠିଗୁଡ଼ିକର ସନ୍ଧିକୁ ସନ୍ଧି ଖଞ୍ଜିଦେବ । ୩ ଓ ୪ ନମ୍ବର ଚିତ୍ର ଦେଖ । ତା ପରେ ଏହି କାଠି ବା ଖଡ଼ିକାକୁ ନିମ୍ନର ମୁଣ୍ଡଳି ସଙ୍ଗେ ମିଶାଇ ତହିଁ ଉପରେ ଗୋଟିଏ ଏହି ଆଖୁ ଶରର ପାତିଆ ଗୁଡ଼ାଇ ଦେବ । ତାହାହେଲେ ତଳାଟି ଶକ୍ତ ହେବ ଏବଂ ଦେଖିବାକୁ ମଧ୍ୟ ସୁନ୍ଦର ହେବ ।

Image

(୫ ନମ୍ବର ଚିତ୍ର)

ଆଖୁଶର ଗୁଡ଼ିଏ ସମାନ ମୋଟର ବାଛି ତାହାକୁ ସମାନ ଲମ୍ବରେ କାଟି ହେଁସ ବୁଣିଲା ପରି ଗୋଟିକେତେକୁ ସୂତାଦ୍ୱାରା ବୁଣି ତହିଁରେ ୫ ନମ୍ବର ଚିତ୍ର ପରି ସ୍କ୍ରୀନ୍ (Screen) ବା ପରଦା ବୁଣିଲେ ଅତି ସୁନ୍ଦର ହେବ । ନିମ୍ନରେ ଏବଂ ଉପରେ ଖଣ୍ଡିଏ ଖଣ୍ଡିଏ ବତା ଲଗାଇ ତହିଁରେ ଡୋର ବାନ୍ଧି ଝରକାରେ ଟାଙ୍ଗି ଦେବ । ତହିଁର ଚାରିପାଖରେ ଖଣ୍ଡିଏ କନା ଯୋଡ଼ି ତାହାକୁ ଛୁଞ୍ଚିରେ ସିଲାଇ କରି ମୁହଁ ବାନ୍ଧି ଦେବ । ମଝିରେ କନାର ଦୁଇଗୋଟି ପଟି ଦୁଇ ପାଖରୁ ଯୋଡ଼ି ସିଲାଇ କରିଦେବ । କନାଗୁଡ଼ିକ ଗୋଟିଏ ରଙ୍ଗର ହେଲେ ସୁନ୍ଦର ଦେଖାଯିବ ।

•••

 

କିଆ

 

କିଆଗଛ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ଅଛି । କେତେକ ଅଞ୍ଚଳରେ ଏହା ବହୁପରିମାଣରେ ଜନ୍ମେ । ସ୍ଥାନେ ସ୍ଥାନେ କିଆ ଜଙ୍ଗଲ ହୋଇ ମାଡ଼ିଯିବାରୁ ସମୟ ସମୟରେ ଲୋକେ ନିଆଁ ଲଗାଇ ଏଗୁଡ଼ିକ ପୋଡ଼ି ଦିଅନ୍ତି । ବିଲବାଡ଼ିରେ କେତେକ ସ୍ଥଳରେ କିଆଗଛ ବାଡ଼ର କାର୍ଯ୍ୟ କରିଥାଏ । କିନ୍ତୁ ଅଧିକ ଜାଗା ମାଡ଼ି ବସି ଜମିକୁ ନଷ୍ଟ କରିବାରୁ ଲୋକେ ଏହାକୁ କାଟି ପକାଇବାକୁ ବାଧ୍ୟ ହୁଅନ୍ତି ।

 

କିଆର ବଡ଼ ବଡ଼ ଚେର ହୁଏ । କିଆଡ଼ାଳରୁ ପୁଣି ଗୋଟିଏ ଗୋଟିଏ ଓହଳ ବାହାରେ-। ସେଗୁଡ଼ିକ ଚେର ଅପେକ୍ଷା ଅଧିକ ମୋଟା ହୁଏ । ଚେର ଏବଂ ଓହଳ ତନ୍ତୁମୟ ଅଟେ । ସେହି ତନ୍ତୁ ବେଶ୍ ଶକ୍ତ । ତେଣୁ ଲୋକେ କିଆଚେର ଏବଂ କିଆ ଓହଳକୁ କାଟି ଆଣି ସେଗୁଡ଼ିକ ଚିରି ଖରାରେ ଶୁଖାଇ ଦିଅନ୍ତି । ଶୁଖିଗଲେ ତାହାକୁ ଘରଛାଉଣି ଓ ବାଡ଼ବୁଜା ଆଦିରେ ଲଇ କରି ବାନ୍ଧିବା ନିମନ୍ତେ ବ୍ୟବହାର କରନ୍ତି । କିଆଚେରକୁ ଦାନ୍ତକାଠି କରି ତଦ୍ଦ୍ୱାରା ଅନେକ ଲୋକ ଦାନ୍ତ ଘସନ୍ତି ।

 

କିଆଚେର ଓ କିଆଓହଳଦ୍ୱାରା ଅନେକ ପ୍ରକାର ସୁନ୍ଦର ସୁନ୍ଦର ପଦାର୍ଥ କରାଯାଇ ପାରେ । କିଆଚେର ଓ କିଆଓହଳକୁ ମୋଟ ମୋଟ ଫାଳ କରି ଚିରି ସେଗୁଡ଼ିକ ଖରାରେ ଶୁଖାଇ ଦେବ । ୭।୮ ଘଣ୍ଟା ଶୁଖିଲେ ସେଗୁଡ଼ିକ ଦର ଶୁଖିଲା ହୋଇଯିବ । ଦରଶୁଖିଲା ଅବସ୍ଥାରେ ସେହି ଫାଳଗୁଡ଼ିକ ପୁଣି ଆଡ଼ବାଗେ ଖଣ୍ଡ ଖଣ୍ଡ କରି ଚିରି ଦେବ ଯେପରି ପ୍ରତି ଖଣ୍ଡକ ଚାରିପାଖ ସମାନ ହୋଇ ଚିରି ହୋଇଯିବ । ସେଗୁଡ଼ିକ ପୁନରାୟ ଖରାରେ ଶୁଖାଇ ଦେବ । ସମ୍ପୂର୍ଣ୍ଣ ଶୁଖିଯିବା ଆଗରୁ ତହିଁରୁ ଖଣ୍ଡିଏ ଲେଖାଏଁ ବାମ ହାତରେ ଧରିବ, ଡାହାଣ ହାତରେ ଖଣ୍ଡିଏ ଛୁରୀ ଧରିବ । ୧ ନମ୍ବର ଚିତ୍ର ଦେଖ । କିଆର ସେହି କାଠିଖଣ୍ଡିକ ବିଶି ଅଙ୍ଗୁଳି ଉପରେ ରଖି ତହିଁର କୋଣଗୁଡ଼ିକ ଉପରେ ଛୁରୀ ବସାଇ ଧୀରେ ଧୀରେ ବାମ ହାତରେ ଟାଣିନେଲେ ତାହାର କୋଣଗୁଡ଼ିକ ତାଞ୍ଛି ହୋଇଯିବ ଏବଂ ତାହା ବେଶ୍ ଗୋଲ ହୋଇଯିବ । ଆଉ କେତେଗୁଡ଼ିକୁ କେବଳ ଚିରି ଦେବ । ସେଗୁଡ଼ିକ ସମାନ ସମାନ ପାତିଆ ହୋଇଯିବ ।

Image

(୧ ନମ୍ବର ଚିତ୍ର)

ଏହିପରି ଏଥିରୁ ଯେଉଁ ଆକାରର ଯେତେ ସମାନ ମୋଟର ଗୋଲ ଗୋଲ କାଠି କରିବାକୁ ଇଚ୍ଛା କରିବ ତେତେ କାଠି ସହଜରେ କରି ନେଇ ପାରିବ । ସେହିପରି ସରୁ ଓ ମୋଟ ସମାନ ସମାନ ଯେତେ ପାତିଆ କରିବାକୁ ଇଚ୍ଛା କରିବ ସେତେ ପାତିଆ କରି ନେଇ ପାରିବ । ଏହି କାଠି ଓ ପାତିଆଗୁଡ଼ିକ ଯେଉଁ ଆଡ଼କୁ ଯେପରି ଭାବରେ ମୋଡ଼ିବ ତାହା ସେହି ଆଡ଼କୁ ସେହିପରି ମୋଡ଼ି ହେବ । ୧ମ ଖଣ୍ଡର ୪୪ ପୃଷ୍ଠାରେ ତାଳପତ୍ରରେ ଓ ଏହି ପୁସ୍ତକରେ କାଇଁଚ ଚରାଦ୍ୱାରା ବୁଣିବାର ଯେଉଁ ପ୍ରଣାଳୀ ବର୍ଣ୍ଣିତ ହୋଇଅଛି, ସେହି ପ୍ରଣାଳୀରେ ଏହାକୁ ବୁଣି ଏଥିରେ ନାନା ପଦାର୍ଥ ବୁଣି ପାରିବ । ଏଥିରେ ଅନ୍ୟ ଚରା ପରିବର୍ତ୍ତରେ ଏହାରି ଗୋଲ ଗୋଲ କାଠିଗୁଡ଼ିକ ଉପରେ ଏହାରି ସରୁ ସରୁ ପାତିଆଗୁଡ଼ିକ ଗୁଡ଼ାଇ ଗୁଡ଼ାଇ ବୁଣିଲେ ଆହୁରି ସହଜ ହେବ । ଏହିପରି ବୁଣି ତଦ୍ଦ୍ୱାରା ନାନା ପ୍ରକାର ଡାଲା, ପାଛିଆ, ଡବା, ପେଡ଼ି, ବାକ୍‌ସ ଓ ସୁଟ୍‌କେସ୍ ଆଦି କରାଯାଇ ପାରିବ । ୨, ୩ ଓ ୪ ନମ୍ବର ଚିତ୍ର ଦେଖ । ଏହାକୁ ଯେଉଁ ରଙ୍ଗରେ ରଙ୍ଗ କରିବ, ଏହା ସହଜରେ ସେହି ରଙ୍ଗ ଧରିବ । ଭିନ୍ନ ଭିନ୍ନ ରଙ୍ଗର କାଠି ଓ ପାତିଆ ଖଞ୍ଜି ବେଶ୍ ଚିତ୍ର ବିଚିତ୍ର ପଦାର୍ଥମାନ କରାଯାଇ ପାରିବ ।

Image

(୨ ନମ୍ବର ଚିତ୍ର)

(୩ ନମ୍ବର ଚିତ୍ର)

(୪ ନମ୍ବର ଚିତ୍ର)

କିଆଚେର ବା ଓହଳକୁ ମୋଟ ମୋଟ ଫାଳ କରି ଚିରି ସେଗୁଡ଼ିକ ଶୁଖାଇ ଦେବ । ଶୁଖିଗଲେ ସେଗୁଡ଼ିକ ଉତ୍ତମରୂପେ ତାଞ୍ଛି ଚିକ୍କଣ କରିଦେବ । ଏହାକୁ ଖଣ୍ଡିଏ ପଟା ଉପରେ ରଖି ଗୋଟିଏ ଛୁରୀଦ୍ୱାରା ତାଞ୍ଛିବ । ତାଞ୍ଛି ସାରି ସମାନ କରି କାଟି ଦେବ । ଯେଉଁ ପଦାର୍ଥ ନିର୍ମାଣ କରିବାକୁ ଇଚ୍ଛା କରିବ, ସେହି ପଦାର୍ଥର ମାପ ଅନୁସାରେ ପ୍ରଥମରୁ କାଟିରଖିଲେ ଆହୁରି ସୁବିଧା ହେବ । ଯେବେ ଗୋଟିଏ ବାକ୍‌ସ କରିବାକୁ ଇଚ୍ଛା କରିବ, ତେବେ ବାକ୍‌ସଟି ଯେତେ ଲମ୍ବା ଓ ଚଉଡ଼ାର କରିବ, କେତେଗୁଡ଼ିଏ ସେହି ଲମ୍ବା ଓ ଚଉଡ଼ାର ତହିଁରୁ କାଟି ନେବ ।

 

କେତେଖଣ୍ଡ ଖଡ଼ିକା ଗୋଜିଆ କରି ତଦ୍ଦ୍ୱାରା ସେଗୁଡ଼ିକ ୫ ନମ୍ବର ଚିତ୍ର ଅନୁକରଣରେ ଫୋଡ଼ି ବାକ୍‌ସଟିର ତଳା, ଉପରର ଡାଲା ଏବଂ ଚାରିପାଖ ନିମନ୍ତେ ପୃଥକ୍ ପୃଥକ୍ ଖଣ୍ଡିଏ ଖଣ୍ଡିଏ ପଟା ଆକାରରେ ପ୍ରସ୍ତୁତ କରିବ । ଭିନ୍ନ ଭିନ୍ନ ରଙ୍ଗର ସୂତା ଆଣି ଛୁଞ୍ଚିଦ୍ୱାରା ସେହି ପଟାଗୁଡ଼ିକ ଉପରେ ସିଲାଇ କରି ନାନା ପ୍ରକାର ଚିତ୍ର କରି ପାରିବ । ତହିଁ ଉପରେ ଯେତେ ଚିତ୍ର କରିବ ତାହା ତେତେ ଶକ୍ତ ହେବ ।

Image

(୫ ନମ୍ବର ଚିତ୍ର)

(୬ ନମ୍ବର ଚିତ୍ର)

ତା ପରେ ତଳ, ଉପର ଏବଂ ପାଖର ପଟାକୁ ପଟା ମିଳାଇ ବାକ୍‌ସ ପରି ଖଞ୍ଜି ଦେବ ଏବଂ କୋଣରେ ଓ ତଳେ ଏବଂ ଉପରେ ଦାଢ଼େ ଦାଢ଼େ ଦୁଇଟି ଲେଖାଏଁ କାଇଁଚ ବା ଦୁଇଫାଳ ଲେଖାଏଁ ଆଖୁଶର ଖଞ୍ଜି ସିଲାଇ କରି ଗୁନ୍ଥି ଦେବ । ୬ ନମ୍ବର ଚିତ୍ର ଦେଖ ।

•••

 

କିଆପତ୍ର

 

କିଆପତ୍ରଗୁଡ଼ିକ ଆଣି ପ୍ରଥମେ ତାହାର କଣ୍ଟାଗୁଡ଼ିକ ବାହାର କରିଦେବ । କଣ୍ଟା ବାହାର କରିବାପାଇଁ ଗୋଟିଏ ନଡ଼ିଆ କତାର ତନ୍ତୁ ବା ସେହିପରି ଅନ୍ୟ କିଛି ତନ୍ତୁ ନେଇ ତହିଁର ଦୁଇ ମୁଣ୍ଡରେ ଦୁଇଟି ଫାଶ ପ୍ରସ୍ତୁତ କରିବ । ଫାଶ ଦୁଇଟି ୧ ଇଞ୍ଚ ବା ୧.୫ ଇଞ୍ଚ ଅନ୍ତରରେ ରହିଲେ ସୁବିଧା ହେବ । ସେହି ଫାଶ ଦୁଇଟି ମଧ୍ୟରୁ ଗୋଟିଏ ଫାଶ ଡାହାଣ ହାତର ବୁଢ଼ା ଅଙ୍ଗୁଳିରେ ଏବଂ ଆଉ ଗୋଟିଏ ଫାଶ ସେହି ହାତର ବିଶି ଅଙ୍ଗୁଳିରେ ଗଳାଇ ପିନ୍ଧିବ । ୧ ନମ୍ବର ଚିତ୍ର ଦେଖ ।

Image

(୧ ନମ୍ବର ଚିତ୍ର)

ବାମ ହାତରେ ଗୋଟିଏ କିଆପତ୍ର ଧରିବ । ପତ୍ରଗୁଡ଼ିକର ମଝି ଶିରାଟି ପ୍ରଥମେ କାଢ଼ି ଦେବ । ସେଥିପାଇଁ ପତ୍ରର ମଝି ଶିରାର କଣ୍ଟାଠାରୁ କିଞ୍ଚିତ ଭିତର ଆଡ଼କୁ ସେହି ପତ୍ରର ମୁଣ୍ଡ ଉପରେ ୧ ନମ୍ବର ଚିତ୍ର ଆଙ୍ଗୁଳିରେ ପିନ୍ଧା ଯାଇଥିବା ତନ୍ତୁଟିକୁ ବସାଇ ଦେବ । ବାମ ହାତରେ ପତ୍ରକୁ ଧରି ରଖିବ । ଡାହାଣ ହାତରେ ତନ୍ତୁଟିକୁ ଲମ୍ବାଲମ୍ବି ଚଳାଇ ନେଲେ ପତ୍ରର ମଝି ଶିରାଟି କଣ୍ଟା ସହିତ ବାହାରିଯିବ । ପ୍ରଥମେ ଏହିପରି ସବୁ ପତ୍ରଗୁଡ଼ିକର ମଝି ଶିରାଗୁଡ଼ିକ ବାହାର କରିଦେବ । ତା ପରେ ଠିକ୍ ସେହିପରି ପତ୍ରଗୁଡ଼ିକର ମୁଣ୍ଡ ଉପରେ ତନ୍ତୁ ବସାଇ ତାହାକୁ ଚଳାଇ ପାଖର କଣ୍ଟାଗୁଡ଼ିକ ବାହାର କରିଦେବ । ତା ପରେ ପୁଣି ସେହି ପ୍ରଣାଳୀରେ ସେହି ତନ୍ତୁ ସାହାଯ୍ୟରେ ସମସ୍ତ ପତ୍ରଗୁଡ଼ିକ ସମାନ ଚୌଡ଼ାରେ ଚିରି ପକାଇବ ।

 

ନଡ଼ିଆ କତାର ତନ୍ତୁ ପରିବର୍ତ୍ତରେ ଖଜୁରିଗଛର ପାଲର ତନ୍ତୁ, ବାରବର୍ଷିଆ ତନ୍ତୁ, ତାଳଝିମିଟି ବା ସରୁ ତାର ବ୍ୟବହାର କରାଯାଇ ପାରେ ।

 

ପତ୍ରଗୁଡ଼ିକ ଚିରି ସାରି ତହିଁର ମୂଳଗୁଡ଼ିକ ଗୋଟିଏ ପାଖକୁ ସଜାଡ଼ି କରି ଧରିବ । ସେଗୁଡ଼ିକୁ ଛୋଟ ଛୋଟ ବିଡ଼ା କରି ମୋଡ଼ି ଚେକା ଚେକା କରି ବାନ୍ଧିବ । ଚେକାଗୁଡ଼ିକ ଢିଲା ରଖି ୨।୩ ଜାଗାରେ ଖଣ୍ଡେ ଖଣ୍ଡେ ସେହି ଚିରା କିଆପତ୍ର ବାନ୍ଧି କେବଳ ସେଗୁଡ଼ିକ ଅଟକାଇ ଦେବ । ୨ ନମ୍ବର ଚିତ୍ର ଦେଖ ।

Image

(୨ ନମ୍ବର ଚିତ୍ର)

ଗୋଟିଏ ହାଣ୍ଡିରେ ପାଣି ଗରମ କରିବ । ପାଣି ଉତ୍ତମରୂପେ ଗରମ ହୋଇ ଫୁଟିଲେ ଗୋଟିଏ ଲେଖାଏଁ ଚେକା ତହିଁରେ ବୁଡ଼ାଇ ଦେବ । ୫ ମିନିଟ୍ ପରେ ତାହାକୁ ଖଣ୍ଡିଏ କାଠିଦ୍ୱାରା ଓଲଟାଇ ଦେବ । ଏହିପରି ଓଲଟ୍‌ପାଲଟ୍‌ କରି ୧୫ ମିନିଟ୍ ପରେ ତାହାକୁ କାଢ଼ି ଆଣିବ । ଆଉ ଗୋଟିଏ ଚେକା ସେହିପରି ସେହି ପାଣିରେ ବୁଡ଼ାଇ ତାହାକୁ ଓଲଟପାଲଟ କରି ୧୫ ମିନିଟ୍ ପରେ କାଢ଼ି ଆଣିବ । ଏହିପରି ଯେତେଗୁଡ଼ିଏ ଚେକା କରିଥିବ, ସବୁଗୁଡ଼ିକ ସିଝାଇ ନେବ ।

 

ଚେକାଗୁଡ଼ିକ ଥଣ୍ଡା ହୋଇଗଲେ ସେଗୁଡ଼ିକୁ ଗୋଟିଏ ହାଣ୍ଡିରେ ରଖି ତହିଁରେ ଥଣ୍ଡା ପାଣି ଢାଳିଦେବ ଯେପରି ପତ୍ରଗୁଡ଼ିକ ବୁଡ଼ି ରହିବ । ୫।୬ ଘଣ୍ଟା ଅନ୍ତରରେ ଥରେ ବା ଦୁଇଥର ପାଣି ବଦଳାଇ ନୂତନ ପାଣି ଦେଲ ଉତ୍ତମ ହେବ । ପ୍ରାୟ ୨୪ ଘଣ୍ଟା ପରେ ପାଣିଗୁଡ଼ିକ ନିଗାଡ଼ି ଦେଇ ଆଉ ଥରେ ପାଣି ଦେଇ ସେଗୁଡ଼ିକ ଉତ୍ତମରୂପେ ଧୋଇ ଦେବ । ତା ପରେ ଚେକାଗୁଡ଼ିକ ଫିଟାଇ ପତ୍ରଗୁଡ଼ିକ ଖରାରେ ଶୁଖାଇ ଦେବ । ୩।୪ ଦିନ ଖରାରେ ଶୁଖାଇଲେ ତାହା ଉତ୍ତମରୂପେ ଶୁଖିଯାଇ ପାରିବ । ଏଥର ପତ୍ରଗୁଡ଼ିକ ସଜାଡ଼ି ବିଡ଼ା ବିଡ଼ା କରି ବାନ୍ଧି ଯତ୍ନ କରି ରଖିଦେବ ।

 

ସିଝାଇବା ସମୟରେ ପାଣି ସଙ୍ଗେ ସାମାନ୍ୟ କିଛି ଦୁଧ ମିଶାଇ ଦେଲେ ପତ୍ରଗୁଡ଼ିକ ଆହୁରି ଉଜ୍ଜ୍ୱଳ ହେବ । ୧୦ ସେର ପାଣିରେ ଏକ ଛଟାଙ୍କି ବା ଦେଢ଼ ଛଟାଙ୍କି ଦୁଧ ମିଶାଇଲେ ଚଳିବ ।

 

ପତ୍ରଗୁଡ଼ିକ ଖରାରେ ଶୁଖିଗଲେ ମୋଡ଼ି ହୋଇଯିବ । ଅନ୍ୟ କାମ ନଥିଲା ବେଳରେ ବସି ସେହି ମୋଡ଼ି ହୋଇ ଯାଇଥିବା ପତ୍ରଗୁଡ଼ିକ ଫିଟାଇ ସିଧା କରି ସଜାଡ଼ି ରଖିବ ।

 

ପତ୍ରଗୁଡ଼ିକ ସିଧା କରି ସଜାଡ଼ିବା ପାଇଁ ଗୋଟିଏ ମୋଡ଼ି ହୋଇ ଯାଇଥିବା ପତ୍ରକୁ ହାତରେ ଧରି ତହିଁର ମୁଣ୍ଡ ପାଖରୁ ଗୋଟିଏ ଜାଗାରେ ଟିକିଏ ହାତରେ ଫିଟାଇ ମେଲାକରି ଦେବ-। ସେହିଠାରେ ଗୋଟିଏ ହାତର ବୁଢ଼ାଆଙ୍ଗୁଳିର ନଖକୁ ବସାଇ ଟିପି ଧରିବ । ଆର ହାତରେ ପତ୍ରଟିକୁ ଟାଣି ନେବ । ୩ ନମ୍ବର ଚିତ୍ର ଦେଖ । ତାହାହେଲେ ପତ୍ରଟି ଫିଟିଯିବ ଏବଂ ନରମ ହୋଇଯିବ ।

Image

(୩ ନମ୍ବର ଚିତ୍ର)

ଖଣ୍ଡିଏ କାଠି ବା ଗୋଟିଏ ଛୁରୀର ପିଠି ସେହିପରି ପତ୍ରଟି ଉପରେ ଗୋଟିଏ ହାତରେ ବସାଇ ଆର ହାତରେ ପତ୍ରଟି ଟାଣି ନେଲେ ମଧ୍ୟ ପତ୍ରଟି ଫିଟିଯାଇ ପାରିବ । ୪ ନମ୍ବର ଚିତ୍ର ଦେଖ ।

Image

(୪ ନମ୍ବର ଚିତ୍ର)

ପତ୍ରଗୁଡ଼ିକ ଯେବେ ସହଜରେ ନ ଫିଟିବ, ତେବେ ସେଗୁଡ଼ିକ କିଛି ସମୟ ପାଇଁ କାକରରେ ରଖି ଦେଲେ ସହଜରେ ଫିଟିଯିବ ।

 

ତାଳପତ୍ରରେ ଚଟେଇ ବୁଣିବା ପାଇଁ ଯେଉଁ ସବୁ ପ୍ରଣାଳୀ ଏହି ପୁସ୍ତକର ପ୍ରଥମ ଖଣ୍ଡର ୨୪ ପୃଷ୍ଠାରୁ ୩୧ ପୃଷ୍ଠାମାନଙ୍କରେ ବର୍ଣ୍ଣିତ ହୋଇଅଛି, ତହିଁ ମଧ୍ୟରୁ ଯେକୌଣସି ପ୍ରଣାଳୀରେ କିଆପତ୍ରର ଚଟେଇ ବୁଣାଯାଇ ପାରିବ । କିନ୍ତୁ ସାଧାରଣତଃ କିଆପତ୍ରର ଚଟେଇ ଗୋଟିଏ କୋଣରୁ ଆରମ୍ଭ କରି ସରଳ ବୁଣା ପ୍ରଣାଳୀରେ ବୁଣିବାକୁ ହୁଏ । ୫ ନମ୍ବର ଚିତ୍ର ଦେଖ ।

Image

(୫ ନମ୍ବର ଚିତ୍ର)

ଏଥିପାଇଁ ପ୍ରଥମେ ଗୋଟିଏ ପତ୍ର ଭୂମିରେ ପାରିଦେବ । ୫ ନମ୍ବର ଚିତ୍ର ପରି ତହିଁ ଉପରେ ଆଉ ଗୋଟିଏ ପତ୍ର ଛକ ପକାଇ ରଖିବ । ପ୍ରଥମ ପତ୍ରଟି ସଙ୍ଗେ ସମାନ୍ତରାଳ କରି ତହିଁର ଠିକ୍ ତଳକୁ ଦ୍ୱିତୀୟ ପତ୍ରର ଉପରେ ଆଉ ଗୋଟିଏ ପତ୍ର ଯୋଡ଼ିବ । ତା ପରେ ଦ୍ୱିତୀୟ ପତ୍ରର ଦୁଇ ପାଖକୁ ପ୍ରଥମ ପତ୍ରର ଯେଉଁ ବାହୁ ଦୁଇଟି ବାହାରିଥିବ, ସେହି ବାହୁ ଦୁଇଟିକୁ ତୃତୀୟ ପତ୍ରର ଦୁଇ ବାହୁ ଉପରକୁ ମୋଡ଼ି ଆଣିବ । ତାହା ହେଲେ ଦ୍ୱିତୀୟ ପତ୍ରର ଦୁଇ ପାଖରେ ପ୍ରଥମ ପତ୍ରର ଦୁଇ ବାହୁ ମିଶି ତିନିଗୋଟି ଶାଖା ହୋଇଯିବ । କେବଳ ତୃତୀୟ ପତ୍ରର ଦୁଇଟି ବାହୁ ଉପରଆଡ଼କୁ ରହିଥିବ ।

 

ଏହି ଯେ ତିନିଗୋଟି ଶାଖା ତଳକୁ ହେଲା ତହିଁ ମଧ୍ୟରେ ମଝି ଶାଖାଟି ଉପରକୁ ଉଠାଇ ଓ ତହିଁର ଦୁଇ ପାଖର ଶାଖା ଦୁଇଟିକୁ ତଳକୁ ଦେଇ ଆଉ ଗୋଟିଏ ଅର୍ଥାତ୍ ଚତୁର୍ଥ ପତ୍ର ଖଞ୍ଜିଦେବ ଏବଂ ଉପରେ ଥିବା ତୃତୀୟ ପତ୍ରର ବାହୁ ଦୁଇଟିକୁ ଚତୁର୍ଥ ପତ୍ରର ଦୁଇବାହୁ ଉପରକୁ ମୋଡ଼ି ଆଣିବ । ତାହାହେଲେ ବର୍ତ୍ତମାନ ୫ ଗୋଟି ଶାଖା ହୋଇଯିବ ।

 

ତା ପରେ ମଝି ଶାଖାଟି ତଳକୁ ଓ ତହିଁର ଦୁଇ ପାଖର ଶାଖା ମଧ୍ୟରୁ ଗୋଟିଏ ଉପରକୁ ଓ ଗୋଟିଏ ତଳକୁ ଦେଇ ଆଉ ଗୋଟିଏ ପତ୍ର ଅର୍ଥାତ୍ ପଞ୍ଚମ ପତ୍ରଟି ଖଞ୍ଜିବ ଏବଂ ଉପରେ ଥିବା ଚତୁର୍ଥ ପତ୍ରଟିର ବାହୁ ଦୁଇଟିକୁ ଏହି ପଞ୍ଚମ ପତ୍ରର ଦୁଇ ବାହୁ ଉପରକୁ ମୋଡ଼ି ଆଣିବ । ଏପରି କଲେ ସାତ ଗୋଟି ଶାଖା ହୋଇଯିବ ।

 

ଏହି ପ୍ରଣାଳୀର ଓ ଏହି କ୍ରମରେ ମଝିର ଶାଖାଟିକୁ ଥରେ ଉପରକୁ ଓ ଥରେ ତଳକୁ ରଖି ଓ ତହିଁର ଦୁଇ ପାଖର ଶାଖାଗୁଡ଼ିକ ମଧ୍ୟରୁ ଗୋଟିଏ ତଳକୁ ଓ ଗୋଟିଏ ଉପରକୁ ଦେଇ ପ୍ରତିଥର ଗୋଟିଏ ଗୋଟିଏ ପତ୍ର ଖଞ୍ଜୁଥିବ ଏବଂ ଉପରେ ବାହାରିଥିବା ତହିଁ ପୂର୍ବେ ଖଞ୍ଜା ହୋଇଥିବା ପତ୍ରଟିର ବାହୁ ଦୁଇଟି ମୋଡ଼ି ଆଣୁଥିବ । ଏହିରୂପେ ଓ ଏହି କ୍ରମରେ ବୁଣି ଚଟେଇ ଖଣ୍ଡିକ ଯେତେ ଚଉଡ଼ା ବା ଲମ୍ବା କରିବାକୁ ଇଚ୍ଛା କରିବ, ସେହି ପରିମାଣ ପର୍ଯ୍ୟନ୍ତ ବୁଣିଯିବ । ବୁଣିବାକୁ ଆରମ୍ଭ କରିବା ପୂର୍ବେ ଭୂମିରେ ବା ଖଣ୍ଡିଏ କାଗଜରେ ସମକୋଣ କରି ଦୁଇଟି ଗାର କାଟି ଦେଇଥିବ । ସେହି କୋଣଠାରୁ ପ୍ରଥମେ ପତ୍ର ପାରି ବୁଣିବାକୁ ଆରମ୍ଭ କରିବ । ଚଟେଇ ଖଣ୍ଡି ବୁଣିବାବେଳେ ତହିଁର ଦୁଇଗୋଟି ପାଖ ସେହି ସମକୋଣର ବାହୁ ଦୁଇଟି ସଙ୍ଗେ ମିଶାଇ ରଖି ବୁଣୁଥିଲେ ଚଟେଇ ଖଣ୍ଡି ବରାବର ସିଧା ଏବଂ ସମକୋଣ ହୋଇ ଚାଲୁଥିବ । ଯେତିକି ଦରକାର ସେତିକି ଲମ୍ବା ଅଥବା ଚଉଡ଼ା ପର୍ଯ୍ୟନ୍ତ ବୁଣା ହୋଇଗଲେ ତା ପରେ ତହିଁର ଅନ୍ୟ ଦୁଇ ପାଖ ବାହାର କରିବାକୁ ପଡ଼ିବ ।

Image

(୬ ନମ୍ବର ଚିତ୍ର)

ଏଥିପାଇଁ ଯେଉଁ ପତ୍ର ଶେଷରେ ବୁଣା ହୋଇଥିବ କେବଳ ସେହି ଗୋଟିକ ପତ୍ର ବାଦ୍ ରଖି ତାହା ପରେ ବାହାରି ରହିଥିବା ପତ୍ରଗୁଡ଼ିକ ମଧ୍ୟରୁ ଦୁଇ ମୁଣ୍ଡରୁ ଦୁଇ ଗୋଟି ପତ୍ର ମୋଡ଼ି ତାହାକୁ ବାହାରିଥିବା ଅବଶିଷ୍ଟ ପତ୍ରରେ ଦୁଇ ଆଡ଼ୁ ସରଳ ବୁଣା ପ୍ରଣାଳୀରେ ଗୋଟିକର ତଳକୁ ଏବଂ ଗୋଟିକର ଉପରକୁ ରଖି ବୁଣିବ । ପତ୍ର ଦୁଇଟି ଦୁଇଆଡ଼ୁ ବୁଣି ଆଣି ମଝିରେ ଯେଉଁଠାରେ ସେମାନେ ମିଶି ଯିବେ, ସେମାନଙ୍କୁ ସେହିଠାରେ ମିଶାଇ ଦେବ । ୬ ନମ୍ବର ଚିତ୍ର ଦେଖ ।

 

ତା ପରେ ଆଉ ଦୁଇଗୋଟି ପତ୍ର ଦୁଇ ମୁଣ୍ଡରୁ ମୋଡ଼ିଆଣି ପୁଣି ବାହାରିଥିବା ପତ୍ର ସଙ୍ଗେ ଗୋଟିଏ ତଳକୁ ଏବଂ ଗୋଟିଏ ଉପରକୁ ଦେଇ ସେମାନେ ଯେଉଁଠାରେ ମିଶିବେ, ସେହିଠାରେ ମିଶାଇ ଦେବ । ଏହିପରି ଦୁଇ ପାଖରେ ଯେତେଗୁଡ଼ିଏ ପତ୍ର ବାହାରିଥିବ, ସେଗୁଡ଼ିକ ଗୋଟି ଗୋଟି କରି ଆଣି ଶେଷ କଲାବେଳକୁ କେବଳ ମଝିର ଗୋଟିଏ ପତ୍ର ବାକି ରହି ଅବଶିଷ୍ଟ ସମସ୍ତ ପତ୍ରଗୁଡ଼ିକ ବୁଣା ହୋଇଯିବ ଏବଂ ଚଟେଇ ଖଣ୍ଡିକର ଅବଶିଷ୍ଟ ଦୁଇଗୋଟି ପାଖ ପୂର୍ଣ୍ଣ ହୋଇଯିବ । ଶେଷକୁ କେବଳ ଚାରି କୋଣରେ ଚାରି ଗୋଟି ପତ୍ର ବାହାରି ରହିବ । ସେହି ପତ୍ର ଚାରି ଗୋଟିକୁ ଓଲଟାଇ ବୁଣା ଅଂଶ ସଙ୍ଗେ ଗୁଞ୍ଜି ଦେଇ ଚଟେଇ ଖଣ୍ଡି ଶେଷ କରିବ । ୭ ନମ୍ବର ଚିତ୍ର ଦେଖ ।

Image

(୭ ନମ୍ବର ଚିତ୍ର)

ଏହିପରି ଦୁଇ ଖଣ୍ଡି ଚଟେଇ ବୁଣି ଚଟେଇ ଦୁଇ ଖଣ୍ଡକୁ ଏକାଠି ଯୋଡ଼ି ମିଶାଇ ଧରିବ ଏବଂ ତହିଁର ଚାରି ପାଖରେ ମୁହଁ ବାନ୍ଧି ଦେବ ।

Image

(୮ ନମ୍ବର ଚିତ୍ର)

ମୁହଁ ବାନ୍ଧିବା ପାଇଁ ଚଟେଇ ଦୁଇଟିକୁ ପ୍ରଥମେ ଏକାଠି ଯୋଡ଼ି ଧରି ତାହାକୁ ଏପରିଭାବରେ ଖଣ୍ଡିଏ ଡୋରରେ ସିଲାଇ କରିବ, ଯେପରି ଡୋରଟି ଚଟେଇ ଦୁଇଟିକୁ ଗୁନ୍ଥି ବରାବର ଚଟେଇ ଦୁଇଟିର ପଦାକୁ ଉପରେ ଉପରେ ବାହାରି ରହିଥିବ । ତା ପରେ ରଙ୍ଗପତ୍ର ଦୁଇ ଗୋଟି ନେଇ ସେହି ଡୋର ତଳେ ପୂରାଇ ତାହାକୁ ଡୋରର ଦୁଇ ପାଖରେ ମୋଡ଼ିଦେଲେ ତାହା ଚାରିଗୋଟି ଶାଖା ହୋଇଯିବ । ସେହି ଚାରି ଗୋଟି ଶାଖାକୁ ଗୋଟିକ ପରେ ଗୋଟିଏ ମୋଡ଼ି ଦେଇ ବୁଣିଯିବ । ୮ ନମ୍ବର ଚିତ୍ର ଦେଖ । ତାହା ହେଲେ ଚାରି ପାଖରେ ସୁନ୍ଦର ଗୋଟିଏ ଡୋର ଖଞ୍ଜିଲା ପରି ହୋଇ ଚଟେଇ ଖଣ୍ଡିକର ଧଡ଼ି ବନ୍ଧା ହୋଇଯିବ ।

 

କିଆପତ୍ରର ଚଟେଇ ଦେଖିବାକୁ ଯେପରି ସୁନ୍ଦର, ଶୋଇବା ପାଇଁ ଦେହକୁ ମଧ୍ୟ ସେହିପରି ନରମ ଲାଗେ ।

•••

 

କିଆ ଫୁଲ

 

କିଆ ପରି ସେହି ଜାତୀୟ ଆଉ ଗୋଟିଏ ଗଛ ଅଛି ତାହାକୁ କେତକୀ କହନ୍ତି । କିଆ ଫୁଲ ଧଳା । କେତକୀଫୁଲ ହଳଦିଆ । କିଆଫୁଲର ସୁଗନ୍ଧଠାରୁ କେତକୀଫୁଲର ସୁଗନ୍ଧ ଅଧିକ ମଧୁର । କେତକୀପତ୍ର କିଆପତ୍ରଠାରୁ ଅଧିକ ଲମ୍ବା, ଅଧିକ ମୋଟା ଏବଂ ଅଧିକ ଶକ୍ତ । କେତକୀ ଗଛର ସଂଖ୍ୟା ଓଡ଼ିଶାରେ କିଆଗଛର ସଂଖ୍ୟାଠାରୁ ବହୁ ପରିମାଣରେ କମ୍ । ପୁରୀ ଜିଲ୍ଲାର ବାଣପୁରରେ ଯଥେଷ୍ଟ କେତକୀଗଛ ଅଛି । ସେଠାରେ ବହୁତ କେତକୀଫୁଲ ଫୁଟେ । ଅନ୍ୟାନ୍ୟ ଅନେକ ସ୍ଥଳରେ କେତକୀଗଛ ଅଛି ଏବଂ ଫୁଲ ଫୁଟେ; ମାତ୍ର ଗଛର ସଂଖ୍ୟା ଖୁବ୍ କମ । ଅନେକ ସ୍ଥଳରେ କେହି କେହି କେତକୀଗଛ ଲଗାଇ ଯତ୍ନରେ ରଖନ୍ତି । କିନ୍ତୁ କିଆଗଛ ପରି କେତକୀଗଛ ଅଧିକ ପରିମାଣରେ ନାହିଁ ।

 

ଓଡ଼ିଶାର ଅଧିକାଂଶ ଅଞ୍ଚଳରେ କିଆଗଛ ଅଛି । ମାତ୍ର ସବୁ ଅଞ୍ଚଳରେ ସମାନ ପରିମାଣରେ ଫୁଲ ଫୁଟେ ନାହିଁ । ପୁରୀ ଜିଲ୍ଲାର ମାଲୁଦ ଏବଂ ଗଞ୍ଜାମ ଜିଲ୍ଲାର ଗୋପାଳପୁର, ଛତ୍ରପୁର ଏବଂ ଅଗ୍ରହାମ ପ୍ରଭୃତି ଅଞ୍ଚଳରେ ବହୁପରିମାଣରେ କିଆଫୁଲ ଫୁଟେ । ଅନ୍ୟସବୁ ସ୍ଥାନରେ ବର୍ଷ ମଧ୍ୟରେ କେବଳ ବର୍ଷାକାଳରେ ସ୍ଥାନେ ସ୍ଥାନେ ଫୁଲ ଫୁଟିବାର ଦେଖାଯାଏ । ଉପରୋକ୍ତ ଅଞ୍ଚଳରେ ବର୍ଷ ମଧ୍ୟରେ ବୈଶାଖ, ଆଷାଢ଼ ଏବଂ କାର୍ତ୍ତିକ ମାସରେ, ଏରୂପେ ତିନି ଥର ଫୁଲ ଫୁଟେ ।

 

କନୌଜର ଲୋକେ ଆସି ଫୁଲ ସମୟରେ ସେହି ସବୁ ଅଞ୍ଚଳରେ କିଆଫୁଲ ସଂଗ୍ରହ କରି ତହିଁରୁ ଅତର ତିଆରି କରି ଘେନି ଯାଆନ୍ତି । କିଆଫୁଲରୁ ଯେଉଁ ଅତର ବାହାରେ, ତାହାକୁ କେଉଡ଼ା ଅତର କହନ୍ତି । ଆହୁରି ମଧ୍ୟ କିଆଫୁଲରୁ ଯେଉଁ ସୁବାସିତ ଜଳ ପ୍ରସ୍ତୁତ ହୁଏ, ତାହାକୁ କେଉଡ଼ା ୱାଟର କହନ୍ତି । ଗିଲାସେ ପାଣିରେ ଏ କେଉଡ଼ା ପାଣିରୁ ସାମାନ୍ୟ ଟୋପା କେତେ ମିଶାଇ ଦେଲେ ଏପାଣି ପିଇବାପାଇଁ ଖୁବ୍ ରୁଚିକର ଓ ସୁଗନ୍ଧ ହୁଏ । ସେମାନେ ପ୍ରତିବର୍ଷ ସେହି ସେହି ଅଞ୍ଚଳକୁ ଆସି ଅତର ଆଦି କରୁଥିବାରୁ ଗୋଟିଏ ଗୋଟିଏ ସ୍ଥାୟୀ ଘର କରି ଛୋଟ ଛୋଟ କାରଖାନା କରିଅଛନ୍ତି । ଏହିପ୍ରକାର କାରଖାନା ପ୍ରାୟ ସେଠାରେ ୧୦ ଗୋଟି ପର୍ଯ୍ୟନ୍ତ ଅଛି । ପ୍ରତି କାରଖାନାରେ ହାରାହାରି ବର୍ଷରେ ୧୦ ଲକ୍ଷ ଫୁଲ ସଂଗୃହୀତ ହୋଇ ସେଥିରୁ ଅତର କଢ଼ାଯାଏ ।

 

କେଉଡ଼ା ଅତର ନିମନ୍ତେ ଚନ୍ଦନ ତେଲର ଆବଶ୍ୟକ ହୁଏ । ଚନ୍ଦନ ତେଲ ସେମାନେ ବାହାରରୁ ଅଣାଇ ଏଠାରେ କିଆ ଅତର ପ୍ରସ୍ତୁତ କରି ଘେନି ଯାଆନ୍ତି । ଏଥିରେ ଲକ୍ଷ ଲକ୍ଷ ଟଙ୍କାର କାରବାର ହୁଏ । ମାତ୍ର ଏପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ବା ଓଡ଼ିଶାର କେହି ଏହି ଶିଳ୍ପ ପ୍ରତି ଦୃଷ୍ଟି ଦେଇ ନାହାନ୍ତି । କଟକର କେବଳ ଜଣେ ମୁସଲମାନ ସ୍ୱର୍ଗୀୟ ରହିମ୍ ତୁଲା କିଛିକାଳ ଯାଇ ମାଲୁଦ୍‌ରେ ରହି କିଆ ଅତର ତିଆରି କାର୍ଯ୍ୟ କରୁଥିଲେ । ତାହାଙ୍କ ମୃତ୍ୟୁ ପରେ ଆଉ କେହି ତାହା କରୁ ନାହାନ୍ତି ।

 

କେଉଡ଼ା ଅତର ଓ କେଉଡ଼ା ଜଳ ପ୍ରସ୍ତୁତ କରିବାର ପ୍ରଣାଳୀ ଏପୁସ୍ତକର ସପ୍ତମ ଖଣ୍ଡରେ ଦିଆଯିବ ।

 

ଏଠାରେ ଲୋକେ କେବଳ କିଆ ଓ କେତକୀ ଫୁଲରେ ଖଇର ବାନ୍ଧି ତଦ୍ଦ୍ୱାରା କିଆ ଓ କେତକୀ ଖଇର ପ୍ରସ୍ତୁତ କରନ୍ତି । କିଆ ଓ କେତକୀ ଖଇର ପାନରେ ଖାଇ ଆମ ଦେଶର ଲୋକେ ପାଟି ନାଲି କରନ୍ତି ଏବଂ ତହିଁରେ ଯେତିକି ସୁଗନ୍ଧ ପାଇ ପାରନ୍ତି କେବଳ ତେତିକି ମାତ୍ର ପାଇ ତହିଁରେ ସନ୍ତୁଷ୍ଟ ହୋଇ ରହନ୍ତି । ଲକ୍ଷ ଲକ୍ଷ ଟଙ୍କାର କାରବାର ସେମାନଙ୍କ ଆଖିକୁ ଦେଖାଯାଏ ନାହିଁ କିମ୍ବା ତାହା ପ୍ରତି କାହାରି କୌଣସି ଆଗ୍ରହ ଜନ୍ମେ ନାହିଁ ।

•••

 

କିଆ ଓ କେତକୀ ଖଇର

Image

କିଆଫୁଲର ଏବଂ କେତକୀଫୁଲର ପାଖୁଡ଼ାରେ ଖଇର ବନ୍ଧାଯାଏ । ଏହି ଖଇର ପ୍ରସ୍ତୁତ କରିବାପାଇଁ ସାଧାରଣ ଖଇର ଆଣି ତାହାକୁ ଶିଳରେ ବା ହିମାମଦସ୍ତାରେ ଚୁରି ପକାଇବ । ଅଳେଇଚ, ଗୁଜ୍‌ରାତି, ପାନମହୁରି ଓ ଲବଙ୍ଗ ଆଦି ଅଳ୍ପ ପରିମାଣରେ ଚୂର୍ଣ୍ଣ କରି ତହିଁ ସଙ୍ଗେ ମିଶାଇ ଦେବ । ଆବଶ୍ୟକ ପରିମାଣରେ ତହିଁରେ ଅଳ୍ପ ଅଳ୍ପ ଜଳ ଦେଇ ଖଇରଚୁନା ଓ ମସଲାଚୁନାକୁ ଗୋଳାଇ କାଦୁଅ ପରି କରିଦେବ । କିଆ ବା କେତକୀଫୁଲର ଗୋଟିଏ ବଡ଼ପାଖୁଡ଼ା ନେଇ ତହିଁରେ ୮।୯ ଇଞ୍ଚ ପରିମିତ ଲମ୍ବା ସ୍ଥାନରେ ଯେତେ ପରିମାଣର ଚକଟା ଖଇର ସମ୍ଭେଇ ପାରିବ, ତେତେ ଖଇର ଦେଇ ଛୋଟ ଛୋଟ ପାଖୁଡ଼ାଗୁଡ଼ିକଦ୍ୱାରା ତାହାର ମେଲା ଅଂଶକୁ ଉତ୍ତମରୂପେ ଘୋଡ଼ାଇ ଦେବ । ବଡ଼ ପାଖୁଡ଼ାର ଦୁଇ ପାଖରେ ବାହାରିଥିବା ଅଂଶକୁ ମୋଡ଼ିଆଣି ଏକତ୍ର କରି ସଜାଡ଼ି ଧରି ତହିଁ ଉପରେ ପ୍ରଥମେ କଦଳୀ ପଟୁକା ଏବଂ ତାପରେ କନାଧଡ଼ି ଗୁଡ଼ାଇ ଦେଇ ସେଗୁଡ଼ିକୁ ଗୋଟି ଗୋଟି କରି ଗୋଟିଏ ଡାଲାରେ ସଜାଡ଼ି ରଖିବ ଏବଂ ଛାଇରେ ଶୁଖାଇବ । କେତେଦିନ ପରେ ଉତ୍ତମରୂପେ ଶୁଖିଗଲେ ଉପରେ ବନ୍ଧା ହୋଇଥିବା କନା ଓ କଦଳୀପଟୁକା ଫିଟାଇ ଖଇରଗୁଡ଼ିକ ଗୋଟିଏ ଚଉଡ଼ାମୁହାଁ ବୋତଲରେ ବା ଘଡ଼ିରେ ସାଇତି କରି ରଖିଦେବ ।

 

ଏହିପରି କରିବାଦ୍ୱାରା କିଆ ବା କେତକୀଫୁଲର ସୁଗନ୍ଧ ସେହି ଖଇରରେ ରହିଯାଏ । ପାନଖିଆଳିମାନଙ୍କ ନିକଟରେ କିଆ ବା କେତକୀ ଖଇରର ଆଦର ଅତ୍ୟନ୍ତ ଅଧିକ ।

 

କେତକୀ ପାଖୁଡ଼ାକୁ ମଧ୍ୟ ଗୁଣ୍ଡି ରଖାଯିବା ବୋତଲରେ ବା କୁମ୍ପାରେ ପୂରାଇ ସେ ବୋତଲରେ ବା କୁମ୍ପାରେ ଗୁଣ୍ଡି ଭରତି କରି କିଛିଦିନ ରଖିଲେ ସେ ଗୁଣ୍ଡିରେ ମଧ୍ୟ କେତକୀ ଫୁଲର ସୁଗନ୍ଧ ପୂରି ରହେ ।

•••

 

ନାଳିଆ

 

ନାଳିଆ ଗୋଟିଏ ଘାସ । ଓଡ଼ିଶାର ସମୁଦ୍ରକୂଳ ନିକଟବର୍ତ୍ତୀ କେତେକ ଅଞ୍ଚଳରେ ଏହି ଘାସ ବହୁପରିମାଣରେ ଜନ୍ମେ । କନିକା, କୁଜଙ୍ଗ, ହରିଶ୍‌ପୁର, ମରୀଚ୍‌ପୁର ପ୍ରଭୃତି ଅଞ୍ଚଳମାନଙ୍କରେ ଏହା ଅଧିକ ପରିମାଣରେ ଦେଖାଯାଏ ।

Image

(୧ ନମ୍ବର ଚିତ୍ର)

ନାଳିଆଘାସ ଲତା ପରି ୭।୮ ହାତ ଲମ୍ବାରେ ମାଡ଼ିଯାଏ । ଏହାର ପ୍ରତି ଗଣ୍ଠିରୁ ପତ୍ରଗୁଡ଼ିଏ ଧାନଗଛ ପରି ଉପରକୁ ଉଠି ଠିଆ ହୋଇ ରହେ । ସେହି ସବୁ ଅଞ୍ଚଳର ଲୋକେ ଏହି ପତ୍ର ସବୁକୁ କାଟିନେଇ ତଦ୍ଦ୍ୱାରା ଘର ଛାଉଣି କରନ୍ତି । ଲତାଟି ଅତି ସୁନ୍ଦର, ଚିକ୍କଣ ଓ ଶକ୍ତ । ତାହାର ସ୍ୱାଭାବିକ ରଙ୍ଗ ମଧ୍ୟ ଅତିସୁନ୍ଦର । ଗୋଟିଏ ଲତାରେ କେତେଗୁଡ଼ିଏ ଗଣ୍ଠି ଥାଏ । ତଥାଚ ପ୍ରତି ପବ ମୂଳଆଡ଼କୁ ପ୍ରାୟ ୨।୩ ଫୁଟରୁ ଅଧିକ ଲମ୍ବା ହୁଏ । ସ୍ଥାନୀୟ ଡମ ଓ ପାଣ ପ୍ରଭୃତି କେତେକ ଜାତିର ଲୋକେ ଏହାକୁ ନେଇ ତଦ୍ଦ୍ୱାରା ଟୋକେଇ, ପାଛିଆ, ଡାଲା ପ୍ରଭୃତି ବୁଣି ବିକ୍ରୟ କରନ୍ତି । ନାଳିଆର ଟୋକେଇ ଖୁବ୍ ଶକ୍ତ । ୧ ନମ୍ବର ଚିତ୍ର ଦେଖ । ମାତ୍ର ନାଳିଆ ବହୁ ପରିମାଣରେ ନଷ୍ଟ ହେଉଅଛି । କଟକର ଟାଉନହଲ୍ ରୋଡର କୁଟୀରଶିଳ୍ପ କାରଖାନାରେ ଏହି ଲତା ନାନା ପ୍ରକାରରେ ପରୀକ୍ଷା କରାଯାଇ ଦେଖାଯାଇଅଛି ଯେ, ଏହାଦ୍ୱାରା ଦୈନନ୍ଦିନ ବ୍ୟବହାର୍ଯ୍ୟ ଅତି ଉତ୍କୃଷ୍ଟ ଅନେକ ପଦାର୍ଥ ପ୍ରସ୍ତୁତ କରାଯାଇ ପାରେ ।

 

ନାଳିଆରେ ସୁଟ୍‌କେସ୍, ହାତବ୍ୟାଗ୍, ଶୋଇବାପାଇଁ ପଟି ପ୍ରଭୃତି ଅତି ଲୋଭନୀୟ ପଦାର୍ଥମାନ ତିଆରି ହେଉଅଛି । ଗ୍ରୀଷ୍ମକାଳରେ ଗଦି ଓ ବିଛଣା ଉପରେ ବିଛାଇବା କାରଣ ନାଳିଆର ପଟି ଶୀତଳପଟିଠାରୁ କୌଣସି ଗୁଣରେ ନିକୃଷ୍ଟ ନୁହେ । ଶୀତଳପଟିକୁ ଇଚ୍ଛାକ୍ରମେ ମୋଡ଼ି ଭାଙ୍ଗି ହୁଏ ନାହିଁ । ନାଳିଆ ପଟିକୁ ସହଜରେ ଲୁଗା ପରି ଯେପରି ଇଚ୍ଛା ଭାଙ୍ଗି ହେବ । ଅଥଚ ତାହା ଖରାପ ହୋଇଯିବ ନାହିଁ, ତେଣୁ ଏହାକୁ କୌଣସି ସ୍ଥାନକୁ ଯିବା ଆସିବା ବେଳେ ବିଛଣା ମଧ୍ୟରେ ବାନ୍ଧି ନେବା ଓ ଅନ୍ୟାନ୍ୟ ବ୍ୟବହାର ନିମନ୍ତେ ଏହା ଅଧିକ ସୁବିଧାଜନକ ।

 

ନାଳିଆକୁ ନାନା ପ୍ରକାର ରଙ୍ଗରେ ରଙ୍ଗାଯାଇ ପାରେ । ତାଳପତ୍ର ରଙ୍ଗ କରିବାର ଯେଉଁ ପ୍ରଣାଳୀ ପୂର୍ବେ ବର୍ଣ୍ଣିତ ହୋଇଅଛି, ଏହାକୁ ସେହି ପ୍ରଣାଳୀରେ ଓ ସେହି ସବୁ ରଙ୍ଗଦ୍ୱାରା ରଙ୍ଗା ଯାଇ ପାରେ ।

 

ନାଳିଆକୁ ଚିରି ତହିଁର ଅନ୍ତିକୁ ଛୁରୀଦ୍ୱାରା ବାହାର କରି ଦେବାକୁ ହେବ । ଗୋଡ଼ର ଗୋଇଠି ଉପରେ ଏକ ଫାଳ ନାଳିଆ ରଖିବ । ଡାହାଣ ହାତରେ ଖଣ୍ଡିଏ ଛୁରୀ ଧରି ତହିଁ ଉପରେ ଛୁରୀଟି ବସାଇ ବାମ ହାତରେ ପାତିଆକୁ ଟାଣି ନେଲେ ଅନ୍ତି ସହଜରେ ବାହାରି ଯିବ । ୨ନମ୍ବର ଚିତ୍ର ଦେଖ । ଅନ୍ତିକୁ ସାବଧାନର ସହିତ ସରଳ ଭାବରେ କାଢ଼ି ନେଇ ରଖିଲେ ସେହି ଅନ୍ତିଦ୍ୱାରା ମଧ୍ୟ କେତେକ ପଦାର୍ଥ ତିଆରି କରାଯାଇ ପାରିବ ।

Image

(୨ ନମ୍ବର ଚିତ୍ର)

ନାଳିଆର ଅନ୍ତି ବାହାରିଗଲେ ତାହାର ଯେଉଁ ପାତିଆ ରହିବ, ତାହା ଅତି ସୁନ୍ଦର ଏବଂ ଖୁବ୍ ନରମ । ଏହାକୁ ଯେପରି ଇଚ୍ଛା ସେପରି ମୋଡ଼ି ପାରିବ ।

 

ତାଳପତ୍ରଦ୍ୱାରା ଯେତେ ପ୍ରକାର ପଟି ଓ ଚଟେଇ ବୁଣିବାର ପ୍ରଣାଳୀ ପୂର୍ବେ ପ୍ରଥମ ଖଣ୍ଡରେ ବର୍ଣ୍ଣିତ ହୋଇଅଛି, ସେହି ସବୁ ପ୍ରଣାଳୀରେ ଏହି ନାଳିଆର ପାତିଆଗୁଡ଼ିକ ବୁଣି ଭିନ୍ନ ଭିନ୍ନ ପଦାର୍ଥମାନ ପ୍ରସ୍ତୁତ କରିବାକୁ ହେବ ।

•••

 

ନାଳିଆର ହାତବ୍ୟାଗ୍ (Hand bag)

 

ନାଳିଆରେ ତିଆରି ହାତବ୍ୟାଗ୍ ଦେଖିବାକୁ ଅତିସୁନ୍ଦର । ହାତବ୍ୟାଗ୍ ପାଇଁ ପ୍ରଥମେ କେବଳ ଚଟେଇ ବୁଣିବାକୁ ହେବ । ଚଟେଇଗୁଡ଼ିକ ଟୁଇଲ୍, କଲୀ ଟୁଇଲ୍, ଡାଇମଣ୍ଡ ପ୍ରଭୃତି ଯେତେ ପ୍ରକାର ଚଟେଇ ବୁଣିବାର ପ୍ରଣାଳୀ ଏହି ପୁସ୍ତକର ପ୍ରଥମ ଖଣ୍ଡରେ ୨୪ ପୃଷ୍ଠାରୁ ୩୧ ପୃଷ୍ଠା ମଧ୍ୟରେ ବର୍ଣ୍ଣିତ ହୋଇଅଛି, ତହିଁ ମଧ୍ୟରୁ ଯେ କୌଣସି ପ୍ରଣାଳୀରେ ବୁଣିବାକୁ ହେବ । ପୁଣି ବ୍ୟାଗ୍‌ଗୁଡ଼ିକର ଶୋଭା ଅନେକ ପରିମାଣରେ ପାତିଆଗୁଡ଼ିକର ରଙ୍ଗ ଉପରେ ନିର୍ଭର କରେ । ନାଳିଆ ପାତିଆକୁ ଯେଉଁ ରଙ୍ଗରେ ରଙ୍ଗ କରିବ, ତାହା ସେହି ରଙ୍ଗ ଗ୍ରହଣ କରିବ । ପ୍ରଥମ ଖଣ୍ଡର ୧୩ ପୃଷ୍ଠାରେ ତାଳପତ୍ର ରଙ୍ଗ କରିବାର ପ୍ରଣାଳୀ ବର୍ଣ୍ଣିତ ଅଛି । ନାଳିଆକୁ ଠିକ୍ ସେହି ପ୍ରଣାଳୀରେ ରଙ୍ଗ କରିବାକୁ ହେବ । ତାଳପତ୍ର ରଙ୍ଗ କରିବା ପାଇଁ ଯେଉଁ ରଙ୍ଗ ଲୋଡ଼ା ଏଥିପାଇଁ ମଧ୍ୟ ସେହି ରଙ୍ଗ ଲାଗିବ ।

Image

(୩ ନମ୍ବର ଚିତ୍ର)

୩ ନମ୍ବର ଚିତ୍ରରେ ଯେଉଁ ବ୍ୟାଗ୍‌ର ଛବି ଦିଆଯାଇଅଛି, ତହିଁରେ ଦୁଇ ଖଣ୍ଡି ଛୋଟ ଛୋଟ ଚଟେଇ ଲାଗିଅଛି । ଚଟେଇ ଦୁଇ ଖଣ୍ଡିର ଚଉଡ଼ା ସମାନ । ଖଣ୍ଡିଏ ଚଟେଇ ଅନ୍ୟ ଖଣ୍ଡିକଠାରୁ ଲମ୍ବରେ ୬ ଇଞ୍ଚ ବଡ଼ । ଚଟେଇ ଦୁଇଟି କଲୀ ଟୁଇଲ୍‌ ପ୍ରଣାଳୀରେ ବୁଣାଯାଇ ଅଛି । ତହିଁର ପାତିଆଗୁଡ଼ିକ ଏକପରସ୍ତ ଧଳା ଏବଂ ଏକପରସ୍ତ କଳା ରଙ୍ଗର ଅଟେ ।

 

ଏହିପରି ବ୍ୟାଗ୍ (Bag) କରିବା ପାଇଁ ପ୍ରଥମେ ଚଟେଇ ଦୁଇଖଣ୍ଡି ବୁଣି ଚଟେଇ ଦୁଇଟିକୁ ଏକ ପ୍ରାନ୍ତରେ ମିଳାଇ ଧରିବ । ନିମ୍ନରେ ଏବଂ ଦୁଇ ପାର୍ଶ୍ୱରେ ଜିନ୍ ଲୁଗା ବା ସେହିପରି ଅନ୍ୟ କୌଣସି ଟାଣ ଲୁଗାର ବା ଚମଡ଼ାର ୨.୫ ଇଞ୍ଚ ବା ୩ ଇଞ୍ଚ ଚୌଡ଼ାର ଗୋଟିଏ ପଟି ନେଇ ତହିଁର ଦାଢ଼କୁ ଚଟେଇ ଦୁଇଟିର ଦାଢ଼ ସଙ୍ଗେ ସଙ୍ଗେ ଏପରି ଭାବରେ ମିଶାଇ ଧରି ସିଲାଇ କରିଦେବ, ଯେପରି ସେହି ଲୁଗା ବା ଚମଡ଼ାପଟି ଖଣ୍ଡିକ ଭାଙ୍ଗି ହୋଇ ଭିତରେ ଭିତରେ ଲୁଚି ରହିଯିବ । ତା ପରେ ଚାରିପାଖ ଦାଢ଼ରେ ଦୁଇ ପାଖକୁ ମଡ଼ାଇ କନାରେ ମୁହଁ ବାନ୍ଧି ଦେବ । ଦୁଇ ପରସ୍ତ ହୋଇ ସିଲାଇ ହେବା ଅଂଶ ବାଦ୍ ଯେଉଁ ଅଂଶ ବାକିରହିବ, ତହିଁର ମଧ୍ୟ ମୁହଁ ବାନ୍ଧିଦେବ । ଭିତରେ ଏକ ପରସ୍ତ ଛିଟ ବା କୌଣସି ରଙ୍ଗର ଲୁଗା ବା ସିଲ୍କ୍‌କନା ସିଲାଇ କରି ଅସ୍ତର ଲଗାଇ ଦେଲେ ବ୍ୟାଗ୍‌ଟି ଆହୁରି ଉତ୍ତମ ହେବ । ଇଚ୍ଛା କଲେ ବଟୁଆ ଭିତରେ ଖୋପରହିବା ପରି କନାରେ ଗୋଟିଏ ବା ଦୁଇଟି ଖୋପ ବା ମୁଣି ମଧ୍ୟ ବ୍ୟାଗ୍ (Bag) ଭିତରେ କରି ପାରିବ ।

 

ଦୁଇ ପରସ୍ତ ବାଦ୍ ବହକା ଥିବା ଅଂଶକୁ ଭାଙ୍ଗିଦେଲେ ତାହାଦ୍ୱାରା ବ୍ୟାଗ୍‌ର ମୁହଁ ବୁଜି ହୋଇ ପାରିବ । ବୁଜି ହେଉଥିବା ସ୍ଥାନରେ ବଜାରରେ ବିକ୍ରୟ ହେଉଥିବା ହାତ ବ୍ୟାଗ୍‌ର ଚାବି ଲଗାଯାଇ ପାରିବ କିମ୍ବା ବଜାରରେ ବିକ୍ରି ହେଉଥିବା ୩ ଗୋଟି ଟିପା ବୋତାମ୍ ଲଗାଇଲେ ବ୍ୟାଗ୍ ଖଣ୍ଡି ସୁବିଧା ଅନୁସାରେ ବୁଜି ହେବ ଓ ଖୋଲି ହେବ ।

 

ବ୍ୟାଗ୍‌କୁ ହାତରେ ଓହଳାଇ ଧରିବା କାରଣ ତହିଁରେ ଖଣ୍ଡିଏ ହତା ଲଗାଇବା ଆବଶ୍ୟକ । ହତା ବୁଣିବାର ପ୍ରଣାଳୀ ପୂର୍ବେ ବର୍ଣ୍ଣିତ ହୋଇଅଛି । ଏହି ବ୍ୟାଗ୍ ନିମନ୍ତେ ଆଉ ଏକପ୍ରକାର ହତା ବୁଣିବାର ପ୍ରଣାଳୀ ଏହା ପରେ ବର୍ଣ୍ଣିତ ହେବ ।

 

ହତା ଖଣ୍ଡିଏ ବୁଣି ତାହାର ଦୁଇ ମୁଣ୍ଡକୁ ଗୋଟିଏ ମୋଟ ଛୁଞ୍ଚି ବା ଡାମ୍ଫଣଦ୍ୱାରା ଫୋଡ଼ି ୩, ୪ ଓ ୫ ନମ୍ବର ଚିତ୍ରମାନଙ୍କ ପରି ବ୍ୟାଗ୍‌ରେ ଲଗାଇଦେବ । ଏହି ହତା ଲଗାଇବା ପୂର୍ବରୁ ଢାଙ୍କୁଣୀର ଭିତର ପାଖରେ ଖଣ୍ଡିଏ ବତା ଖଞ୍ଜି ଉପର ପାଖରୁ ଛୁଞ୍ଚି ଫୁଟାଇ ସୂତାକୁ ସେହି ବତାରେ ଗୁଡ଼ାଇ ହତାର ମୁଣ୍ଡ ବାନ୍ଧିଲେ ବ୍ୟାଗ୍‌ ଅଧିକ ଶକ୍ତ ଓ ସୁବିଧାଜନକ ହେବ । ବ୍ୟାଗ୍ ଖଣ୍ଡି ଯେତେ ଚଉଡ଼ା, ବତା ତାହାଠାରୁ ଏକଇଞ୍ଚ କମ୍ ଚଉଡ଼ାର ହେଲେ ଚଳିବ । ହତାର ଦୁଇମୁଣ୍ଡକୁ ସୂତାରେ ଗୁନ୍ଥି ବାନ୍ଧିବା ପରେ ଖଣ୍ଡିଏ ସରୁ ନାଳିଆ ପାତିଆ ସେହି ଛୁଞ୍ଚିରେ ଖଞ୍ଜି ତାହାକୁ ବୁଲାଇ ବୁଲାଇ ସୂତାରେ ସିଲାଇ ହୋଇଥିବା ଅଂଶକୁ ଘୋଡ଼ାଇ ଦେଲେ ନାଳିଆ ସଙ୍ଗେ ନାଳିଆ ମିଶିଯାଇ ସୁନ୍ଦର ଦେଖାଯିବ ଓ ସୂତା ଅଂଶ କିଛି ଜଣାଯିବ ନାହିଁ ।

 

୪ ନମ୍ବର ଚିତ୍ରରେ ଯେଉଁ ବ୍ୟାଗ୍‌ର ଛବି ଦିଆଯାଇଅଛି, ତହିଁରେ ମଧ୍ୟ ଦୁଇଖଣ୍ଡି ଚଟେଇ ଲାଗିଅଛି । ତହିଁର ଚଟେଇ ଦୁଇଖଣ୍ଡି ୩ ନମ୍ବର ବ୍ୟାଗ୍‌ର ଚଟେଇଠାରୁ କିଛି ଅଧିକ ଚଉଡ଼ା, ମାତ୍ର ଉଚ୍ଚତା ତାହାଠାରୁ କମ୍ । ଏଥିରେ ଖଣ୍ଡେ ଚଟେଇ ଅନ୍ୟ ଖଣ୍ଡିକ ଠାରୁ ୫ ଇଞ୍ଚ ବଡ଼-। ଏହା ମଧ୍ୟ କଲୀ ଟୁଇଲ୍ ପ୍ରଣାଳୀରେ ବୁଣା ହୋଇଅଛି ଓ ଏଥିରେ ମଧ୍ୟ ଦୁଇଗୋଟି ରଙ୍ଗର ପାତିଆ ଲାଗିଅଛି । ତାହା ଛଡ଼ା ଏହାର ଅନ୍ୟ ସମସ୍ତ ଅଂଶ ଠିକ୍ ୩ ନମ୍ବର ବ୍ୟାଗ୍ ନିର୍ମାଣ ପ୍ରଣାଳୀରେ କରାଯାଇଅଛି ।

Image

(୪ ନମ୍ବର ଚିତ୍ର)

(୫ ନମ୍ବର ଚିତ୍ର)

୫ ନମ୍ବର ଚିତ୍ରରେ ଯେଉଁ ବ୍ୟାଗ୍‌ଟିର ଛବି ଦିଆଯାଇଅଛି, ତହିଁରେ କେବଳ ଖଣ୍ଡିଏ ଚଟେଇ ବୁଣି ତାହାକୁ ମୋଡ଼ି ତହିଁର ଏକ ଅଂଶକୁ ଭାଙ୍ଗି ତହିଁର ଦୁଇ ପାଖର ଧଡ଼ି ସଙ୍ଗେ ମିଶାଇ ମୋଟା ଜିନ୍ କନା ପୂର୍ବ ପ୍ରଣାଳୀରେ ସିଲାଇ କରା ଯାଇଅଛି । ସବୁଆଡ଼େ ଧଡ଼ିରେ ଖଣ୍ଡିଏ କନା ଲଗାଇ ମୁହଁ ବନ୍ଧା ଯାଇଅଛି । ଅବଶିଷ୍ଟ ଅଂଶକୁ ମୋଡ଼ି ତହିଁର ଢାଙ୍କୁଣୀ କରା ଯାଇଅଛି । ଭିତରେ କନାର ଅସ୍ତର ସିଲାଇ କରାଯାଇଅଛି ଏବଂ ହତା ଲାଗିଅଛି । ଏହାର ଚଟେଇ ଖଣ୍ଡିକ ଟୁଇଲ୍ ବୁଣା ପ୍ରଣାଳୀରେ ବୁଣା ଯାଇଅଛି ।

•••

 

ହତା

 

ବ୍ୟାଗ୍‌ରେ ହତା ଲାଗିବା ଖୁବ ଦରକାର; ତେଣୁ ତହିଁର ସ୍ୱତନ୍ତ୍ର ନିର୍ମାଣ ପ୍ରଣାଳୀ ଏଠାରେ ଦିଆଗଲା । ହତାଟି ଯେତେ ବଡ଼ କରିବାକୁ ଇଚ୍ଛା କରିବ, ସେହି ମାପ ଅନୁସାରେ ଚଉଡ଼ା ରଖି କେତେଖଣ୍ଡ କୋରଟ ବା ଦେବଦାରୁ ଛେଲି ନେଇ ସେଗୁଡ଼ିକ ଏକତ୍ର କରି ଧରିବ । ତହିଁର ଦୁଇପାଖରେ ନାଳିଆର ପାତିଆ ଗୁଡ଼ିଏ ଗୋଟିକ ପରେ ଗୋଟିଏ ଲଗାଲଗି କରି ପାରିଦେଇ ତାହାର ସମ୍ପୂର୍ଣ୍ଣ ସେହି ନାଳିଆର ପାତିଆଦ୍ୱାରା ଆବୃତ କରିଦେବ । ୬ ନମ୍ବର ଚିତ୍ର ଦେଖ ।

Image

(୬ ନମ୍ବର ଚିତ୍ର)

ଆଉ ଖଣ୍ଡିଏ ନାଳିଆ ପାତିଆ ନେଇ ତଦ୍ଦ୍ୱାରା ତାହାକୁ ବୁଣିବ । ବୁଣିବା ସମୟରେ ବିଛା ହୋଇଥିବା ପାତିଆ ଗୁଡ଼ିକରେ ବୁଣିବାକୁ ହେବ । ୭ ନମ୍ବର ଚିତ୍ରରେ ଟୁଇଲ ପ୍ରଣାଳୀରେ ବୁଣା ଯାଇଅଛି, ଅର୍ଥାତ୍ ଦୁଇଟି ପାତିଆ ତଳକୁ ପକାଇ ଓ ଦୁଇଟି ପାତିଆ ଉପରକୁ ଉଠାଇ ବୁଣିବାର ପାତିଆ ଖଣ୍ଡିକ ଚାରି ପାଖରେ ବୁଲାଇ ବୁଲାଇ ଏହା ବୁଣା ଯାଇଅଛି । ବୁଣିବାର ପାତିଆ ଖଣ୍ଡିକ ପରାହୋଇଥିବା ପାତିଆଠାରୁ ପୃଥକ୍ ରଙ୍ଗର ହେଲେ ଦେଖିବାକୁ ସୁନ୍ଦର ହେବ ।

Image

(୭ ନମ୍ବର ଚିତ୍ର)

ବ୍ୟାଗଟି ଚିତ୍ରିତ କରିବାକୁ ଇଚ୍ଛା କଲେ ଚଟେଇ ବୁଣିବା ସମୟରେ ପ୍ରଥମେ ସାଧା ଓ ଭିନ୍ନ ଭିନ୍ନ ରଙ୍ଗର ପାତିଆଗୁଡ଼ିକ ଭିନ୍ନ ଭିନ୍ନ ସଂଖ୍ୟାରେ ସଜାଇ ତହିଁରେ ହିସାବ କରି ସାଧା ଓ ଭିନ୍ନ ଭିନ୍ନ ରଙ୍ଗର ପାତିଆ ବୁଣିଲେ ଭିନ୍ନ ଭିନ୍ନ ପ୍ରକାରର ଚିତ୍ରିତ ଚଟେଇ ହେବ । ଚଟେଇ ଯେପରି ଚିତ୍ରିତ ହେବ, ତଦ୍ଦ୍ୱାରା ସେହିପରି ବ୍ୟାଗ୍ ହେବ ।

 

ନିମ୍ନରେ ଉଦାହରଣ ସ୍ୱରୂପ ଦୁଇଗୋଟି ଚିତ୍ରିତ ଚଟେଇ ରଙ୍ଗପାତିଆ ଖଞ୍ଜି ବୁଣିବାର ଭାଗ ଦିଆଗଲା । ସେହିପରି ଯେତେପ୍ରକାର ଭିନ୍ନ ଭିନ୍ନ ଭାଗରେ ରଙ୍ଗପାତିଆ ଟାଣିରେ ଦେଇ ଭିନ୍ନ ଭିନ୍ନ ଭାଗରେ ରଙ୍ଗପାତିଆ ବୁଣିବ, ତେତେପ୍ରକାର ଚିତ୍ରିତ ଚଟେଇ ହେବ ।

 

ଯେବେ ପ୍ରଥମେ ୭ ଗୋଟି ଧଳା ପାତିଆ, ତା ପରେ ୨ ଗୋଟି କଳା ପାତିଆ, ତା ପରେ ୨ ଗୋଟି ଧଳା ପାତିଆ, ତା ପରେ ୨ ଗୋଟି କଳା ପାତିଆ, ତା ପରେ ୭ ଗୋଟି ଧଳା ପାତିଆ, ତା ପରେ ୪ ଗୋଟି କଳା ପାତିଆ; ତା ପରେ ପୁନରାୟ ପୂର୍ବ ହିସାବରେ ୭ ଗୋଟି ଧଳାଠାରୁ ଆରମ୍ଭ କରି ଯେତେ ଥର ଆବଶ୍ୟକ, ସେହି ହିସାବରେ ପାତିଆସବୁ ଟାଣିରେ ସଜାଇ ବୁଣିବା ବେଳେ ଭରଣିରେ ମଧ୍ୟ ଠିକ୍ ସେହି ହିସାବରେ ସାଧା ଓ ରଙ୍ଗ ପାତିଆ ବୁଣିବ; ଅର୍ଥାତ୍ ପ୍ରଥମେ ୭ ଗୋଟି ଧଳା, ତା ପରେ ୨ ଗୋଟି କଳା, ତା ପରେ ୨ ଗୋଟି ଧଳା, ତା ପରେ ୨ ଗୋଟି କଳା, ତା ପରେ ୭ ଗୋଟି ଧଳା, ତା ପରେ ୪ ଗୋଟି କଳା ଏବଂ ତା ପରେ ପୁନଶ୍ଚ ସେହି ହିସାବରେ କ୍ରମ ଅନୁସରଣ କରି ଶେଷ ପର୍ଯ୍ୟନ୍ତ ବୁଣିବ, ତେବେ ଚଟେଇ ଖଣ୍ଡିକ ଏକପ୍ରକାର ଚିତ୍ରିତ ହୋଇ ପ୍ରସ୍ତୁତ ହେବ ।

 

୮ ନମ୍ବର ଚିତ୍ରରେ ଯେଉଁ ବ୍ୟାଗଟି ଦିଆଯାଇଅଛି, ତହିଁରେ ଚଟେଇଟି କଲୀ ଟୁଇଲ୍ ପ୍ରଣାଳୀରେ ବୁଣା ହୋଇଅଛି । ତହିଁର ଟାଣିରେ ପ୍ରଥମେ ୬ ଗୋଟି ଧଳା, ତତ୍ପରେ ୪ ଗୋଟି ଶାଗୁଆ ରଙ୍ଗର ପାତିଆ ଦିଆଯାଇ ମଧ୍ୟଭାଗରେ ସମ୍ପୂର୍ଣ୍ଣ ଧଳା, ପୁଣି ଶେଷକୁ ୪ ଗୋଟି ଶାଗୁଆ ଏବଂ ତତ୍ପରେ ୬ ଗୋଟି ଧଳା ପାତିଆ ଦିଆ ଯାଇଅଛି । ବୁଣିବାରେ ଭରଣିରେ ପ୍ରଥମେ ୬ ଗୋଟି କଳା, ତତ୍ପରେ ୪ ଗାଟି ଶାଗୁଆ ଏବଂ ତତ୍ପରେ ସମସ୍ତ କଳା ପାତିଆ ବୁଣାଯାଇ ଶେଷକୁ ପୁଣି ୪ ଗୋଟି ଶାଗୁଆ ଓ ତତ୍ପରେ ୬ ଗୋଟି କଳା ପାତିଆ ବୁଣା ଯାଇଅଛି ।

Image

(୮ ନମ୍ବର ଚିତ୍ର)

(୯ ନମ୍ବର ଚିତ୍ର)

୯ ନମ୍ବର ଚିତ୍ରରେ ଯେଉଁ ସୁଟ୍‌କେସ୍‌ଟି ଦେଖୁଅଛ, ସେଭଳି ସୁଟ୍‌କେସ୍ ତିଆରି କରିବାକୁ ଇଚ୍ଛା କଲେ ପ୍ରଥମେ ଗୋଟିଏ ବାଉଁଶ ପାତିଆର ତଲେଇରୁ ତଳା ସକାଶ ୧ ଖଣ୍ଡ, ଉପରର ଡାଲା ସକାଶ ୧ ଖଣ୍ଡ ଓ ଚାରିପାଖରୁ ଲମ୍ବ ଦୁଇପାଖ ନିମନ୍ତେ ୨ ଖଣ୍ଡ ଓ ଚଉଡ଼ା ଦୁଇପାଖ ନିମନ୍ତେ ୨ ଖଣ୍ଡ, ଏରୂପ ୬ ଖଣ୍ଡି ମାପ ଅନୁସାରେ କାଟିନେଇ ଅଥବା ସେହି ମାପରେ ୬ଖଣ୍ଡ ବୁଣି ସେଗୁଡ଼ିକ ପରସ୍ପର ସଙ୍ଗେ ଯୋଡ଼ି ଗୋଟିଏ ସୁଟକେସ୍‌ର ଫରମା ପ୍ରସ୍ତୁତ କରିବ । ତା ପରେ ପ୍ରତି ଖଣ୍ଡର ମାପ ଅନୁସାରେ ୬ ଖଣ୍ଡି ନାଳିଆ ପାତିଆଦ୍ୱାରା ଚଟେଇ ବୁଣି ଯେ ଯାହାର ମାପ ଅନୁସାରେ ଫରମା ଉପରେ ଯୋଡ଼ି ମିଳାଇ ଦେଇ ଉତ୍ତମରୂପେ ବାନ୍ଧି ଦେବାକୁ ହେବ । ଏଥିରେ ଯେଉଁ ନାଳିଆର ଚଟେଇଗୁଡ଼ିକ ଲାଗିଅଛି, ତାହା ପ୍ରଥମ ଖଣ୍ଡର୍ ୨୯ ପୃଷ୍ଠାରେ ବର୍ଣ୍ଣିତ ତାଳପତ୍ର ଚଟେଇ ବୁଣିବା ପ୍ରଣାଳୀରେ ଅର୍ଥାତ୍ ଡାଇମଣ୍ଡ୍ ପ୍ରଣାଳୀରେ ବୁଣା ହୋଇଅଛି । ତହିଁର ଧଡ଼ିରେ ଯଦି ଗୋଟିଏ ୪ ଶାଖାର ପଟି ବୁଣି ଖଞ୍ଜି ଦେବ, ତେବେ ଦେଖିବାକୁ ଆହୁରି ସୁନ୍ଦର ହେବ । ୪ ଶାଖାର ପଟି ବୁଣିବାର ପ୍ରଣାଳୀ ତାଳପତ୍ରର ପଟି ବୁଣିବା ସମ୍ପର୍କରେ ଦେଖାଇ ଦିଆ ଯାଇଅଛି । ସେହି ପ୍ରଣାଳୀରେ ୪ ଗୋଟି ନାଳିଆ ପାତିଆଦ୍ୱାରା ଏହି ପଟି ବୁଣିବ । ଦୁଇଟି ସାଧା ଓ ଦୁଇଟି ରଙ୍ଗିନ ପାତିଆଦ୍ୱାରା ବୁଣିଲେ ପଟିଟି ମଧ୍ୟ ଚିତ୍ରିତ ଦେଖାଯିବ ।

 

ଉପରର ଡାଲାଟି କବ୍‌ଜାଦ୍ୱାରା ସଂଯୁକ୍ତ କରାଯାଇଅଛି । ଚାବି ଲଗାଇବା କାରଣ ବଜାରରେ ମିଳୁଥିବା ଗୋଟିଏ ପିତଳ ବା ନିକେଲ୍ ଚାବି ଲଗାଯାଇ ପାରିବ । ପୂର୍ବବର୍ଣ୍ଣିତ ପ୍ରଣାଳୀରେ ହତା ଗୋଟିଏ ବୁଣି କଣ୍ଟା ବା ପେଞ୍ଚଦ୍ୱାରା ସୁଟ୍‌କେସ୍‌ରେ ବସାଇ ଦେଲେ ସୁଟକେସ୍‌ଟି ସମ୍ପୂର୍ଣ୍ଣ ହେବ ।

•••

 

ନାଳିଆ ପଟି

 

ଚଟେଇ ବୁଣିବା ପ୍ରଣାଳୀରେ ଏହାକୁ ବୁଣିବ । ନାଳିଆ ପଟି ଅର୍ଥାତ୍ ବିଛଣା ଉପରେ ପକାଇ ଶୋଇବା କାରଣ ଅନ୍ୟୂନ ୬ ଫୁଟ ଲମ୍ବା ଏବଂ ୩ ଫୁଟ ଚଉଡ଼ାର ଗୋଟିଏ ପଟି ଜଣକର ଶୋଇବା ନିମନ୍ତେ ଚଳି ପାରେ । ବଡ଼ ବଡ଼ ପଲଙ୍କରେ ବିଛାଇବା କାରଣ ୭ ଫୁଟ୍ ଲମ୍ବା ଏବଂ ୪.୫ ଫୁଟ୍‌ ବା ତହିଁରୁ ଅଧିକ ଚଉଡ଼ାର ପଟି ଆବଶ୍ୟକ ହୋଇ ପାରେ । ଯେତେ ଲମ୍ବା ଓ ଯେତେ ଚଉଡ଼ାର ପଟି ବୁଣିବାକୁ ଇଚ୍ଛା କରିବ, ତାହା ସହଜରେ ଏହି ନାଳିଆ ପାତିଆଦ୍ୱାରା ବୁଣାଯାଇ ପାରିବ । ଚଟେଇ ବୁଣିବାର ଯେତେପ୍ରକାର ପ୍ରଣାଳୀ ପୂର୍ବେ ତାଳପତ୍ର ଚଟେଇ ବୁଣାରେ ପ୍ରଥମ ଖଣ୍ଡରେ ଦେଖାଇ ଦିଆଯାଇଅଛି, ତହିଁ ମଧ୍ୟରୁ ଯେ କୌଣସି ପ୍ରଣାଳୀରେ ଏହା ବୁଣାଯାଇ ପାରିବ-

 

ସାଧାରଣ ଟୁଇଲ୍ ବୁଣା ପ୍ରଣାଳୀରେ ବୁଣିଲେ ଚଳିବ । ଗୋଟିଯାକ ଚିତ୍ରିତ କରିବାକୁ ଇଚ୍ଛା କଲେ କେବଳ କେତେଗୁଡ଼ିଏ ପାତିଆ ସାଧା ରଖି ଅବଶିଷ୍ଟ ପାତିଆଗୁଡ଼ିକ ଭିନ୍ନ ଭିନ୍ନ ରଙ୍ଗରେ ରଙ୍ଗ କରି ଯେପରି ଚିତ୍ରିତ କରିବାକୁ ଇଚ୍ଛା କରିବ, ସେହିପରି ଆଗରୁ ସ୍ଥିର କରି ଟାଣିରେ ଭିନ୍ନ ଭିନ୍ନ ସଂଖ୍ୟାରେ ଭିନ୍ନ ଭିନ୍ନ ରଙ୍ଗର ପାତିଆ ଗୁଡ଼ିଏ ଖଞ୍ଜିବ ଏବଂ ସେହିପରି ଭିନ୍ନ ଭିନ୍ନ ସଂଖ୍ୟାରେ ଭିନ୍ନ ଭିନ୍ନ ରଙ୍ଗର ପାତିଆ ବୁଣିବ ।

 

ଯେତେ ଲମ୍ବା ଓ ଯେତେ ଚଉଡ଼ାର ପଟି ଆବଶ୍ୟକ, ତାହା ବୁଣି ସାରି ତହିଁର ଧଡ଼ିଗୁଡ଼ିକ ମୋଡ଼ି ବୁଣିଦେବ ଏବଂ ଗୋଟିଏ ଅଳ୍ପ ଚଉଡ଼ାର ପଟି ବୁଣି ତାହାର ଚାରି ପାଖର ଧଡ଼ିରେ ବସାଇ ସିଲାଇ କରିଦେଲେ ଆହୁରି ସୁନ୍ଦର ହେବ । ପଟିଟି ୪ ଶାଖାଠାରୁ ଆରମ୍ଭ କରି ୫।୬।୭ ବା ତହିଁରୁ ଅଧିକ ଶାଖାଦ୍ୱାରା ବୁଣାଯାଇ ପାରିବ । ତାହା ମଧ୍ୟ ଭିନ୍ନ ଭିନ୍ନ ରଙ୍ଗର ପାତିଆଦ୍ୱାରା ବୁଣିଲେ ସୁନ୍ଦର ଚିତ୍ରିତ ହୋଇ ପାରିବ ।

•••

 

ଅନୁଶୀଳନ

 

ଏହି ପୁସ୍ତକର ଦ୍ୱିତୀୟ ଖଣ୍ଡ ଶେଷ ହେଲା । ଏହି ଦୁଇ ଖଣ୍ଡରେ ଅନେକ ଗୁଡ଼ିଏ ପଦାର୍ଥର ବ୍ୟବହାର ଏବଂ କେତେଗୁଡ଼ିଏ ପଦାର୍ଥର ନିର୍ମାଣପ୍ରଣାଳୀ ବର୍ଣ୍ଣିତ ହୋଇଅଛି । ଯେଉଁ ପଦାର୍ଥମାନଙ୍କ ବିଷୟ ଉଲ୍ଲେଖ ହୋଇଅଛି, ତାହା ଛଡ଼ା ସେହିପରି ଆଉ ଯେ କେତେ ପଦାର୍ଥ ଆମ୍ଭେମାନେ ପ୍ରତିଦିନ ଆଖି ଆଗରେ ଦେଖୁଅଛୁଁ, ତହିଁର ସୀମା ନାହିଁ । ତହିଁ ମଧ୍ୟରୁ ଅଧିକାଂଶ ଅକାରଣ ନଷ୍ଟ ହେଉଅଛି । ପ୍ରତ୍ୟେକ ପଦାର୍ଥକୁ କାର୍ଯ୍ୟରେ ଲଗାଇ ଜାଣିଲେ ତଦ୍ଦ୍ୱାରା ଅତି ସୁନ୍ଦର ସୁନ୍ଦର ଓ ମୂଲ୍ୟବାନ୍‌ ପଦାର୍ଥମାନ ନିର୍ମିତ ହୋଇ ପାରିବ । ଯେଉଁ ପ୍ରଣାଳୀଗୁଡ଼ିକ ବର୍ଣ୍ଣିତ ହୋଇଅଛି, ତାହା କେବଳ ଗୋଟିଏ ଗୋଟିଏ ଉଦାହରଣ ଓ ଦିଗଦର୍ଶନ ମାତ୍ର । ସେହିପରି ଆଉ ନାନା ପ୍ରକାର ପ୍ରଣାଳୀ ଉଦ୍ଭାବନ କରିବାକୁ ଚେଷ୍ଟା କଲେ ଆହୁରି କେତେ ପ୍ରକାର ନୂତନ ଓ ସରଳ ପ୍ରଣାଳୀରେ ଏବଂ ସହଜରେ ବହୁ ପଦାର୍ଥ କରାଯାଇ ପାରିବ । ପ୍ରତ୍ୟେକ ପଦାର୍ଥ ନିର୍ମାଣ କଲାବେଳେ ଯେବେ ଚିନ୍ତା କରିବ ଏବଂ ପ୍ରତ୍ୟେକ ବିଷୟ ପର୍ଯ୍ୟବେକ୍ଷଣ କରିବ, ତେବେ କେତେ କେତେ ନୂତନ ପନ୍ଥା ଆପେ ଦେଖାଯିବ ।

 

ଆମ୍ଭମାନଙ୍କର ପର୍ଯ୍ୟବେକ୍ଷଣର ବିଶେଷ ଅଭାବ । ପର୍ଯ୍ୟବେକ୍ଷଣର ଅର୍ଥ ମନୋନିବେଶପୂର୍ବକ ଦେଖିବା । ଆମ୍ଭେମାନେ ସବୁ ଦେଖୁଁ, ମାତ୍ର କିଛି ପର୍ଯ୍ୟବେକ୍ଷଣ କରୁ ନାହିଁ । ପ୍ରତିଦିନ ସମସ୍ତଙ୍କ ଘରେ କୋଡ଼ି, କୁରାଢ଼ି, ଛୁରୀ ଓ ସେହିପରି କେତେ କେତେ ପଦାର୍ଥ ବ୍ୟବହୃତ ହେଉଅଛି । କୋଡ଼ିର ବେଣ୍ଟ ଖଣ୍ଡିକ କାହିଁକି ଛୋଟ, କୁରାଢ଼ିର ବେଣ୍ଟ କାହିଁକି ଲମ୍ବା, ଯେତେ ଲମ୍ବା ଅଛି, ତାହାଠାରୁ ଅଧିକ ଲମ୍ବା କଲେ କଅଣ ସୁବିଧା ବା ଅସୁବିଧା ହୁଅନ୍ତା, କମ୍ ଲମ୍ବା ହେଲେ କଅଣ ହୁଅନ୍ତା, ଯେତିକି ଲମ୍ବା ଅଛି, ତେତିକି ଲମ୍ବ କରିବାରୁ କେଉଁଠାରେ କିପରି ଜୋର୍ ପଡ଼ୁଅଛି, ଏ ସବୁ କେବେ ଆମ୍ଭେମାନେ ଭାବୁଁ ନାହିଁ । ସମସ୍ତଙ୍କ ଘରେ ଢିଙ୍କି ଅଛି, ଧାନ କୁଟା ହେଉଅଛି । ତହିଁର ନିର୍ମାଣପ୍ରଣାଳୀରେ କି ତତ୍ତ୍ୱ ନିହିତ ଅଛି, ଏ କଥା ଆମ୍ଭେମାନେ କେବେ ଚିନ୍ତା କରୁ ନାହିଁ । ଢିଙ୍କିଟି ଏପରି ଗଢ଼ା ହୋଇଅଛି ଯେ, ତହିଁର କାର୍ଯ୍ୟରେ ଆଦୌ କାହାରିକୁ କିଛି ମାତ୍ର ବଳ ପ୍ରୟୋଗ କରିବାକୁ ପଡ଼ୁ ନାହିଁ । କେବଳ ଜଣେ ବା ଦୁଇ ଜଣ ମନୁଷ୍ୟ ଢିଙ୍କିଲାଞ୍ଜିରେ ଠିଆ ହୋଇଗଲେ ତାଙ୍କର ଶରୀରର ଓଜନରେ ତାହା ଉଠି ଯାଉଅଛି, ଓହ୍ଲାଇ ଆସିଲେ ଆପେ ପଡ଼ି ଯାଉଅଛି । ଢିଙ୍କିମୁଣ୍ଡାର ଓଜନରେ ଚାଉଳ ହୋଇ ଯାଉଅଛି । ଏଠାରେ ମନୁଷ୍ୟ କେବଳ ଉଠିବା ଓହ୍ଲାଇବା ଛଡ଼ା ଆଉ କିଛି ବଳ ପ୍ରୟୋଗ କରୁ ନାହିଁ । ଏହିପରି ପଦାର୍ଥ ଗୁଡ଼ିକ ମନ ଲଗାଇ ଦେଖିବାକୁ ପର୍ଯ୍ୟବେକ୍ଷଣ କହନ୍ତି । ପର୍ଯ୍ୟବେକ୍ଷଣ ଶକ୍ତି ଯେତେ ବୃଦ୍ଧି ହେବ, ଶିଳ୍ପକୌଶଳ ତେତେ ଉନ୍ନତି ଲାଭ କରିବ; ତେଣୁ ଶିଳ୍ପ ଶିକ୍ଷା କରିବାକୁ ସମସ୍ତଙ୍କର ପର୍ଯ୍ୟବେକ୍ଷଣ ଅଭ୍ୟାସ କରିବା ଆବଶ୍ୟକ ।

Image